ଭୁବନେଶ୍ୱର: କେବଳ ଆଶ୍ଵାସନା ଦେଲେ ହେବନାହିଁ। ସରକାର ପ୍ରତିଶ୍ରୁତି ପାଳନ କରନ୍ତୁ। ନହେଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର ଓଡ଼ିଶା ମେଡିକାଲ ସେବା ସଂଘ। ସେମାନଙ୍କ ଦାବି ଉପରେ ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ପୂର୍ବ ଆନ୍ଦୋଳନ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ ଡାକ୍ତରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ।

ଓମ୍ସା ପକ୍ଷରୁ କୁହାଯାଇଛି ଯେ କେବିକେ ଅଞ୍ଚଳରେ ୫ବର୍ଷର ସେବା ପୂରଣ କରିଥିବା ଡାକ୍ତରଙ୍କୁ ନିଜ ପସନ୍ଦର ସ୍ଥାନକୁ ବଦଳି କରିବା ପାଇଁ ରାଜ୍ୟ ସରକାରଙ୍କ ନିଜସ୍ବ ନୀତି ରହିଛି। ଚଳିତବର୍ଷ ଜାନୁଆରି ମାସରେ ବଦଳି ପୋର୍ଟାଲରେ ଏଥିପାଇଁ ଡାକ୍ତରଙ୍କ ପସନ୍ଦର ସ୍ଥାନ ନିଆଯାଇଥିଲା। ହେଲେ ୮ ମାସ ପରେ ମଧ୍ୟ ବଦଳି ଆଦେଶ ଜାରି ନ ହେବା ଦୁଃଖଦାୟକା

ସମ୍ପୃକ୍ତ ଫାଇଲ୍ ପ୍ରାୟ ୭ ମାସ ଧରି ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସ୍ତରରେ ଅଟକି ରହିଛି। କଠିନ ଓ ଦୁର୍ଗମ ଅଞ୍ଚଳରେ ରୋଗୀ ସେବା ଯୋଗାଉଥିବା ଡାକ୍ତରଙ୍କ କ୍ଷେତ୍ରରେ କୌଣସି ଅନୁଗ୍ରହ ନୁହେଁ ବରଂ ଅଧିକାର ଓ ସରକାରଙ୍କ ନୀତି କାର୍ଯ୍ୟକାରୀ ହେବା ଉଚିତ୍। ସେହିପରି ଗତ ଜୁଲାଇ ମାସରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ଓମ୍ସାର ହୋଇଥିବା ଆଲୋଚନା ସମୟରେ ଯେଉଁ ପ୍ରତିଶ୍ରୁତି ମଳିଥିଲା ତାହା ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ।

ଏହାସହ ସେହିମାସ ୨୨ତାରିଖରେ ଓମ୍ସାର ଦାବି ଉପରେ ସଚିବସ୍ତରୀୟ କମିଟି ବୈଠକ ବସିଥିଲା ହେଲେ ଆଜି ପର୍ଯ୍ୟନ୍ତ ଆବଶ୍ୟକ ବିଜ୍ଞପ୍ତି ଜାରି ହୋଇନାହିଁ। ଅକ୍ଟୋବର ଶେଷସୁଦ୍ଧା କେବିକେ ଡାକ୍ତରଙ୍କ ବଦଳି ସମେତ ସମସ୍ତ ବିଚାରାଧୀନ ଦାବି ଉପରେ ତୁରନ୍ତ ନିଷ୍ପତ୍ତା ଓ ଆବଶ୍ୟକ ବିଜ୍ଞପ୍ତି ଜାରି କରାଯାଉ ଡାକ୍ତରମାନେ ବାରମ୍ବାର ଆଲୋଚନା ଓ ସମାଧାନର ପଥକୁ ବାଛିଛନ୍ତି କିନ୍ତୁ ଆଶ୍ବାସନା ପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଆଉ ଗ୍ରହଣଯୋଗ୍ୟ ନୁହେଁ ।

also read- ରେକର୍ଡ ଭାଙ୍ଗିଲା ଶରତ, ଦିନରେ ଖରାଦିନ ଭଳି ଗରମ, ରାତିରେ ଦେହରୁ ବାହାରୁଛି ଝାଳ

ଉଲ୍ଲେଖ ଯେ ଚଳିତବର୍ଷ ଆରମ୍ଭରୁ ବିଭିନ୍ନ ଦଫା ଦାବି ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ୨ଘଣ୍ଟା ଓପିଡି ବନ୍ଦ କରି ପ୍ରତିବାଦ କରିଥିଲେ । ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଥିଲେ | ପ୍ରତିଶ୍ରୁତି ପାଳନ ନ ହେବା କାରଣରୁ ପୁନର୍ବାର ଜୁଲାଇ ମାସରେ ଆନ୍ଦୋଳନ କରିଥିଲେ | ଏହାପରେ ବିଭିନ୍ନ ସ୍ତରରେ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ।