ମୋରଡ଼ା ୧୨।୯: ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ଛୁରି ଭୁସି ନିର୍ମମ ହତ୍ୟା । ହତ୍ୟାର ଛାତି ଥରା ଭିଜୁଆଲ CCTVରେ କଏଦ । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଡୁମୁରିଆ ଗାଁର ଶଶିଧର ରାଜ । ଶଶିଧର ହାଇଦ୍ରାବାଦର ଏକ ହଷ୍ଟେଲରେ ରହି କାମ କରୁଥିଲେ । ଗୁରୁବାର ରାତିରେ ତାଙ୍କ ପତ୍ନୀ ରୁମରେ ଥିବା ବେଳେ ଶଶିଧର କୌଣସି କାମରେ ବାହାରକୁ ଯାଇଥିଲେ। ଏତିକି ବେଳେ ଜଣେ ବ୍ୟକ୍ତି ହଠାତ୍ ଏକ ଛୁରି ଧରି ଆସି ବିଚ୍ ରାସ୍ତାରେ ଶଶିଧରଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଶଶିଧରଙ୍କ ମୃତ୍ୟୁ ଘଟିଥିଲା । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଲେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଡୁମୁରିଆ ଗ୍ରାମର ସ୍ବର୍ଗତ ଶମ୍ଭୁନାଥ ରାଜଙ୍କ ପୁଅ ଶଶିଧର ରାଜ ରୋଜଗାର ଆଶା ନେଇ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଥିବା ଏକ ଘରୋଇ ହଷ୍ଟେଲରେ ରହି ସେ କାମ କରୁଥିଲେ । ଗତ ମେ’ ମାସରେ ଘରକୁ ବୁଲିବାକୁ ଆସିଥିବା ବେଳେ ନିଜ ପତ୍ନୀଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ । ସେଠାରେ ସ୍ବାମୀ-ସ୍ତ୍ରୀ ରହି କାମ କରୁଥିଲେ । ଗୁରୁବାର ରାତିରେ ତାଙ୍କ ପତ୍ନୀ ରୁମ୍ରେ ଥିବାବେଳେ ଶଶିଧର କୌଣସି କାମରେ ବାହାରକୁ ଯାଇଥିଲେ । ଏତିକିବେଳେ ଜଣେ ବ୍ୟକ୍ତି ହଠାତ୍ ଏକ ଭୁଜାଲି ଧରି ଆସି ବିଚ୍ ରାସ୍ତାରେ ଶଶିଧରଙ୍କୁ ଆକ୍ରମଣ କରିବା ସହ ତାଙ୍କ ଛାତିରେ ବାରମ୍ବାର ଭୁଜାଲି ଭୁସି ଦେଇଥିଲେ । ଏହି ଲୋମଟାଙ୍କୁରା ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି । ରାୟଦୃଗମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାଜନିତ ଏକ ମାମଲା ରୁଜୁ କରିଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ନେଇ ତାଙ୍କ ନିକଟ ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି ।

ମୃତ ଶଶିଧର ଜଣେ ଗରିବ ପରିବାରର ହୋଇଥିବା ବେଳେ ପରିବାର ଅସହାୟ ହୋଇ ପଡ଼ିଛନ୍ତି । ତାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବା ସହ ଘଟଣାର ପ୍ରକୃତ କାରଣ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ତେବେ ଏନେଇ ଶଶିଧରଙ୍କ ଭାଉଜ ସୌଭାଗ୍ୟଲତା ରାଜ କହିଛନ୍ତି ଯେ, ଅର୍ଥ ଅଭାବରୁ ଶବ ଗାଁକୁ ଆଣିବା ସମ୍ଭବ ନହେବାରୁ ସେଠାରେ ଶବ ସତ୍କାର କରାଯାଇଛି । ଏବେ ସେଠାକାର ପୋଲିସ ପାଖରେ ମୋବାଇଲ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ତେବେ ଶଶିଧରଙ୍କ ସ୍ତ୍ରୀ ଦେବଜାନୀ ରାଜ କେମିତି ଘରକୁ ଫେରିବେ ଓ ଶିଶିଧରଙ୍କୁ କେମିତି ନ୍ୟାୟ ମିଳିବ ସେ ନେଇ ଚିନ୍ତାରେ ଅଛନ୍ତି ପରିବାର ଲୋକେ ।

Also Read:- ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ୍ ପରେ ପୋଲିସକୁ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ

ଅପରପକ୍ଷରେ ଡମୁରିଆ ଗାଁରେ ଥିବା ଶଶିଧରଙ୍କ ଦୁଇ ଝିଅ ଓ ପୁଅ ବାପା-ମା’ଙ୍କୁ ଚାହିଁ ବସିଛନ୍ତି । ବାପାଙ୍କ ମୃତ୍ୟୁ ଖବର ଶୁଣି ପୁଅ-ଝିଅଙ୍କ ଆଖିରୁ ଲୁହ ସରୁନଥିବା ବେଳେ ମା’ କେମିତି ଭଲରେ ଘରକୁ ଫେରିବ ସେନେଇ ଚିନ୍ତାରେ ପୁଅ-ଝିଅ । ତେବେ ବଡ଼ ଝିଅ ମିଥାଲି ରାଜ ଗୁରୁବାର ଦିନ ସକାଳେ ବାପାଙ୍କ ସହିତ କଥା ହୋଇଥିଲେ । ବାପା କହିଲେ ମୁଁ ଟଙ୍କା ପଠାଉଛି ତୁ ସାନ ଭାଇର ସ୍କୁଲ ଫି’ ଦେବୁ ଓ ସାନ ଭଉଣୀ କଥା ବୁଝୁଥିବୁ । ତେବେ ଏବେ ମା’ କେମିତି ଭଲରେ ଘରକୁ ଫେରିବ ଓ ବାପାଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଝିଅ ଦାବି କରିଛନ୍ତି ।

ତେବେ ଅର୍ଥ ଅଭାବରୁ ଶଶିଧରଙ୍କ ଶବ ଗାଁକୁ ନ ଆଣିପାରି ସେଠାରେ ଶବଦାହ କରାଯାଇଥିବା ପରିବାର ଲୋକେ କହିଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗାଁ ଲୋକେ ଅନୁରୋଧ କରି କହିଛନ୍ତି ଯେ, ଶଶିଧରଙ୍କ ସ୍ତ୍ରୀ କିପରି ଭଲରେ ଘରକୁ ଫେରିବେ ଓ ଶିଶିଧରଙ୍କ ହତ୍ୟାକାରକୁ କିପରି କଠୋର ଦଣ୍ଡ ମିଳିବ ସେନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

Watch Video: