ଭୁବନେଶ୍ୱର: ବନ୍ୟା ସ୍ଥିତି ମଧ୍ୟରେ ଆସୁଛି ଆଶ୍ୱସ୍ତିକର ଖବର। ମୁଣ୍ଡଳୀ ଠାରେ କମୁଛି ଜଳ ସ୍ତର। ସକାଳ ୬ ରେ ପ୍ରବାହିତ ହେଉଥିଲା ୮ ଲକ୍ଷ ୭୩ ହଜାର କ୍ୟୁସେକ। କିନ୍ତୁ ଏବେ ଅର୍ଥାତ ସକାଳ ୭ଟାରେ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି।

ସାଳନ୍ଦୀ, ବୈତରଣୀ ଓ ଜଳକା ପରେ ଏବେ ମହାନଦୀରେ ଆସିବାକୁ ଯାଉଛି ମଧ୍ୟମ ଧରଣର ବନ୍ୟା। ମୁଣ୍ଡଳୀ ନିକଟରେ ୮ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀର ବିଭିନ୍ନ ଶାଖା ନଦୀରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ ହୋଇଛି। ଏହାର ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର ବାଙ୍କୀ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଅଭିଜ୍ଞ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ବର୍ଷା ପରେ ବନ୍ୟା ପରିସ୍ଥିତି ସ୍ଥିତିକୁ ଆହୁରି ବେହାଲ କରିଛି। ଅନେକ ଜିଲ୍ଲାରେ ଜଳବନ୍ଦୀ ପରସ୍ଥିତି ଉପୁଜିଥିବା ବେଳେ, ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେପଟେ ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆହୁରି ୫ ଦିନ ଯାଏ ପ୍ରବଳ ବର୍ଷା ହେବା ନେଇ ଅନୁମାନ ରହିଛି। ଏମିତିରେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ, ସ୍ଥିତି ଉପରେ ନଜର ରଖିଛି।

ତେବେ ଏହାରି ମଧ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବନ୍ୟାସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷା ଓ ବନ୍ୟାରେ ଓଡ଼ିଶାର୨୦ ଜିଲ୍ଲାର ପ୍ରାୟ ୧୧ ବ୍ଲକ୍ ପ୍ରଭାବିତ ହୋଇଛନ୍ତି। ସେହିଭଳି ୫୩୯ ପଞ୍ଚାୟତର ୧୪୫୮ ଗାଁ ପ୍ରଭାବିତ ହୋଇଥିବା ସୂଚନା ଦିଆଯାଇଛି।

also read- ରବିବାରଠୁ ବଢିବ ବର୍ଷା : ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ଛେଚିବ !

ବନ୍ୟାସ୍ଥିତିର ମୁକାବିଲା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧୪୫୮ ଗାଁ ପ୍ରଭାବିତ ହୋଇଛି। ୭ ଲକ୍ଷ ୫ ହଜାର ଲୋକେ ପ୍ରଭାବିତ ହୋଇଥିବା ବେଳେ, ୧ ଲକ୍ଷ ୮୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ପ୍ରଭାବିତଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ୫୨୦ ରିଲିଫ୍ କେନ୍ଦ୍ର କରାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟା ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି।