ଭୁବନେଶ୍ଵର: ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ | ଛାତ୍ର ଛାତ୍ରୀଙ୍କୁ ମିଳିଲା ନୂଆ ପାଠ୍ୟପୁସ୍ତକ | ପାଠ୍ୟପୁସ୍ତକରେ ତ୍ରୁଟି ନେଇ ବିବାଦ ଓ ଆପତ୍ତି ପରେ ଏବେ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି | ରାଜ୍ୟର ସମସ୍ତ ଜିଲ୍ଲାରେ ପାଠ୍ୟ ପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ | ଆବଶ୍ୟକୀୟ ସଂଶୋଧନ ଓ ପରିମାର୍ଜନ ପରେ ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚିବା ଆରମ୍ଭ କରିଛି |

ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠିଥିଲା ପ୍ରଶ୍ନ

ପର୍ଯ୍ୟାୟକ୍ରମେ ଏହି ବହିଗୁଡ଼ିକୁ ବିଦ୍ୟାଳୟଗୁଡ଼ିକରେ ବଣ୍ଟନ କରାଯାଉଛି | ପୂର୍ବରୁ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାର ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିଲା | ଏହାକୁ ଗୁରୁତ୍ୱ ଦେଇ ଆବଶ୍ୟକ ସ୍ଥାନରେ ସଂଶୋଧନ କରାଯାଇ ନୂଆ ସଂସ୍କରଣ ପ୍ରସ୍ତୁତ କରାଯାଇଛି | ଏବେ ନୂତନ ବହି ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କୁ ଏହା ବଣ୍ଟନ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ସେହିପରି ଭାବରେ ପୁନର୍ବାର ଯେପରି ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନରହେ, ସେଥିପାଇଁ ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସତର୍କତାର ସହ କରାଯାଇଥିବା କୁହାଯାଉଛି | ନୂଆ ପାଠ୍ୟପୁସ୍ତକ ମିଳିବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଥିବା ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

Also Read: ଓଡ଼ିଶାରେ ଶେଷ ହେଲା SIR: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, କଟିଲା ୨୦ ଲକ୍ଷରୁ ଅଧିକ ନାଁ

୧୬୭୮ରୁ ଅଧିକ ମିଳିଥିଲା ଭୁଲ

ଚଳିତ ନୂଆ ଶିକ୍ଷାବର୍ଷରେ ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ସ୍କୁଲ ପାଠ୍ୟ ପୁସ୍ତକରେ ହଜାର ହଜାର ଭୁଲ ନଜର ଆସିଥିଲା | ପାଖାପାଖି ୧୬୭୮ରୁ ଅଧିକ ଭୁଲ ଦେଖିବାକୁ ମିଳିଥିଲା | ଯାହା NEPକୁ ଆଧାର କରି ପ୍ରଥମ ଥର ପାଇଁ ସ୍କୁଲର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା | ବହିରେ ପରିବର୍ତ୍ତନ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ଡେରିରେ ପାଠ୍ୟ ପୁସ୍ତକ ମିଳିଥିଲା | ତେବେ କେଉଁଠି ବନାନ୍ ଭୁଲ୍ ରହିଛି ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ ରହିଥିବା ଭଳି ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା |

ଏପରିକି ଓଡ଼ିଶା ବିଧାନସଭାର ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ରକୁ ଦର୍ଶାଆଯାଇଥିଲା | ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ବୋଲି ଦର୍ଶାଯାଇଛି | ଏଭଳି ପାଖାପାଖି ୧୬୭୮ଟି ଭୁଲ୍ ଚିହ୍ନଟ କରାଯାଇଥିଲା | ତେବେ ବଡ ବିବାଦ ସୃଷ୍ଟି ହେବା ପରେ ଗଣଶିକ୍ଷା ବିଭାଗ ସଂଶୋଧନ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ତାଲିକା ପ୍ରସ୍ତୁତ କରିଥିଲା | ତେବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବରୁ ବହି ବଣ୍ଟନକୁ ସ୍ୱାଗତ କରିଛନ୍ତି ଶିକ୍ଷକ ସଂଘ।

Also ReadA: ଓଡ଼ିଶାରେ ଶେଷ ହେଲା SIR: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, କଟିଲା ୨୦ ଲକ୍ଷରୁ ଅଧିକ ନାଁ

୩ ଜଣ ସହକାରୀ ନିର୍ଦ୍ଦେଶକ ନିଲମ୍ବିତ

ପୁସ୍ତକ ତ୍ରୁଟି ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହିତ ନେଇଥିଲେ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା | କମିଟିର ରିପୋର୍ଟ ଆନୁସାରେ, SCERTର ପୂର୍ବତନ ନିର୍ଦ୍ଦେଶକ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା | ଏହା ସହିତ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।