କଟକ ୧୩।୦୮ : ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରିବନି ଡିଜିପି ନିଯୁକ୍ତି । ମାମଲାର ଶୁଣାଣି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । UPSC ୧୮ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବନି କହିଲେ ସୁପ୍ରିମକୋର୍ଟ । ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ସାମାଜିକ କର୍ମୀ ଜୟନ୍ତ ଦାସ ଏହି PIL ଦାଖଲ କରିଛନ୍ତି । ଯାହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନୂଆ ଡିଜିପି ଚୟନ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଯେହେତୁ ବର୍ତ୍ତମାନର ଡିଜିପି ୱାଇ. ବି . ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ରେ ସରୁଛି ତା’ ପୂର୍ବରୁ ରାଜ୍ୟ ସରକାର ନୂଆ ଡିଜିପିଙ୍କ ନାଁ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଯଦି ରାଜ୍ୟ ସରକାର ଘୋଷଣା କରିଥିବା ନାଁ ଉପରେ ସୁପ୍ରିମକୋର୍ଟ କିଛି ଆପତ୍ତି ଉଠାନ୍ତି ତାହାଲେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଆଉ ଯଦି ଦୁଇ ବରିଷ୍ଠ ଆଇପିଏସ୍ ସଂଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ଭିତରୁ ଜଣଙ୍କୁ ଡିଜିପି ଦାୟିତ୍ବ ମିଳିଥିବ ଆଉ ସୁପ୍ରିମ କୋର୍ଟ ଏହା ଉପରେ ସହମତ ନହେବେ ତାହାଲେ ସରକାରଙ୍କ ପାଇଁ ବିକଳ୍ପ କଣ ହେବ। ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଲାଣି । 
ଗତ ସୋମବାର ୧୯୯୪ ବ୍ୟାଚର ଦୁଇ ବରିଷ୍ଠ IPS ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ରାଜ୍ୟ ସରକାର DG ପାହ୍ୟାକୁ ପଦୋନ୍ନତି ଦେବା ପରେ ରାଜ୍ୟ ପୋଲିସ ମୁଖିଆ ଚୟନ ପାଇଁ ବାଟ ଫିଟିଥିଲା । ପୂର୍ବରୁ ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍ ପି କୋଚେଙ୍କ ନାମ ଆଗରେ ଥିଲା । ପ୍ୟାନେଲରୁ ସୁଶାନ୍ତ ନାଥଙ୍କ ନାଁ ବାଦ୍ ପଡ଼ିବା ପରେ ସଞ୍ଜୀବ ପଣ୍ଡାଙ୍କ ନାଁ ଆଗକୁ ଆଣିଥିଲେ ସରକାର । ତେବେ ବରିଷ୍ଠତା ତାଲିକାରୁ ଜଣଙ୍କୁ ବାଦ୍ ଦେବା ଓ ଅନ୍ୟ ଜଣଙ୍କୁ ଯୋଡ଼ିବା ପାଇଁ ସରକାରୀସ୍ତରରେ କସରତ ଏବେ ନାଟକୀୟ ମୋଡ଼ ନେଇଛି ।