ଭୁବନେଶ୍ବର: ସାମ୍ପ୍ରତିକ ପଶ୍ଚିମ ଏସିଆ ସଙ୍କଟ କାରଣରୁ ଦେଖାଦେଇଥିବା ତୈଳ ସମସ୍ୟାର ମୁକାବିଲା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ନୂଆ ନିଷ୍ପତ୍ତିରେ ସରକାରୀ ଅଧିକାରୀଙ୍କ ସ୍ୱତନ୍ତ୍ର କାର୍ ଉପରେ କଟକଣା ଲଗାଯାଇଛି। ଏହାସହ ଅଧିକାରୀଙ୍କୁ କାର୍ ଶେୟାର କରି କାର୍ଯ୍ୟାଳୟ ଆସିବା ଭଳି ନିଷ୍ପତ୍ତି ନିଆଯାଇଛି।

ଜାରି ବିଜ୍ଞପ୍ତି ଅନୁସାରେ, ଏଣିକି ସବୁ ସରକାରୀ ଅଧିକାରୀଙ୍କୁ ମିଳିବ ନାହିଁ ସ୍ୱତନ୍ତ୍ର କାର୍ । କେବଳ ସ୍ୱତନ୍ତ୍ର ଶାସନ ସଚିବ ଏବଂ ତା’ଠାରୁ ଉପର ପାହ୍ୟାର ବରିଷ୍ଠ ଅଧିକାରୀମାନେ ହିଁ ସରକାରୀ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଗାଡ଼ି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ସେହିପରି ଚଳିତ ଜୁନ୍ ମାସ ପହିଲାରୁ ଯେଉଁମାନେ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି, ସେମାନେ ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ଗାଡ଼ି ପାଇବେ ନାହିଁ । ଏହି ପଦବୀରେ ୩ ବର୍ଷର ସେବା ସମ୍ପୂର୍ଣ୍ଣ କରିବା ପରେ ହିଁ ସେମାନଙ୍କୁ ସ୍ୱତନ୍ତ୍ର ଗାଡ଼ି ମିଳିବ, ସେପର୍ଯ୍ୟନ୍ତ ସେମାନେ ‘ପୁଲ୍’ ଗାଡ଼ି ବ୍ୟବହାର କରିବେ। ଏହି ଭେଇକିଲ ସେୟାରିଂ ବା 'ପୁଲ' ଗାଡ଼ି ସରକାର ଯୋଗାଇବେ। ତେବେ ମେ' ୩୧ ସୁଦ୍ଧା ଗାଡ଼ି ପାଇସାରିଥିବା ଅଧିକାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ।

Also Read: ନୀତି ଆୟୋଗ ଶାସନ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିକାଶ ରୋଡମ୍ୟାପ୍, କହିଲେ- ତ୍ବରିତ ବିକାଶ ପଥରେ ଆଗଉଛି ଓଡ଼ିଶା

ଖାଲି ସେତିକି ନୁହେଁ, ବିଭିନ୍ନ ପ୍ରଶାସନିକ ବିଭାଗରେ ଥିବା ଅନୁଶାସନ ସଚିବଙ୍କଠାରୁ ଆରମ୍ଭ କରି ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀମାନଙ୍କୁ ମଧ୍ୟ ପୁଲ୍ ଭିତ୍ତିରେ ଗାଡ଼ି ଯୋଗାଇ ଦିଆଯିବ । ଗୋଟିଏ ଗାଡ଼ିକୁ ଅତିକମରେ ୨ ରୁ ୩ ଜଣ ଅଧିକାରୀ ମିଳିତ ଭାବେ ବ୍ୟବହାର କରିବେ । ଏଥିପାଇଁ ପଦବୀ ନିର୍ବିଶେଷରେ ସେମାନଙ୍କ ଦରମାରୁ ମାସିକ ୧,୬୮୦ ଟଙ୍କା କଟାଯିବ ।

ଦୂର ସ୍ଥାନକୁ ବସ କିମ୍ବା ଟ୍ରେନରେ ଯିବେ ସରକାରୀ ଅଧିକାରୀ

ସେହିଭଳି ରାଜ୍ୟ ଭିତରେ କୌଣସି ଦୂର ସ୍ଥାନକୁ ସରକାରୀ ଗସ୍ତରେ ଯିବା ସମୟରେ ଅଧିକାରୀମାନେ ସରକାରୀ ଗାଡ଼ି ବଦଳରେ ଯଥାସମ୍ଭବ ବସ୍ କିମ୍ବା ଟ୍ରେନରେ ଯାତ୍ରା କରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି। ରାଜ୍ୟର ସମସ୍ତ ସରକାରୀ ସଂସ୍ଥା, ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ଏହି କଟକଣା ସମାନ ଭାବେ ଲାଗୁ ହେବ।