ଭୁବନେଶ୍ୱର: ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଶେଷ  ହୋଇଛି। ଏହା  ପରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର. ଏସ. ଗୋପାଳନ ପ୍ରେସମିଟ୍‌ ଜରିଆରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ନୂତନ ତାଲିକା ଅନୁଯାୟୀ, ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି। ତେବେ ଯାଞ୍ଚ ପ୍ରକ୍ରିୟା ସମୟରେ ତାଲିକାରୁ ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି।

୨୦ ଲକ୍ଷରୁ ଅଧିକ ଭୋଟର ବାଦ୍‌

ସିଇଓଙ୍କ ସୂଚନା ଅନୁଯାୟୀ, SIR ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ। ତେବେ ଡ୍ରାଫ୍ଟ ରୋଲ୍‌ ପୂର୍ବରୁ ୨୦,୧୨,୫୫୭ ଜଣ ଏବଂ ଡ୍ରାଫ୍ଟ ପରେ ୪୪,୭୭୭ ଜଣଙ୍କୁ ମିଶାଇ ସର୍ବମୋଟ ୨୦,୫୭,୩୩୪ ଜଣଙ୍କ ନାମ ବାଦ୍‌ ପଡ଼ିଛି।

ବାଦ୍‌ ପଡ଼ିଥିବା ଭୋଟର

ମୃତ ଭୋଟର: ୮,୩୨,୫୪୪

ସ୍ଥାନାନ୍ତରିତ: ୮,୦୮,୨୦୫

ଅନୁପସ୍ଥିତ: ୧,୯୯,୨୪୯

ଡୁପ୍ଲିକେଟ୍‌ (ଦୁଇଟି ସ୍ଥାନରେ ନାମ): ୧,୫୮,୧୧୮

ଅନ୍ୟାନ୍ୟ କାରଣ: ୧୪,୪୪୧ ଜଣ ରହିଛନ୍ତି।

Also Read: ଚାଲିଛି ସର୍ବଦଳୀୟ ବୈଠକ, ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା

ଡ୍ରାଫ୍ଟରୁ ଫାଇନାଲ୍‌: ବୃଦ୍ଧି ପାଇଲେ ୨.୪୫ ଲକ୍ଷ ଭୋଟର

ଗତ ଜୁଲାଇ ୫, ୨୦୨୬ରେ ପ୍ରକାଶିତ ଡ୍ରାଫ୍ଟ ରୋଲ୍‌ରେ ଭୋଟର ସଂଖ୍ୟା ୩ କୋଟି ୧୩ ଲକ୍ଷ ୮୭ ହଜାର ୦୩୪ ଥିଲା। ଏହାପରେ ଆସିଥିବା ଦାବି ଓ ଆପତ୍ତିର ଶୁଣାଣି କରାଯାଇ ନୂତନ ଭାବେ ୨,୯୦,୪୯୭ ଜଣଙ୍କ ନାମ ଯୋଡ଼ାଯାଇଥିବା ବେଳେ ୪୪,୭୭୭ ଜଣଙ୍କ ନାମ କଟାଯାଇଥିଲା। ଫଳରେ ଡ୍ରାଫ୍ଟରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ନିଟ୍‌ ୨,୪୫,୭୨୦ ଜଣ ନୂଆ ଭୋଟର ବୃଦ୍ଧି ପାଇଛନ୍ତି।

ଚୂଡ଼ାନ୍ତ ଭୋଟର ତାଲିକାର ପ୍ରମୁଖ ତଥ୍ୟ

ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ ରାଜ୍ୟର ଭୋଟର ସ୍ଥିତି ଏହିପରି ରହିଛି:

ମୋଟ ଭୋଟର: ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪

ପୁରୁଷ ଭୋଟର: ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯

ମହିଳା ଭୋଟର: ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧

ତୃତୀୟ ଲିଙ୍ଗୀ: ୨,୭୪

ସର୍ଭିସ ଭୋଟର: ୪୬,୮୧୬

ଲିଙ୍ଗ ଅନୁପାତ (Gender Ratio): ୯୬୧

ପୋଲିଂ ଷ୍ଟେସନ: ୪୫,୨୫୦ (ପୁନଃନିର୍ଦ୍ଧାରଣ ପରେ)

Also Read: ଉପନିର୍ବାଚନ ପୂର୍ବରୁ ECଙ୍କ ବଡ଼ ପଦକ୍ଷେପ, TMCର ନାମ-ଚିହ୍ନ ଉପରେ ଲାଗିଲା ରୋକ

ନୋଟିସ ଓ ଦାବି-ଆପତ୍ତି ଶୁଣାଣି

SIR ପ୍ରକ୍ରିୟା ସମୟରେ ଅନମ୍ୟାପ୍ଡ (୧୨,୯୮,୭୭୯) ଏବଂ ଲଜିକାଲ ଡିସକ୍ରେପାନ୍ସି (୪୫,୩୭,୬୧୩) ଆଧାରରେ ମୋଟ ୫୮,୩୬,୩୯୨ ଜଣଙ୍କୁ ନୋଟିସ ଜାରି କରାଯାଇଥିଲା। ଏହି ସମୟ ମଧ୍ୟରେ ୨,୫୫,୯୯୬ଟି ଦାବି ଓ ଆପତ୍ତି ମିଳିଥିଲା। ଶୁଣାଣି ପରେ ଫର୍ମ-୭ ଜରିଆରେ ୨୪,୦୭୦ ଜଣ ଅଯୋଗ୍ୟ ଚିହ୍ନଟ ହେବା ସହ ଜୁଲାଇ ୫ରୁ ଅଗଷ୍ଟ ୧୯ ମଧ୍ୟରେ ମୋଟ ୨୦,୭୦୭ ଜଣଙ୍କ ନାମ କଟାଯାଇଛି।

ନାଁ ଯୋଡ଼ିବା ପ୍ରକ୍ରିୟା ଜାରି: ଅପିଲ୍‌ ପାଇଁ ସୁଯୋଗ

ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲେ ହେଁ ନାଁ ଯୋଡ଼ିବା, ସଂଶୋଧନ ଓ ବାଦ୍‌ ଦେବା କାର୍ଯ୍ୟ ନିରନ୍ତର ଚାଲୁରହିବ। ନୂଆ ନାଁ ଯୋଡ଼ିବା ପାଇଁ ଫର୍ମ-୬/୬A ରହିଛି।  ନାଁ କାଟିବା ପାଇଁ ଫର୍ମ-୭ ମିଳିବ।ବିବରଣୀ ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର କରିପାରିବେ। ଯଦି କୌଣସି ନାଗରିକ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ERO)ଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ପ୍ରଥମ ଆପିଲ୍‌ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)/ଜିଲ୍ଲାପାଳଙ୍କ ନିକଟରେ କରିପାରିବେ। ସେଠାରେ ସମାଧାନ ନହେଲେ ଦ୍ୱିତୀୟ ଆପିଲ୍‌ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ କରାଯାଇପାରିବ।