କଟକ: କିଛି ବର୍ଷ ଭିତରେ ଶୁଖିଯିବ କଟକ । ମହାନଦୀ ଓ କାଠଯୋଡ଼ିରୁ ମନଇଚ୍ଛା ବାଲି ଖନନ, କଟକ ପାଇଁ ସୃଷ୍ଟି କରିବ ଭୟଙ୍କର ପାଣି ସମସ୍ୟା । ନଦୀ ଶଯ୍ୟାରୁ ଅନିୟନ୍ତ୍ରିତ ବାଲି ଖନନ ଯୋଗୁଁ ସହରର ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଯଦି ଏହି ପ୍ରକ୍ରିୟା ଜାରି ରୁହେ, ତାହେଲେ କିଛି ବର୍ଷ ଭିତରେ କଟକ ସହରରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବ । ରେଭେନ୍ସା ବିଶ୍ବବିଦ୍ୟାଳୟ ଜିଓଲୋଜି ବିଭାଗର ଏକ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ ।

ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେବେ ଲୋକେ

କିଛି ବର୍ଷ ଭିତରେ ଶୁଖିଯିବ କଟକ ! ସହରରେ ପାଣି ପାଇଁ ପଡ଼ିଯିବ ହାହାକାର ! ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେବେ ଲୋକେ ! ଏକଥା ଆମେ କହୁନୁ । ରେଭେନ୍ସା ବିଶ୍ବବିଦ୍ୟାଳୟ ଜିଓଲୋଜି ବିଭାଗର ଏକ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ । ମହାନଦୀ ଓ କାଠଯୋଡ଼ି ନଦୀରୁ ଅନିୟନ୍ତ୍ରିତ ବାଲି ଖନନ ହେଉଛି ଏହାର ମୁଖ୍ୟ କାରଣ । ନଦୀ ଶଯ୍ୟାରୁ ମନଇଚ୍ଛା ବାଲି ଖୋଳି ମୁନାଫା କମାଉଛନ୍ତି ବାଲି ମାଫିଆ । ଆଉ ଏଥି ପାଇଁ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଭୂତଳ ଜଳସ୍ତର ।ଗତ ୪ ବର୍ଷର ଗବେଷଣା ବେଳେ ଭୂତତ୍ତ୍ବ ବିଜ୍ଞାନୀମାନଙ୍କୁ ବାଲି ଖନନ ଓ ଜଳ ସଙ୍କଟକୁ ନେଇ ଏଭଳି ଚିନ୍ତାଜନକ ତଥ୍ୟ ମିଳିଛି ।

Also Read: ବଡ଼ ଖବର, ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

ବାଲି ଉଠାଣର ହେବ ଭୟଙ୍କର ପରିଣାମ

ସାଟେଲାଇଟ ଫଟୋ ଓ ତୃଣମୂଳ ସ୍ତରର ତଥ୍ୟରୁ ନଦୀରୁ ଅନିୟନ୍ତ୍ରିତ ବାଲି ଉଠାଣ କଟକ ସହରର ଭୂତଳ ଜଳସ୍ତରକୁ କ୍ରମଶଃ କମାଇ ଦେଉଥିବା ଗବେଷକମାନେ ସ୍ପଷ୍ଟ କରିଛନ୍ତି । ନଦୀ ଶଯ୍ୟାରେ ବାଲିର ପରିମାଣ କମିବାରୁ ନଦୀ ଜଳ ଭୂତଳକୁ ସଠିକ୍ ପରିମାଣରେ ଯାଉ ନାହିଁ । ଯଦି ଏଭଳି ଅବସ୍ଥା ଜାରି ରୁହେ, ତେବେ ଆଗାମୀ କିଛି ବର୍ଷ ଭିତରେ କଟକ ସହର ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଭୂବିଜ୍ଞାନୀ ।

ବହୁମୂଲ୍ୟ ଦେବେ କଟକବାସୀ

ଏଭଳି ଅନିୟନ୍ତ୍ରିତ ବାଲି ଖନନ ଜଳ ନଦୀର ଅସ୍ବାଭାବିକ ଗତି ପରିବର୍ତ୍ତନର କାରଣ ମଧ୍ୟ ହୋଇପାରେ । ଏଥି ସହ କଟକ ସହରକୁ ସୁରକ୍ଷା ଦେଉଥିବା ନଦୀ ବନ୍ଧ ପ୍ରତି ସିଧାସଳଖ ବିପଦ ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି ବୋଲି ଗବେଷକମାନେ କହିଛନ୍ତି । ଏଥି ସହ କଟକ ଆଖପାଖରେ ନିର୍ମିତ ନଦୀ ବନ୍ଧ ଓ ବ୍ୟାରେଜ୍ଗୁଡିକ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବ । ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ, ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ଜଳ ସମ୍ପଦ ବିଭାଗ ଏଭଳି ଗବେଷଣାର ରିପୋର୍ଟ ପ୍ରତି ଧ୍ୟାନ ଦେଇ ଅବସ୍ଥା ସୁଧାରିବାର ଆବଶ୍ୟକତା ରହିଛି। ନହେଲେ କଟକବାସୀଙ୍କୁ ଆଗାମୀ ଦିନରେ ବହୁ ମୂଲ୍ୟ ଦେବାକୁ ପଡିପାରେ ।

Also Read: ପ୍ରେମ-ବିବାହ-ବିବାଦ: ସିଲୁଙ୍କ ପାଇଁ ପାଲଟିଲା ଶେଷ ରାତ୍ରି, ପ୍ରେମିକକୁ ଜିଅନ୍ତା ଜାଳି ନୃଶଂସ ପାଲଟିଲା ପ୍ରେମିକାର ବାପା !