ଭୁବନେଶ୍ୱର, ୦୬/୧୦: ଗ୍ରୀଷ୍ମ ଯାଇ ବର୍ଷା ସରିଲାଣି। ଇଏ କ'ଣ?ଦିନରେ ଅସହ୍ୟ ତାତି ! ଏଇଟା ଅକ୍ଟୋବର ନା ମାର୍ଚ୍ଚ ମାସ?ଏତେ ଟାଇଁଟାଇଁ ଖରା ଯେ ଦେହ ମୁଣ୍ଡ ଝାଇଁ ଝାଇଁ କରି ଦେଉଛି। ଖାଲି ଦିନ ନୁହେଁ,ରାତି ବି ଥଣ୍ଡା ପଡୁନି । ନା’କୁ କେବଳ ଶରତ,ଗ୍ରୀଷ୍ମ ଜ୍ବାଳା ଯାଉନି।

ବିଶେଷଜ୍ଞଙ୍କ ମତ,ସୁପର ଏଲ୍- ନିନୋ ପ୍ରକୋପ ଏଥର ଶୀତକୁ ହଜାଇ ଦେବ। ଅକ୍ଟୋବରରୁ ଝଲକ ଦେଖାଇଲାଣି। ଆଗକୁ ସ୍ଥିତି ଆହୁରି ଅସ୍ବାଭାବିକ ହେବ। ଅକ୍ଟୋବରରେ ବର୍ଷା ପୂରା ଗାଏବ ହୋଇଯାଇଛି। ରେକର୍ଡ ଭାଙ୍ଗୁଛି ଦିନ ତାପମାତ୍ରା। ସ୍ବାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ୍ ଉପରେ। ରାତିରେ ବି ନିସ୍ତାର ନାହିଁ । ଅସ୍ବାଭାବିକ ଗରମରେ ସନ୍ତୁଳି ହେଉଛି ଜନଜୀବନ।

Also Read :- Horoscope Today : ଅକ୍ଟୋବର ୦୬ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ପ୍ରାୟତଃ ତାପମାତ୍ରା ୩୫-୩୬ ଡିଗ୍ରୀ ସେଲସିୟସ୍ ଉପରେ। ଉପକୂଳ ଓଡ଼ିଶାରେ ଅସ୍ଵାଭାବିକ ଗରମ। ସବୁଠାରୁ ଆନନ୍ଦଦାୟକ ହାଲୁକା ଶୀତୁଆ ଋତୁ ଶରତକୁ ଯେମିତି ମାଡ଼ି ଆସିଛି ଅଦିନିଆ ଗ୍ରୀଷ୍ମ। ନୟାନ୍ତ କଲାଣି ଡହଡହ ଖରା । ପୁରୀରେ ସୋମ ବାର ଦିନ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍ ଥିଲା। ସ୍ବାଭାବିକଠାରୁ ୪.୧ ଡିଗ୍ରୀ ଅଧିକ। ଅର୍ଥାତ୍ ଦିନ ତାପମାତ୍ରା ୩୨ ଡିଗ୍ରୀ ପାଖାପାଖି ରହିବା କଥା। ପାରାଦୀପରେ ପାରଦ ୩୬.୫ ଡିଗ୍ରୀ ଛୁଇଁଲା। ସ୍ବାଭାବିକ ତୁଳନାରେ ୪.୩ ଡିଗ୍ରୀ ଅଧିକ। ଭୁବନେଶ୍ଵର ତାପମାତ୍ରା ରହିବା କଥା ୩୨.୩ ଡିଗ୍ରୀ ଭିତରେ। ଚାନ୍ଦବାଲି ତାପମାତ୍ରା ବି ୩୫.୮ ଡିଗ୍ରୀ ଥିଲା। ପ୍ରାୟ ୧୨ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଟପିଥିଲା।

