ନୂଆପଡ଼ା: ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ରାତିର ଅନ୍ଧକାର, ନିଛାଟିଆ ରାସ୍ତା ଆଉ ହାତରେ ତଲୱାର ଧରିଥିବା ଦୁର୍ଦ୍ଦାନ୍ତ ଡକାୟତ । ଏଭଳି ସ୍ଥିତିରେ ଜଣେ ସାଧାରଣ ଲୋକ ଭୟରେ ଥରିବା ବି ସ୍ବାଭାବିକ । କିନ୍ତୁ ନୂଆପଡ଼ାର ଦମ୍ପତି ଯାହା କରି ଦେଖାଇଛନ୍ତି, ତାହା କେବଳ ସାହସ ନୁହେଁ ବରଂ ଉପସ୍ଥିତି ବୁଦ୍ଧିର ଏକ ବଡ଼ ଉଦାହରଣ । ସ୍ବାମୀଙ୍କ ମାର୍ସଲ ଆର୍ଟ ଟ୍ରେନିଂ ଆଉ ସ୍ତ୍ରୀଙ୍କ ସାହସ ଆଗରେ ଧୂଳିଚାଟିଛି ଦୁର୍ବୃତ୍ତ । ଏହା କୌଣସି କାହାଣୀ ନୁହଁ, ସତ।

ଘଟଣାଟି ଥିଲା ବୁଧବାର ରାତିର । ସମୟ ପ୍ରାୟ ସାଢ଼େ ୯ଟା। ରାତିର ଅନ୍ଧକାର ଆଉ ନିଛାଟିଆ ରାସ୍ତା । ଏହି ସମୟରେ ନୂଆପଡ଼ାର ଦମ୍ପତି ବରଗଡ଼ରୁ ନିଜ ଘରକୁ ଫେରୁଥିଲେ। ତେବେ ପାଇକମାଳଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ବେଳେ ହଠାତ୍ ସେମାନେ ଦେଖିଥିଲେ ରାସ୍ତା ମଝିରେ ପଡ଼ିଛି ଦୁଇଟି ଗଛ । ରାସ୍ତା ଅବରୋଧ ଥିବା ଦେଖି ସେମାନେ ଗାଡ଼ି ଅଟକାଇଥିଲେ । କିନ୍ତୁ କିଛି ଭାବିବା ପୂର୍ବରୁ, ତତକ୍ଷଣାତ ଅନ୍ଧାର ଭିତରୁ ବାହାରି ଆସିଥିଲେ ତଲୱାରଧାରୀ ଡକାୟତ । ଦେଖୁ ଦେଖୁ ଚାରିପଟୁ ଘେରିଗଲେ ଦୁର୍ବୃତ୍ତ। ଅନ୍ଧକାର ରାତିରେ ଏହି ସମୟର ପରିସ୍ଥିତି ଏମିତି ଥିଲା, ସତେ ଯେମିତି ମୃତ୍ୟୁ ଆଖି ଆଗରେ ନାଚି ଉଠିଥିଲା ।

ସବୁଠାରୁ ବଡ଼ କଥା ଯେ, ଏଭଳି ବିପତ୍ତି ସମୟରେ ବି ଭୟଭୀତ ନହୋଇ ସାହାସ ବାନ୍ଧିଥିଲେ ଦମ୍ପତ୍ତି । ସ୍ବାମୀ ବିଗତ ଦିନରେ ମାର୍ସଲ ଆର୍ଟ କମାଣ୍ଡୋ ଟ୍ରେନିଂ ନେଇଥିଲେ । ଯାହା ତାଙ୍କ ପାଇଁ ଏହି ସମୟରେ ସାଜିଥିଲା ବରଦାନ । ପ୍ରଥମେ ଡକାୟତମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ କିଛି ସମୟ ଅଟକାଇ ରଖିବା ସହ ସୁଯୋଗ ଦେଖି ସେମାନଙ୍କ ଉପରେ ଅଚାନକ ପାଲଟା ଆକ୍ରମଣ କରିଥିଲେ।

Also Read: ସଞ୍ଜ ନଇଁଲେ ଅନ୍ଧାର, କଟକ ସହରର ଅନେକ ଅଞ୍ଚଳରେ ଜଳୁନି ଷ୍ଟ୍ରିଟ୍ ଲାଇଟ୍

ସ୍ତ୍ରୀ ମଧ୍ୟ ନିଜ ସ୍ବାମୀଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଧସ୍ତାଧସ୍ତି ଭିତରେ ସେମାନେ ମଧ୍ୟ ସ୍ଥାନୀୟ ମାଗୁରମାଲ ଗ୍ରାମର ସୁବାଷ ଚିନ୍ଦା ନାମକ ଜଣେ ଦୁର୍ଦ୍ଦାନ୍ତ ଡକାୟତକୁ କାବୁ କରିବାରେ ସଫଳ ହୋଇଥିଲେ। ଆଉ ଏହାରି ଭିତରେ ବି ୧୧୨କୁ କଲ୍ କରିବା ସହ ପାଇକମାଳ ପୋଲିସକୁ ଜଣାଇଥିଲେ। ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଜଣେ ଡକାୟତକୁ ନିଜ ହେପାଜତକୁ ନେଇ ତଦନ୍ତକୁ ଜୋରଦାର କରିଛି।

ଏହି ଦମ୍ପତି ସୁରକ୍ଷିତ ଭାବେ ନିଜ ଘରକୁ ଫେରିଥିବା ବେଳେ, ସେମାନଙ୍କର ଏଭଳି ସାହସିକତା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହା ପ୍ରମାଣିତ କରିଛି ଯଦି ଆପଣଙ୍କ ପାଖରେ ସାହସ ଏବଂ ଉପସ୍ଥିତି ବୁଦ୍ଧି ଅଛି, ତେବେ ଆପଣ ଆଗକୁ ବଢିପାରିବେ, ଯେକୌଣସି ବିପଦର ସାମ୍ନା କରିପାରିବେ।