ଭୁବନେଶ୍ୱର: ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଶେଷ  ହୋଇଛି । ଏହା  ପରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର. ଏସ. ଗୋପାଳନ ପ୍ରେସମିଟ୍‌ ଜରିଆରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ନୂତନ ତାଲିକା ଅନୁଯାୟୀ, ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି । ତେବେ ଯାଞ୍ଚ ପ୍ରକ୍ରିୟା ସମୟରେ ତାଲିକାରୁ ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି ।

୨୦ ଲକ୍ଷରୁ ଅଧିକ ଭୋଟର ବାଦ୍‌

ସିଇଓଙ୍କ ସୂଚନା ଅନୁଯାୟୀ, SIR ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ । ତେବେ ଡ୍ରାଫ୍ଟ ରୋଲ୍‌ ପୂର୍ବରୁ ୨୦,୧୨,୫୫୭ ଜଣ ଏବଂ ଡ୍ରାଫ୍ଟ ପରେ ୪୪,୭୭୭ ଜଣଙ୍କୁ ମିଶାଇ ସର୍ବମୋଟ ୨୦,୫୭,୩୩୪ ଜଣଙ୍କ ନାମ ବାଦ୍‌ ପଡ଼ିଛି ।

ବାଦ୍‌ ପଡ଼ିଥିବା ଭୋଟର

ମୃତ ଭୋଟର: ୮,୩୨,୫୪୪

ସ୍ଥାନାନ୍ତରିତ: ୮,୦୮,୨୦୫

ଅନୁପସ୍ଥିତ: ୧,୯୯,୨୪୯

ଡୁପ୍ଲିକେଟ୍‌ (ଦୁଇଟି ସ୍ଥାନରେ ନାମ): ୧,୫୮,୧୧୮

ଅନ୍ୟାନ୍ୟ କାରଣ: ୧୪,୪୪୧ ଜଣ ରହିଛନ୍ତି।

Also Read: ଚାଲିଛି ସର୍ବଦଳୀୟ ବୈଠକ, ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା

ଡ୍ରାଫ୍ଟରୁ ଫାଇନାଲ୍‌: ବୃଦ୍ଧି ପାଇଲେ ୨.୪୫ ଲକ୍ଷ ଭୋଟର

ଗତ ଜୁଲାଇ ୫, ୨୦୨୬ରେ ପ୍ରକାଶିତ ଡ୍ରାଫ୍ଟ ରୋଲ୍‌ରେ ଭୋଟର ସଂଖ୍ୟା ୩ କୋଟି ୧୩ ଲକ୍ଷ ୮୭ ହଜାର ୦୩୪ ଥିଲା । ଏହାପରେ ଆସିଥିବା ଦାବି ଓ ଆପତ୍ତିର ଶୁଣାଣି କରାଯାଇ ନୂତନ ଭାବେ ୨,୯୦,୪୯୭ ଜଣଙ୍କ ନାମ ଯୋଡ଼ାଯାଇଥିବା ବେଳେ ୪୪,୭୭୭ ଜଣଙ୍କ ନାମ କଟାଯାଇଥିଲା । ଫଳରେ ଡ୍ରାଫ୍ଟରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ନିଟ୍‌ ୨,୪୫,୭୨୦ ଜଣ ନୂଆ ଭୋଟର ବୃଦ୍ଧି ପାଇଛନ୍ତି ।

ଚୂଡ଼ାନ୍ତ ଭୋଟର ତାଲିକାର ପ୍ରମୁଖ ତଥ୍ୟ

ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ ରାଜ୍ୟର ଭୋଟର ସ୍ଥିତି ଏହିପରି ରହିଛି:

ମୋଟ ଭୋଟର: ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪

ପୁରୁଷ ଭୋଟର: ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯

ମହିଳା ଭୋଟର: ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧

ତୃତୀୟ ଲିଙ୍ଗୀ: ୨,୭୪

ସର୍ଭିସ ଭୋଟର: ୪୬,୮୧୬

ଲିଙ୍ଗ ଅନୁପାତ (Gender Ratio): ୯୬୧

ପୋଲିଂ ଷ୍ଟେସନ: ୪୫,୨୫୦ (ପୁନଃନିର୍ଦ୍ଧାରଣ ପରେ)

Also Read: ଉପନିର୍ବାଚନ ପୂର୍ବରୁ ECଙ୍କ ବଡ଼ ପଦକ୍ଷେପ, TMCର ନାମ-ଚିହ୍ନ ଉପରେ ଲାଗିଲା ରୋକ

ନୋଟିସ ଓ ଦାବି-ଆପତ୍ତି ଶୁଣାଣି

SIR ପ୍ରକ୍ରିୟା ସମୟରେ ଅନମ୍ୟାପ୍ଡ (୧୨,୯୮,୭୭୯) ଏବଂ ଲଜିକାଲ ଡିସକ୍ରେପାନ୍ସି (୪୫,୩୭,୬୧୩) ଆଧାରରେ ମୋଟ ୫୮,୩୬,୩୯୨ ଜଣଙ୍କୁ ନୋଟିସ ଜାରି କରାଯାଇଥିଲା । ଏହି ସମୟ ମଧ୍ୟରେ ୨,୫୫,୯୯୬ଟି ଦାବି ଓ ଆପତ୍ତି ମିଳିଥିଲା । ଶୁଣାଣି ପରେ ଫର୍ମ-୭ ଜରିଆରେ ୨୪,୦୭୦ ଜଣ ଅଯୋଗ୍ୟ ଚିହ୍ନଟ ହେବା ସହ ଜୁଲାଇ ୫ରୁ ଅଗଷ୍ଟ ୧୯ ମଧ୍ୟରେ ମୋଟ ୨୦,୭୦୭ ଜଣଙ୍କ ନାମ କଟାଯାଇଛି ।

ନାଁ ଯୋଡ଼ିବା ପ୍ରକ୍ରିୟା ଜାରି: ଅପିଲ୍‌ ପାଇଁ ସୁଯୋଗ

ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲେ ହେଁ ନାଁ ଯୋଡ଼ିବା, ସଂଶୋଧନ ଓ ବାଦ୍‌ ଦେବା କାର୍ଯ୍ୟ ନିରନ୍ତର ଚାଲୁରହିବ। ନୂଆ ନାଁ ଯୋଡ଼ିବା ପାଇଁ ଫର୍ମ-୬/୬A ରହିଛି ।  ନାଁ କାଟିବା ପାଇଁ ଫର୍ମ-୭ ମିଳିବ।ବିବରଣୀ ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର କରିପାରିବେ । ଯଦି କୌଣସି ନାଗରିକ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ERO)ଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ପ୍ରଥମ ଆପିଲ୍‌ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)/ଜିଲ୍ଲାପାଳଙ୍କ ନିକଟରେ କରିପାରିବେ । ସେଠାରେ ସମାଧାନ ନହେଲେ ଦ୍ୱିତୀୟ ଆପିଲ୍‌ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ କରାଯାଇପାରିବ ।