ଚିନ୍ତାର ବିଷୟ ହେଲା,ଏଥର ରେକର୍ଡ ଭାଙ୍ଗିଲାଣି ଅକ୍ଟୋବର ମାସ ତାତି। ପୁରୀ ଓ ପାରାଦୀପରେ ଆଜିର ତାରିଖରେ ଅକ୍ଟୋବର ମାସର ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ୧୮୯୬ରୁ ୨୦୨୬ ଭିତରେ ଦ୍ବିତୀୟ ଥର ପାଇଁ ପୁରୀ ଏତେ ଉତ୍ତପ୍ତ ଅନୁଭୂତ ହୋଇଛି। ୨୦୨୪ ଅକ୍ଟୋବର ୧ରେ ପୁରୀର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ଥିଲା,ଏ ବର୍ଷ ୩୬.୬ ଡିଗ୍ରୀ ଛୁଇଁଛି। ସେହିପରି ୨୦୨୪ ଅକ୍ଟୋବର ୪ ତାରିଖରେ ପାରାଦୀପ ତାପମାତ୍ରା ୩୬.୭ ଡିଗ୍ରୀ ଥିଲା । ଏହା ପାରାଦୀପ ପାଇଁ ସର୍ବକାଳୀନ ଅକ୍ଟୋବର ତାତି। ୨୦୨୩ରେ ଏଲ୍-ନିନୋ ପ୍ରଭାବ ରହିଥିବାବେଳେ ୨୦୨୪ ପ୍ରଚଣ୍ଡ ଉଷ୍ମ ରହିଥିଲା। ବର୍ତ୍ତମାନ ଏଲ୍ - ନିନୋର ଚରମ ପ୍ରଭାବ ରହିଥିବାବେଳେ ଆଗକୁ ପରିବେଶ ଆହୁରି ତାତିବା ଆଶଙ୍କା ରହିଛି।

ସକାଳୁ ହିଁ ଖରା ପ୍ରକୋପ ବଢ଼ିଯାଉଛି। ଦିନ ତମାମ ଖରା ଲାଗି ରହୁଛି। ବିଶେଷଜ୍ଞଙ୍କ କହିବାନୁସାରେ ବର୍ତ୍ତମାନ ଆକାଶ ମେଘମୁକ୍ତ। ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ କେବଳ ସକାଳ ଓ ସନ୍ଧ୍ୟାରେ ରହୁଛି। ମାତ୍ର ଖରା ବଢ଼ିବା ସହ ଜଳୀୟବାଷ୍ପ ରହୁନି। ସମୁଦ୍ରରୁ ପବନ ଆଦୌ ପ୍ରବାହିତ ହେଉନି। ତେଣୁ ଅସ୍ବାଭାବିକ ଭାବେ ଭାଦ୍ରବ ମାସର ପାଣି ଖରା ଭଳି ଖରା ନକେଦମ କରୁଛି।

ଚିନ୍ତାର ବିଷୟ ହେଲା,ରାତିରେ ବି ବିଶେଷ ଆରାମ ମିଳୁନାହିଁ । ଏପରିକି ସହରୀ ଅଞ୍ଚଳରେ ବିନା ଏସିରେ ରାତିରେ ଘର ଭିତରେ ଶୋଇବା କଷ୍ଟକର ହୋଇ ପଡ଼ୁଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୨ରୁ ୨୬ ଡିଗ୍ରୀ ସେଲସିୟସ୍ ଭିତରେ ରହୁଛି। କେବଳ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଛି। ପାଣିପାଗ ବିଜ୍ଞାନୀ କହିଛନ୍ତି,ଓଡ଼ିଶାରୁ ମୌସୁମୀ ଏକପ୍ରକାର ବିଦାୟ ନେଇ ସାରିଲେଣି। ମୌସୁମୀ ବର୍ଷା ଆଉ ନାହିଁ । କେବଳ ପାର୍ଶ୍ବବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗରେ କିଛି ବର୍ଷା ହୋଇଥିବାରୁ ମୌସୁମୀ ବିଦାୟ ଘୋଷଣା ବାକି ଅଛି।

ଅନୁମାନ କରାଯାଉଛି,ଏବେ ବଡ଼ ବର୍ଷା ନାହିଁ। ତଥାପି ୨-୩ ଦିନ ପରେ ତାପମାତ୍ରା ସାମାନ୍ୟ କମିପାରେ। ଟ୍ରଫଲାଇନ ଯୋଗୁ ପୂର୍ବ ପଟୁ ପବନ ପ୍ରବାହ ହୋଇପାରେ। ଏହାଫଳରେ ଆକାଶ ଆଂଶିକ ମେଘୁଆ ହେବା ସହ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।