ଭୁବନେଶ୍ୱର: ଗଣଶିକ୍ଷା ବିଭାଗ ଅଧିନ ପାଠ୍ୟ ପୁସ୍ତକରେ ଭୁଲକୁ ତେଜିଛି ରାଜନୀତି। ଏହାକୁ ବିରୋଧ କରି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ନବରଙ୍ଗପୁର କଂଗ୍ରେସ। ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାପାଲଟିରେ ଦେଖିବାକୁ ମିଳିଛି। ଜିଲ୍ଲା କଂଗ୍ରେସ ସଭାପତି ଡକ୍ଟର ଲିପିକା ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହି ପ୍ରତିବାଦ କରୁଛନ୍ତି।

ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକ, କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ, ମାଝୀଗୁଡା ଛକ ଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ସହର ମଧ୍ୟ ଦେଇ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଦୂର ଦୁରାନ୍ତର ଗାଡି ଗୁଡିକ ଅଟକି ରହିଛି। ଫଳରେ ଯାତ୍ରୀ ମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅପରପେକ୍ଷେ ଆମ୍ବୁଲାନ୍ସ ଔଷଧ ଦୋକାନ ସମେତ ଜରୁରୀ କାଳୀନ ସେବା ଯୋଗାଉଥିବା ସମସ୍ତ ଦୋକାନ, ଗାଡି, ସଂସ୍ଥା ଗୁଡିକୁ ବନ୍ଦରୁ ବାଦ ଦିଆଯାଇଛି ।

ବିରୋଧୀଙ୍କ ଅଭିଯୋଗ- ପାଠ୍ୟ ପୁସ୍ତକରେ ଭୁଲ ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛି। ୧୫ ଶହରୁ ଉର୍ଦ୍ଧ୍ୱ ଭୁଲ ପାଇଁ ଗଣଶିକ୍ଷା ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଉତ୍ତର ଦାୟିତ୍ୱ ନେଇ ଇସ୍ତଫା ଦେବା ପାଇଁ ଦାବି କରିଛି କଂଗ୍ରେସ। ଜିଲ୍ଲାର ଉମରକୋଟ ବିଧାନସଭା ମଣ୍ଡଳୀର ବିଧାୟକ ହୋଇ ମନ୍ତ୍ରୀ ହୋଇଥିବା ନିତ୍ୟାନନ୍ଦ ଗଣ୍ଡଙ୍କ ମନ୍ତ୍ରୀ ଭାବେ ଅପାରଗତା ଦ୍ଵାରା ଜିଲ୍ଲାର ବଦନାମ ହୋଇଥିବା ଅଭିଯୋଗ କରି ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଦାବି କରିଛି ଜିଲ୍ଲା କଂଗ୍ରେସ ।