ଭୁବନେଶ୍ୱର: ପିଲାଙ୍କ ମାନସିକ ଅବସାଦ ଦୂର କରିବାକୁ ଅଣ୍ଟା ଭିଡ଼ିଲେ ସରକାର । ଛାତ୍ରଛାତ୍ରୀଙ୍କୁ କିପରି ଅବସାଦରୁ ମୁକ୍ତ କରାଯାଇପାରିବ ସେଥିପାଇଁ ସରକାର ଆଣିଲେ ଗାଇଡଲାଇନ । ଅଙ୍ଗନବାଡ଼ି ଠାରୁ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ପିଲାଙ୍କ ଆଚରଣରେ ଅସ୍ବାଭାବିକତା ଦେଖାଯାଉଛିଯ । ଯାହା ପଛରେ କାରଣ ରହିଛି ମାନସିକ ଚାପ । ଏପରିକି କେତେକ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଏସଓପି । ଖରାପ ଲେବୁଲ୍ ଲଗାଇ ପିଲାଙ୍କୁ ସମ୍ବୋଧନ କରିବା ବଦଳରେ ଆଶ୍ୱାସନାପୂର୍ଣ୍ଣ ଭାଷା ବ୍ୟବହାର କରିବାକୁ ଏସଓପିରେ କଡା ନିର୍ଦେଶ ଦିଆଯାଇଛି ।

ଅଙ୍ଗନବାଡ଼ି ହେଉ କି ସ୍କୁଲ । ପିଲାଙ୍କୁ ଅଳସୁଆ ଜିଦିଆ ଭଳି କହି ଆକ୍ଷେପ କରିପାରିବେନି । ସର୍ବସାଧାରଣରେ ଅପମାନିତ କରିପାରିବେନି । ପିଲାଙ୍କ ମନରେ ହୀନମନ୍ୟତା ଆଣିବା ଭଳି କୌଣସି କଥା କହିପାରିବେନି । କଠିନ ଡାକ୍ତରୀ ଶବ୍ଦ ପରିବର୍ତ୍ତେ ନରମ ଓ ଆଶ୍ୱାସନାପୂର୍ଣ୍ଣ ଭାଷା ବ୍ୟବହାର କରିବେ । ଏମିତି କିଛି ଏସଓପି ରାଜ୍ୟ ସରକାର ଜାରି କରିଛନ୍ତି । ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବା ସହ ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଏଥିରେ ସ୍ପଷ୍ଟ ନିୟମ ଲାଗୁ କରାଯାଇଛି । କୌଣସି ପିଲା କିମ୍ବା ଛାତ୍ରଛାତ୍ରୀଙ୍କ ଅସ୍ୱାଭାବିକ ଆଚରଣ, କ୍ରମାଗତ ଉଦାସୀନତା, ଭୟ କିମ୍ବା ହିଂସ୍ର ମନୋଭାବ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଲାଗିରହିଲେ ଏହାକୁ ଚିନ୍ତାଜନକ ବୋଲି ଧରାଯିବ । ସେମାନଙ୍କୁ ବୁଝାସୁଝା, ସହାୟତା, ନିରୀକ୍ଷଣ ଓ ରେଫର୍ କରିବାର ଏକ ଶୃଙ୍ଖଳିତ ନିୟମ କରଯାଇଛି । ପିଲାମାନଙ୍କ ଆଚରଣକୁ ଦେଖି ସେମାନଙ୍କୁ ସବୁଜ, ହଳଦିଆ ଏବଂ ଲାଲ ବର୍ଗରେ ବିଭକ୍ତ କରାଯିବ । ସେହି ଅନୁସାରେ ସେମାନଙ୍କୁ ଯତ୍ନର ବର୍ଗୀକରଣ କରାଯିବ । ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଶିଶୁ, କିଶୋର ତଥା ଉଚ୍ଚଶିକ୍ଷା ଅଧ୍ୟୟନରତ ଯୁବପିଢ଼ିଙ୍କ ‘ମାନସିକ ସୁସ୍ଥତା’ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଏସଓପିକୁ ଜାରି କରିଛନ୍ତି ।

ଛାତ୍ରଛାତ୍ରୀମାନଙ୍କ ଉପରୁ ପରୀକ୍ଷା ଚାପ କମାଇବା ପାଇଁ ୨୫ ମିନିଟ୍ ପାଠପଢ଼ା ପରେ ୫ ମିନିଟ୍ ବିରତି, ଗଭୀର ଶ୍ୱାସକ୍ରିୟା ଓ ନିୟମିତ ଶୋଇବା ଅଭ୍ୟାସ ଶିକ୍ଷା ଦେବାକୁ ଏସଓପିରେ ପରାମର୍ଶ ଦିଆଯାଇଛି । ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଘରଠାରୁ ଦୂରରେ ରହିବା, ରାଗିଂ, ଭେଦଭାବ, ସମ୍ପର୍କରେ ବିଫଳତା ଓ ନିଶା ସେବନ ଭଳି ଜଟିଳତା ଦୂର କରିବାକୁ ପ୍ରତ୍ୟେକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏକ ପୂର୍ଣ୍ଣାଙ୍ଗ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ କୁହାଯାଇଛି । ଏସଓପିରେ ପିଲାମାନଙ୍କ ନିୟମିତ ମାନସିକ ସ୍ୱାସ୍ଥ୍ୟ ସଚେତନତା, ସମସ୍ୟା ଚିହ୍ନଟ ଓ ପ୍ରତିକ୍ରିୟା, ନିରୀକ୍ଷଣ ତଥା ରିପୋର୍ଟ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ‘ଅପରେସନାଲ୍ ଗାଇଡଲାଇନ ଅନ୍ ମେଣ୍ଟାଲ୍ ହେଲଥ୍ ଆଣ୍ଡ ୱେଲ-ବିଙ୍ଗ ଅଫ୍ ଚିଲଡ୍ରେନ୍, ଆଡୋଲେସେଣ୍ଟସ ଆଣ୍ଡ ୟଙ୍ଗ ଆଡଲ୍ଟସ୍’ ଶୀର୍ଷକ ରିପୋର୍ଟକୁ ଆଧାର କରି ଏହି ଏସଓପି ଜାରି କରାଯାଇଛି । ଆଶା କରାଯାଉଛି ଏହାଦ୍ବାରା ବହୁ ପିଲାଙ୍କୁ ବେଳଥାଉ ଥାଉ ଉଚିତ ଭାବେ ଗଢ଼ିହେବ।