ଭୁବନେଶ୍ଵର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜିନାଲ୍ ଷ୍ଟାଫଙ୍କ କଲ୍ୟାଣ ପାଇଁ ସେମାନଙ୍କ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏହା ସହିତ କେରି ଓ ଫାଳର ମୂଲ୍ୟରେ ମଧ୍ୟ ବୃଦ୍ଧି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରୋସେସ ଏରିଆରେ କେନ୍ଦୁପତ୍ର କେରି (୨୦ଟି) ପିଛା ମୂଲ୍ୟ ୧୦ ପଇସା ବୃଦ୍ଧି କରାଯାଇଥିବା ବେଳେ ଫାଳ (୪୦ଟି) ପିଛା ମୂଲ୍ୟ ୨୦ ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୧୦.୭୮ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ।

Also Read: ପ୍ରେମିକା ସହ ଥିଲେ ଯୁବକ, ହଠାତ୍ ଚାଲିଆସିଲେ ପରିବାର ଲୋକ.. ଆଉ ତାପରେ..

ସେହିପରି କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ବନ୍ଧାଳି ଓ ସିଜିନାଲ୍ ଷ୍ଟାଫଙ୍କ ପାଇଁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ବହନ କରିବେ। ରାଜ୍ୟ ସରକାର ସମୁଦାୟ ୭୪.୭୮ କୋଟି ଟଙ୍କା ଖର୍ଚ୍ଚ କରିବେ।