ଭୁବନେଶ୍ବର: ଆସନ୍ତା ଜୁଲାଇ ୬ ଓ ୭ ତାରିଖରେ ଭୁବନେଶ୍ୱର ଗସ୍ତରେ ଆସିବ ୮ମ କେନ୍ଦ୍ରୀୟ ବେତନ କମିଶନ (Eighth Central Pay Commission) । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ବେତନ କମିଶନ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।

କମିଶନ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାରୀ ସଂସ୍ଥା, କାର୍ଯ୍ୟାଳୟ, ସଂଗଠନ ଏବଂ କର୍ମଚାରୀ ସଂଘ/ୟୁନିୟନମାନେ ଯଦି କମିଶନ ସହିତ ଆଲୋଚନା କରିବାକୁ ଇଚ୍ଛୁକ ଥାନ୍ତି, ତେବେ ସେମାନେ ନିର୍ଦ୍ଦିଷ୍ଟ ଲିଙ୍କ୍ ମାଧ୍ୟମରେ ନିଜ ଅନୁରୋଧ ପଠାଇପାରିବେ। ଏହି ଅନୁରୋଧ ସହିତ ମେମୋରାଣ୍ଡମ୍ ଦାଖଲ ପରେ ମିଳୁଥିବା “ୟୁନିକ୍ ମେମୋ ଆଇଡି” ଦେବା ଆବଶ୍ୟକ ହେବ।

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏହି ବୈଠକ ପାଇଁ ଅନୁରୋଧ ପଠାଇବାର ଶେଷ ତାରିଖ ଆସନ୍ତା ଜୁନ୍ ୧୫ ତାରିଖ ଧାର୍ଯ୍ୟ କରାଯାଇଛି। ଏହାଛଡ଼ା, କମିଶନଙ୍କ ୱେବସାଇଟ୍‌ରେ ମେମୋରାଣ୍ଡମ୍ ଦାଖଲ କରିବାର ଶେଷ ତାରିଖ ମେ ୩୧ ରହିଛି। କମିଶନ ପକ୍ଷରୁ ଆହୁରି ସୂଚନା ଦିଆଯାଇଛି ଯେ, ଆଗାମୀ ଦିନରେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହରଗୁଡ଼ିକରେ ମଧ୍ୟ ଏଭଳି ପୃଥକ ବୈଠକ ଆୟୋଜନ କରାଯିବ।