ଭୁବନେଶ୍ୱର: ଦିନ ଥିଲା। ସକାଳୁ ଉଠିଲେ... ଆମ ବାପା ମାଆ ଜେଜେବାପା ମା କିମ୍ବା ଘରର ଗୁରୁଜନ କହିଦିଅନ୍ତି। ପୁଅ ବା ଝିଅରେ ନିତ୍ୟକର୍ମ ସାରି ଠାକୁରଙ୍କ ପ୍ରଣାମ କର। ବହି ଖୋଲି ପାଠ ପଢ଼। କିନ୍ତୁ ଏବେ ବଦଳିଛି ସମୟ। ଟେକ୍ନୋଲୋଜିର ଯୁଗ ଆସିଛି। ସକାଳୁ ଆଖି ଖୋଲିବା ମାତ୍ରେ ହାତ ଚାଲିଯାଉଛି ମୋବାଇଲ୍ ଆଡ଼କୁ। ନୋଟିଫିକେସନ୍ ଆସିଲା କି ନାହିଁ, ସୋସିଆଲ୍ ମିଡିଆରେ କଣ ନୂଆ ଅପଡେଟ୍ ଆସିଛି, କିଏ ମେସେଜ୍ କରିଛି—ଏସବୁ ଦେଖିବା ଆଜି ଆମ ଦୈନନ୍ଦିନ ଜୀବନର ଅଭ୍ୟାସ ପାଲଟିଛି। କିନ୍ତୁ ଏହି ଅଭ୍ୟାସ ଯେତେବେଳେ ନିଶାରେ ପରିଣତ ହେଉଛି, ସେତେବେଳେ ଏହାର ପ୍ରଭାବ ପଡ଼ୁଛି ଆମ ମାନସିକ ସ୍ୱାସ୍ଥ୍ୟ ଉପରେ।

ବଢ଼ୁଥିବା ସ୍ମାର୍ଟଫୋନ୍ ବ୍ୟବହାର ଓ ଏହାର ମାନସିକ ପ୍ରଭାବକୁ ନଜରରେ ରଖି ଏବେ ଆଲର୍ଟ ହୋଇଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ। ମୋବାଇଲରୁ କିଛି ସମୟ ଦୂରରେ ରହିବା ସହ ଦିନସାରା ଫୋନ୍ ବ୍ୟବହାର କମାଇବା ପାଇଁ ଲୋକଙ୍କୁ ଦିଆଯାଇଛି ପରାମର୍ଶ। ‘୧ ଘଣ୍ଟା ବିନା ଫୋନ୍ରେ’ ଚ୍ୟାଲେଞ୍ଜ।

ଘଣ୍ଟା ଘଣ୍ଟା ଧରି କୌଣସି ଜରୁରୀ କାମ ନଥାଇ ମଧ୍ୟ ଫୋନ୍ ଚଲାଇବା, ବାରମ୍ବାର ନୋଟିଫିକେସନ୍ ଚେକ୍ କରିବା ଏବଂ ଫୋନ୍ ହାତରେ ନଥିଲେ ଅସ୍ଥିର ଲାଗିବା—ଏସବୁ ଅତ୍ୟଧିକ ମୋବାଇଲ୍ ବ୍ୟବହାରର ସଙ୍କେତ ହୋଇପାରେ। ଯଦି ଫୋନ୍ ପାଇଁ ପଢ଼ାପଢ଼ିରେ ବାଧା ସୃଷ୍ଟି ହେଉଛି, କାର୍ଯ୍ୟକ୍ଷେତ୍ରର କାମ ପ୍ରଭାବିତ ହେଉଛି କିମ୍ବା ରାତିରେ ଠିକ୍ ଭାବେ ନିଦ ହେଉନାହିଁ, ତେବେ ଏହାକୁ ଅଣଦେଖା କରିବା ଠିକ୍ ନୁହେଁ।

ମୋବାଇଲ୍ ନିଶାରୁ ମୁକ୍ତି ପାଇଁ ଆଜିଠାରୁ ‘ଡିଜିଟାଲ୍ ଡିଟକ୍ସ’ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତିଦିନ କିଛି ସମୟ ଫୋନକୁ ଦୂରରେ ରଖି ପରିବାର ସହ ସମୟ ବିତାଇବା, ବହି ପଢ଼ିବା, ବାହାରେ ବୁଲିବା କିମ୍ବା ନିଜ ପସନ୍ଦର କାମରେ ସମୟ ଦେବା ଭଳି ଅଭ୍ୟାସ ମୋବାଇଲ୍ ନିର୍ଭରତା କମାଇବାରେ ସହାୟକ ହୋଇପାରେ।

ପ୍ରଥମ ପଦକ୍ଷେପ ଭାବେ ଦିନକୁ ଅତି କମ୍‌ରେ ଗୋଟିଏ ଘଣ୍ଟା ଫୋନ୍ଠାରୁ ଦୂରେ ରହିବାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବାକୁ କୁହାଯାଇଛି। ମୋବାଇଲ୍ ବ୍ୟବହାର ଯଦି ମାନସିକ ଚାପ, ଅସ୍ଥିରତା କିମ୍ବା ଦୈନନ୍ଦିନ ଜୀବନରେ ସମସ୍ୟା ସୃଷ୍ଟି କରୁଛି, ତେବେ ଏହାକୁ ନେଇ ଏକୁଟିଆ ରହିବାର ଆବଶ୍ୟକତା ନାହିଁ। ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ଓ ପରାମର୍ଶ ପାଇଁ ମାଗଣା ହେଲ୍ପଲାଇନ୍ ‘ଟେଲି-ମାନସ’ ୧୪୪୧୬ରେ ଯୋଗାଯୋଗ କରିପାରିବେ।

also read- ପାରାଦୀପ ଛାଡ଼ିଲେ MV Ocean Winnerର ୨ କ୍ରିଉ, ଉଭୟ ବଖାଣିଲେ ଜାହାଜ ବୁଡିବାର ଛାତିଥରା କାହାଣୀ…

ମନେ ରଖନ୍ତୁ, ଆମ ଜୀବନକୁ ସହଜ କରିବା ପାଇଁ ମୋବାଇଲ୍ ଆବଶ୍ୟକ ଏହାର ଅର୍ଥ ନୁହେଁ ଯେ ଜୀବନକୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ। ତେଣୁ ଆଜିଠାରୁ ନିଜକୁ ଦିଅନ୍ତୁ ଏକ ଛୋଟ ଚ୍ୟାଲେଞ୍ଜ ‘୧ ଘଣ୍ଟା ବିନା ଫୋନ’। ଦେଖିବେ ଏହି ଛୋଟ ପଦକ୍ଷେପ ଆପଣଙ୍କ ଦୈନନ୍ଦିନ ଜୀବନରେ ଆଣିପାରେ ବଡ଼ ପରିବର୍ତ୍ତନ।