ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ପ୍ରଖର ରୌଦ୍ରତାପ ଓ ଗୁଳୁଗୁଳି ସମୟରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ, ତେଣୁ ସଚେତନ ରହିବା ଏବଂ ପରିସ୍ଥିତିର ମୁକାବିଲା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆପଣମାନଙ୍କୁ ମୋର ଅନୁରୋଧ, ଶୋଷ ନଲାଗିଲେ ମଧ୍ୟ ପ୍ରତି ଅଧଘଣ୍ଟାରେ ପାଣି ପିଅନ୍ତୁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଘର ତିଆରି ତୋରାଣି, ବେଲ ପଣା,ମାଣ୍ଡିଆ ପେଜ, ପଇଡ଼ ପାଣି କିମ୍ବା ଲେମ୍ବୁ ସରବତ ବ୍ୟବହାର କରନ୍ତୁ।

ଅତି ଜରୁରୀ କାର୍ଯ୍ୟ ନଥିଲେ ଅଧିକ ଖରା ସମୟରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଯଦି ଯିବାକୁ ପଡ଼ୁଛି, ତେବେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଟୋପି କିମ୍ବା ଛତା ନିଶ୍ଚୟ ନେଇ ଯାଆନ୍ତୁ। କୋମଳମତି ଶିଶୁ, ଗର୍ଭବତୀ ମହିଳା ଏବଂ ବୃଦ୍ଧବୃଦ୍ଧାମାନଙ୍କୁ ଏହି ସମୟରେ ସୁରକ୍ଷିତ ଘର ଭିତରେ ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅତ୍ୟଧିକ ଦେହ ଦରଜ ହେବା, ଚମଡ଼ା ଶୁଖିଯିବା, ପରିସ୍ରା କମ୍ ହେବା କିମ୍ବା ମୁଣ୍ଡ ଝିମଝିମ ହେବା ଭଳି ଲକ୍ଷଣକୁ ଉପେକ୍ଷା ନକରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଆମ୍ବୁଲାନ୍ସର ସହାୟତା ଲୋଡ଼ନ୍ତୁ।

ପ୍ରଚଣ୍ଡ ରୌଦ୍ରତାପରେ କାର୍ଯ୍ୟ କରୁଥିବା ଆମ ଶ୍ରମିକ ଭାଇଭଉଣୀଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ଆଭିମୁଖ୍ୟ ରଖନ୍ତୁ। ମାନବିକତା ଓ ଜୀବେଦୟା ହିଁ ଆମ ଓଡ଼ିଆ ସଂସ୍କୃତିର ଶ୍ରେଷ୍ଠ ପରିଚୟ। ବାଟୋଇମାନଙ୍କ ପାଇଁ ନିଜ ସାଧ୍ୟମତେ ଜଳ ସେବା ଯୋଗାଇବା ସହ ନିଜ ଘର ବାହାରେ କିମ୍ବା ଗଛ ଛାଇରେ ମାଟି ପାତ୍ରରେ ପାଣି ରଖି ନିରୀହ ପଶୁପକ୍ଷୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୁଅନ୍ତୁ। ମୋର ଦୃଢ଼ ବିଶ୍ୱାସ, ଆମର ସାମୂହିକ ପ୍ରୟାସ ଓ ସଚେତନତା ହିଁ ଏହି କଠିନ ସମୟରେ ସମସ୍ତଙ୍କୁ ସୁରକ୍ଷିତ ରଖିବ।