ଭୁବନେଶ୍ୱର: ଓଡ଼ିଶା ବିଜେପିରେ ସଂଗଠନକୁ ମିଳିବ ବଳ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଦ୍ୱିତୀୟ ଥର ପାଇଁ ଓଡ଼ିଶା ବିଜେପିର ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ତାଙ୍କ ସହ ରାଜ୍ୟ ସହପ୍ରଭାରୀ ସ୍ୱଦେଶ ସିଂ ମଧ୍ୟ ଓଡ଼ିଶା ଆସିଛନ୍ତି।

ଗସ୍ତ ସମୟରେ ରାଜ୍ୟ ବିଜେପି ସଂଗଠନକୁ ନେଇ ହେବ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ପଦାଧିକାରୀଙ୍କ ବୈଠକ। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀ ଏବଂ ଦଳର ବରିଷ୍ଠ ପଦାଧିକାରୀମାନେ ଯୋଗଦେବେ।

ବୈଠକରେ ସାଙ୍ଗଠନିକ ସ୍ଥିତି, ଜିଲ୍ଲାୱାରୀ କାର୍ଯ୍ୟକଳାପ ଏବଂ ତୃଣମୂଳସ୍ତରରେ ଦଳର ସ୍ଥିତି ନେଇ ଆଲୋଚନା ହେବ। ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଏହାପରେ ସନ୍ଧ୍ୟାରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପୁରନ୍ଦେଶ୍ୱରୀ। ବିଶେଷକରି ଯେଉଁ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି, ସେମାନଙ୍କ ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା କରିବେ। ଜିଲ୍ଲାସ୍ତରରେ ସଂଗଠନ କେତେଦୂର ସକ୍ରିୟ ରହିଛି, ତୃଣମୂଳସ୍ତରରେ ଦଳର କାର୍ଯ୍ୟକଳାପ କିଭଳି ଚାଲିଛି—ସେନେଇ ହୋଇପାରେ ବିସ୍ତୃତ ଆଲୋଚନା।

ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ବିଜେପି ସଂଗଠନର ସାଧାରଣ ସମ୍ପାଦକ, ଉପସଭାପତି ଓ ଅନ୍ୟ ପଦାଧିକାରୀଙ୍କ ସହ ମଧ୍ୟ ସାଙ୍ଗଠନିକ ଆଲୋଚନା କରିବେ ନବନିଯୁକ୍ତ ପ୍ରଭାରୀ। ତେବେ ପୁରନ୍ଦେଶ୍ୱରୀଙ୍କ ଏହି ଗସ୍ତକୁ ନେଇ ଦଳୀୟ ସ୍ତରରେ ଚର୍ଚ୍ଚା ବଢ଼ିଛି। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ସଂଗଠନର ଆଗାମୀ ରଣନୀତି ଏବଂ ସରକାର-ସଂଗଠନ ମଧ୍ୟରେ ସମନ୍ୱୟ ଭଳି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଥିବାରୁ ତୃଣମୂଳସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇପାରେ। ଜିଲ୍ଲାରୁ ବୁଥ୍ ପର୍ଯ୍ୟନ୍ତ ସଂଗଠନକୁ ସକ୍ରିୟ କରିବା, କାର୍ଯ୍ୟକର୍ତ୍ତାଙ୍କୁ ଅଧିକ ଦାୟିତ୍ୱ ଦେବା ଏବଂ ଆଗାମୀ ଦିନ ପାଇଁ ସାଙ୍ଗଠନିକ ଟାସ୍କ ଧାର୍ଯ୍ୟ କରିବା ଉପରେ ପୁରନ୍ଦେଶ୍ୱରୀ ଦିଗଦର୍ଶନ ଦେଇପାରନ୍ତି।

ଅର୍ଥାତ୍, ଦୁଇ ଦିନିଆ ଗସ୍ତରେ ଆସି ରାଜ୍ୟ ବିଜେପିର ସଂଗଠନ ଠାରୁ ସରକାରୀ ସମନ୍ୱୟ ପର୍ଯ୍ୟନ୍ତ ବିଭିନ୍ନ ଦିଗକୁ ନେଇ ମାରାଥନ୍ ଆଲୋଚନା କରିବେ ପୁରନ୍ଦେଶ୍ୱରୀ। ଏହି ଗସ୍ତ ପରେ ଓଡ଼ିଶା ବିଜେପି ସଂଗଠନରେ କେଉଁ ନୂଆ ଟାସ୍କ ଏବଂ ରଣନୀତି ସାମ୍ନାକୁ ଆସୁଛି, ତା' ଉପରେ ଏବେ ନଜର।