ଭୁବନେଶ୍ୱର: ଚାଷୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ରାଜ୍ୟରେ ରବି ଧାନ କିଣା ଅବଧିକୁ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଯୋଗାଣ ବିଭାଗ। ରାଜ୍ୟର ୫ଟି ଜିଲ୍ଲାରେ ଏବେ ବି ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ସମସ୍ତଙ୍କର ଧାନ ଉଠାଯିବ ଏବଂ ଆଗକୁ ଆଉ ଅବଧି ବଢ଼ାଇବାର ଆବଶ୍ୟକତା ପଡ଼ିବ ନାହିଁ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ନୂଆପଡ଼ା, ବାଲେଶ୍ୱର ସମେତ ଆଉ ୩ଟି ଜିଲ୍ଲାର ମଣ୍ଡିରେ ଏବେ ବି ଧାନ ପଡ଼ି ରହିଛି। ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ଧାନ କିଣା ସମୟ ସୀମାକୁ ୩ ତାରିଖ ଯାଏଁ ବଢ଼ାଯାଇଛି।

ସେ ଆହୁରି କହିଛନ୍ତି- ଚଳିତ ରବି ଋତୁରେ ଏପର୍ଯ୍ୟନ୍ତ ୩ ଲକ୍ଷ ୩୬ ହଜାର ୫୨ ଜଣ କୃଷକଙ୍କଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍ ଧାନ ସୁରୁଖୁରୁରେ କିଣାସରିଛି। ଚଳିତ ବର୍ଷ ସରକାର ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ କରିଥିଲେ, ଯାହା ଆଗାମୀ ୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଯିବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

ଧାନ କିଣା ପ୍ରକ୍ରିୟାକୁ ନେଇ ବିରୋଧୀ ବିଜେଡିର ଦାବି ଓ ସମାଲୋଚନା ଉପରେ କଡ଼ା ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ସେ କହିଛନ୍ତି, "ବିଜେଡି ଚାଷୀଙ୍କ ପାଇଁ ନୁହେଁ, କେବଳ ନିଜ ସ୍ୱାର୍ଥ ପାଇଁ ରାଜନୀତି କରୁଛି। ପୂର୍ବ ସରକାର ସମୟରେ ମଣ୍ଡି ଶୃଙ୍ଖଳିତ ନଥିଲା, ଯାହାଫଳରେ ଚାଷୀଙ୍କର ପ୍ରାୟ ୪ ଲକ୍ଷ ଟୋକନ ଲାପ୍ସ ହୋଇଯାଉଥିଲା। ସେତେବେଳେ କୃଷକ ଆତ୍ମହତ୍ୟା କଲେ ବି ସରକାରଙ୍କୁ କିଛି ଫରକ ପଡ଼ୁନଥିଲା କି ସେମାନେ କୃଷକଙ୍କୁ ୧୦୦ ଟଙ୍କାର ବୋନସ ମଧ୍ୟ ଦେଉନଥିଲେ।"

ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ବର୍ତ୍ତମାନର ସରକାର ଶାସନକୁ ଆସିବା ପରେ ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯାଉଛି ଏବଂ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଅତି ସ୍ୱଚ୍ଛ ଓ ସୁରୁଖୁରୁରେ ଚାଲିଛି।