କଟକ: ଓସିଏ କର୍ମକର୍ତ୍ତା ନିର୍ବାଚନ ସଂକ୍ରାନ୍ତୀୟ ମାମଲା ଉପରେ ଗୁରୁବାର ହାଇକୋର୍ଟରେ ହୋଇଥିବା ଶୁଣାଣି ଅସମ୍ପୂର୍ଣ୍ଣ ରହିଛି। ଏହି ମାମଲାର ପୁନଃ ଶୁଣାଣି ଆସନ୍ତା ମଙ୍ଗଳବାର କରିବାକୁ ଧାର୍ଯ୍ୟ କରିଛନ୍ତି କୋର୍ଟ। ତେବେ ମାମଲାର ଅନ୍ୟତମ ପକ୍ଷ ତଥା OCA ସଭାପତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।

ସତ୍ୟପାଠରେ ସେ ଉଲ୍ଲେଖ କରିଛନ୍ତି ଯେ, ଓସିଏ ହେଉଛି ବିସିସିଆଇର ଏକ ଅନୁବନ୍ଧିତ ସଂଗଠନ। ତେଣୁ ବସିସିଆଇ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମ ବାହାରକୁ ଯାଇ ଓସିଏ କୌଣସି କାର୍ଯ୍ୟ କରିପାରିବ ନାହିଁ ଏବଂ ବିସିସିଆଇର ବାଇ ଲ’କୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇ ସାରିଛନ୍ତି। ଯାହା ଦ୍ୱାରା ସ୍ପଷ୍ଟ ହୋଇସାରିଛି ଯେ, ବିସିସିଆଇ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ସଂଗଠନ ନୁହେଁ କିମ୍ବା ଏହା ସରକାରଙ୍କ ଉପରେ ନିର୍ଭରଶୀଳ ମଧ୍ୟ ନୁହେଁ। ତେଣୁ ନ୍ୟାସନାଲ ସ୍ପୋର୍ଟ୍ସ ଗଭର୍ଣ୍ଣାନ୍ସ ଆକ୍ଟ ୨୦୨୫ ବିସିସିଆଇ ପାଇଁ ଲାଗୁ ହେବନାହିଁ ବୋଲି ନିଜ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି।

Also Read: କିଛି ବର୍ଷ ଭିତରେ ଶୁଖିଯିବ କଟକ, ସହରରେ ପାଣି ପାଇଁ ପଡ଼ିଯିବ ହାହାକାର, ଜିଓଲୋଜି ବିଭାଗର ଗବେଷଣାରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସତ୍ୟପାଠରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, OCA କର୍ମକର୍ତ୍ତା ନିର୍ବାଚନକୁ ଘଞ୍ଚାଇଦେବା ଲାଗି ଗତ ବର୍ଷ ଅଗଷ୍ଟ ମାସ ୩୧ ତାରିଖରେ ହୋଇଥିବା ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ପରେ ଭାରତ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନ୍ୟାସନାଲ ସ୍ପୋର୍ଟ୍ସ ଗଭର୍ଣ୍ଣାନ୍ସ ଆକ୍ଟ ୨୦୨୫ ଲାଗୁ ହୋଇଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ କ୍ରୀଡ଼ା ସଂଗଠନ ଗୁଡିକର କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟ ସାରିବାକୁ ସ୍ପୋର୍ଟ୍ସ ଗଭର୍ଣ୍ଣାନ୍ସ ଆକ୍ଟରେ ମଧ୍ୟ କୁହାଯାଇଛି। ତେଣୁ ଏସବୁକୁ ଧ୍ୟାନରେ ରଖି ଓସିଏ କର୍ମକର୍ତ୍ତା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିବା ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ସଭାପତି ପଙ୍କଜ ଲୋଚନ ମହାନ୍ତି।