ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ବୈତରଣୀରେ ଜଳସ୍ତର କମୁଥିଲେ ବି ବିପଦ କମିନାହିଁ। ଏପଟେ ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ଏକାଧିକ ପ୍ରମୁଖ ଘାଇ ସୃଷ୍ଟି ହୋଇ ପ୍ରଳୟଙ୍କରୀ ସ୍ଥିତି ଉପୁଜାଇଛି। ଦଶରଥପୁର, ବରୀ, ରସୁଲପୁର ଓ ଧର୍ମଶାଳା ବ୍ଲକର ଶତାଧିକ ଗାଁ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ। ବାଙ୍କସାହି, ଚନ୍ଦନପୁର, ଅରୁଆଳ, ଟିକରପଡ଼ା, ବନ୍ଧଡ଼ିହ ଓ ଡୋଭାବିଲ ପାଟଣା ନିକଟରେ ବଡ଼ ବଡ଼ ଘାଇ ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ।

ଯାଜପୁରରେ ବୈତରଣୀରେ କମିଛି ବନ୍ୟାଜଳ, ହେଲେ କମିନି ବିପଦ। ବୈତରଣୀ ଓ କାଣୀ ପରେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଆସିଛି ବନ୍ୟା। ଯାହାର ପ୍ରଭାବରେ ଜିଲ୍ଲାର ବହୁ ଅଞ୍ଚଳ ଏବେ ଜଳବନ୍ଦୀ। ଗୋଟିଏ ପଟେ କାଣୀ ନଦୀରେ ଘାଇ ସୃଷ୍ଟି ହୋଇ ଦଶରଥପୁର ବ୍ଲକରେ ବିପର୍ଯ୍ୟୟ ବଢ଼ିଥିବା ବେଳେ, ଅନ୍ୟପଟେ ବ୍ରାହ୍ମଣୀରେ ବାଙ୍କସାହି, ଚନ୍ଦନପୁର ଓ ଅରୁଆଳରେ ବଡ଼ ଘାଇ ସୃଷ୍ଟି ହୋଇ ବରୀ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି।

ସେହିପରି ଖରସ୍ରୋତା ନଦୀରେ ଟିକରପଡା ଓ ବନ୍ଧଡ଼ିହରେ ଘାଇ ସୃଷ୍ଟି ହୋଇ ରସୁଲପୁର ଓ ଧର୍ମଶାଳାବାସୀଙ୍କ ଚିନ୍ତା ବଢିଛି। ଦଶରଥପୁର ବ୍ଲକ ଡୋଭାବିଲ ପାଟଣା ନିକଟରେ କାଣୀ ନଦୀରେ ଘାଇ ସୃଷ୍ଟି ହେବା ପରେ ବନ୍ୟା ସ୍ଥିତି ଆହୁରି ସଙ୍କଟଜନକ ହୋଇଛି। ସରକାରୀ ଭାବେ ଏଠାରେ ୧୯ଟି ପଞ୍ଚାୟତର ୫୬ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୮୬ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି। ସେହିପରି ବରୀ ବ୍ଲକ ବାଙ୍କସାହି ନିକଟରେ ବ୍ରାହ୍ମଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ଏବେ ୩୦୦ ଫୁଟରୁ ଅଧିକ ପ୍ରସ୍ଥରେ ପହଞ୍ଚିଛି। ଏହାର ପ୍ରଭାବରେ ୮ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇପଡ଼ିଛି। ସଡ଼କ ସଂଯୋଗ ବିଚ୍ଛିନ୍ନ ହେବା ସହ ଲୋକଙ୍କ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି।

ସେହିପରି ଅଟିରା ପଞ୍ଚାୟତ ଅରୁଆଳ ଠାରେ ମଧ୍ୟ ପ୍ରାୟ ୧୦୦ ଫୁଟର ଘାଇ ସୃଷ୍ଟି ହୋଇ ୫ଟି ପଞ୍ଚାୟତର ଏକାଧିକ ଗାଁ ଜଳବନ୍ଦୀ ହୋଇଛି। ସେହିପରି ବରୀର ଚନ୍ଦନପୁରରେ ମଧ୍ୟ ଆଉ ଏକ ଘାଇ। ବ୍ରାହ୍ମଣୀ ଶାଖା ଖରସ୍ରୋତରେ ଟିକରପଡା ଓ ବନ୍ଧଡିହରେ ମଧ୍ୟ ଦୁଇଟି ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଏକାବେଳକେ ବରୀ ଏବଂ ରସୁଲପୁର ବ୍ଲକର ୫ଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ପରିସ୍ଥିତି ଜଟିଳ ହୋଇଛି।

also read- ବନ୍ୟା ଡ଼ର ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର, ମୁଣ୍ଡଳୀ ଠାରେ କମୁଛି ଜଳସ୍ତର, ତଥାପି ଟଳିବନି ବିପଦ

ଜିଲ୍ଲାରେ ବନ୍ୟା ଦ୍ଵାରା ସ୍ଥିତି ଉପୁଜିବା ଫଳରେ ଜିଲ୍ଲାର ୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏହା ସହ ଶହେଟି ଗ୍ରାମପଞ୍ଚାୟତର ୨୫୦ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ମୁକାବିଲା କରିବା ପାଇଁ ପୁରା ପ୍ରଶାସନ ପ୍ରସ୍ତୁତ ରହିଛି। କିପରି ଲୋକେ ଅସୁବିଧାରେ ନା ପଡ଼ିବେ କି ଭୟଭୀତ ନହେବ ସେ ଦିଗରେ ମଧ୍ୟ ନଜର ଦିଆଯାଉଛି।

ଏଭଳି ସମୟରେ କେହି ପାଣି ଭିତରକୁ ନ ଯାଇ ଉଚ୍ଚା ସ୍ଥାନ ସ୍କୁଲ ଘର, ଅଙ୍ଗନବାଡ଼ି କେନ୍ଦ୍ରକୁ ପଲେଇଯିବକୁ କହିଛନ୍ତି ଯାଜପୁର ଜିଲ୍ଲା ଦାୟିତ୍ୱରେ ଥିବା IAS ପି ଅନ୍ୱେଷା ରେଡ୍ଡୀ । ବୁଢ଼ା ନଦୀରରେ ବନ୍ୟା ଆସିବା ଦ୍ୱାରା ମାର୍କେଟରୁ ଘରକୁ ଫେରୁଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ନିଖୋଜ ଥିବା ସଇପୁର ମୁଗୁଡ଼ି ଅଞ୍ଚଳର ଅଜୟ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି।