ଭୁବନେଶ୍ୱର: ରାଜ୍ୟର ଅଣ-ଅନୁଦାନପ୍ରାପ୍ତ, +୨ ଓ +୩ ମହାବିଦ୍ୟାଳୟ ଏବଂ ସଂସ୍କୃତ ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ହଜାର ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଅସନ୍ତୋଷ ଏବେ ତୀବ୍ର ରୂପ ନେଇଛି। ୨୦୧୩ ନଭେମ୍ବର ୩୦ ପୂର୍ବରୁ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇ ଦୀର୍ଘ ୧୮ ବର୍ଷ ଧରି ସେବା ଯୋଗାଇ ଆସୁଥିଲେ ସୁଦ୍ଧା ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ ଅନୁଦାନ ନୀତି ଘୋଷଣା ନକରିବାକୁ ନେଇ କ୍ଷୋଭ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୧ ତାରିଖରୁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ୪୮୮, ୬୬୨ ବର୍ଗ, ଡି.ଇ.ଓ (DEO) ଏବଂ ସଂସ୍କୃତ ଅନୁଷ୍ଠାନର ହଜାର ହଜାର ଶିକ୍ଷକ-କର୍ମଚାରୀ ଅହୋରାତ୍ର ଧାରଣାରେ ବସିଛନ୍ତି। ଆଜିକୁ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ।

Also Read: ରାଜଧାନୀ ଛାଡ଼ି ଗାଁ ମୁହାଁ ନେତା, ପରଖୁଛନ୍ତି ‘ଜେନ ଜି’ଙ୍କ ମୁଡ଼; ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଳିବ ଆଭାସ

ଗତ ସେପ୍ଟେମ୍ବର ୨୨ ତାରିଖରେ ଉଚ୍ଚଶିକ୍ଷା ସଚିବଙ୍କ ସହ ୫ ଜଣିଆ ପ୍ରତିନିଧି ମଣ୍ଡଳୀର ଆଲୋଚନା ହୋଇଥିଲା। କିନ୍ତୁ ଏହି ଆଲୋଚନାରୁ କୌଣସି ସୁଫଳ ମିଳିନଥିଲା। ଏହା ପରଠାରୁ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା ପାଇଁ ଉଦ୍ୟମ କରାଯାଇ ନାହିଁ କିମ୍ବା କୌଣସି ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯାଇ ନାହିଁ।

୧୨ ତାରିଖରେ ହେବ ବିଶାଳ ପଦଯାତ୍ରା ଓ ମହା ସମାବେଶସରକାରଙ୍କ ଏହି ସାଂଘାତିକ ବିଳମ୍ବ ନୀତି ପ୍ରତିବାଦରେ ସଂଘ ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅକ୍ଟୋବର ୧୨ (ସୋମବାର) ଦିନ କଂଗ୍ରେସ ଭବନରୁ ଏକ ବିଶାଳ ପଦଯାତ୍ରା ବାହାରି ଗାନ୍ଧୀମାର୍ଗରେ ମହା ସମାବେଶ କରାଯିବ।

Also Read: ସ୍ନୋ-ପାର୍କ ମଜା ଦେଉନି, ପ୍ରାକୃତିକ ଲାଗୁନି ବରଫ: ବିକଳ୍ପ ଲାଗି ଇଡ୍କୋକୁ ଚିଠି

ଏହି ସମ୍ପର୍କରେ ଆବାହକ ସନ୍ତୋଷ ରାୟ, ସଭାପତି ଡଃ ଦେବ ବିଜୟ ମିଶ୍ର, ଡି.ଇ.ଓ. ସଭାପତି ପ୍ରଶାନ୍ତ ଦାଶ ଏବଂ ସଂସ୍କୃତ ଅନୁଷ୍ଠାନ ସଭାପତି କୁଶ ମଲ୍ଲିକ ଚେତାବନୀ ଦେଇଛନ୍ତି ଯେ, ସରକାର ଯଦି ତୁରନ୍ତ ସେମାନଙ୍କର ନ୍ୟାଯ୍ୟ ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଭୟାନକ ରୂପ ନେବ।