ନୂଆଦିଲ୍ଲୀ: ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ଆପ୍ (WhatsApp) ଏହାର ୟୁଜର୍ସଙ୍କ ଗୋପନୀୟତାକୁ ଆହୁରି ମଜଭୁତ କରିବାକୁ ଆଉ ଏକ ବଡ଼ ଫିଚର ଲଞ୍ଚ୍ କରିଛି। ଏହି ନୂଆ ଫିଚର ମାଧ୍ୟମରେ ଏବେ କୌଣସି ୟୁଜରଙ୍କୁ, ନୂଆ ବା ଅଜଣା ବ୍ୟକ୍ତିଙ୍କ ସହ ଚାଟ୍ ପାଇଁ ନିଜର ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ ନାହିଁ। କାରଣ ହ୍ୱାଟସ୍ଆପ୍ ଆଣିବାକୁ ଯାଉଛି ‘ୟୁଜରନେମ୍’ ଫିଚର୍। ଯାହାଦ୍ୱାରା ୟୁଜର ନମ୍ବର ସେୟାର୍ ନକରି କେବଳ ୟୁଜରନେମ୍ ଜରିଆରେ ଚାଟ୍ କରିହେବ। 

ତେବେ ଜୁନ୍ ୨୯ରୁ ବିଶ୍ୱବ୍ୟାପୀ ଏହି ୟୁଜରନେମ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଆଗାମୀ କିଛି ମାସ ମଧ୍ୟରେ ଏହାକୁ ଧୀରେ ଧୀରେ ସବୁ ଦେଶରେ ରୋଲ୍ ଆଉଟ୍ କରାଯିବ ଏବଂ ୟୁଜର୍ସଙ୍କୁ ଆପ୍‌ରେ ଏହାର ନୋଟିଫିକେସନ୍ ମିଳିବ।

ଏହି ନୂଆ ଫିଚରରେ କ’ଣ ସବୁ ବଦଳିବ ?

ୟୁଜରନେମ୍ ସେଟ୍ କରିବା ପରେ କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆପଣଙ୍କ ମୋବାଇଲ୍ ନମ୍ବର ସ୍ୱତଃପ୍ରବୃତ୍ତ ଭାବେ ଅନ୍ୟମାନଙ୍କୁ ଦେଖାଯିବ ନାହିଁ। ଯେମିତିକି, ଯେତେବେଳେ ଆପଣଙ୍କୁ କୌଣସି ବଡ଼ ଗ୍ରୁପ୍ ଚାଟ୍‌ରେ ଯୋଡ଼ାଯାଉଛି କିମ୍ବା ଯଦି ଆପଣ ପ୍ରଥମ ଥର ପାଇଁ କାହାକୁ ମେସେଜ୍ କରୁଛନ୍ତି। ତେବେ ଏହି ପରିବର୍ତ୍ତନ ଦ୍ବାରା ଆପଣଙ୍କ ଫୋନ୍ ନମ୍ବର ପ୍ରାଇଭେଟ ରହିବ। ଆପଣ ଏହାକୁ ନିଜେ ସେୟାର ନକରିବା ଯାଏ ତାହା ଅନ୍ୟଙ୍କୁ ଦେଖାଯିବ ନାହିଁ।

Also Read: ଭାରତରେ ବନ୍ଦ ହେଲା ବଜାଜ୍ ପଲସର୍ N125: ଲଞ୍ଚ୍ ହେବାର ୨ ବର୍ଷ ମଧ୍ୟରେ କମ୍ପାନି ନେଲା ବଡ଼ ନିଷ୍ପତ୍ତି

ୟୁଜରନେମ୍ ତିଆରି କରିବାର ନିୟମ ଏବଂ ସୁରକ୍ଷା

ୟୁଜରନେମ୍‌ଟି ୩ରୁ ୩୫ କ୍ୟାରେକ୍ଟର ମଧ୍ୟରେ ରହିବା ଆବଶ୍ୟକ। ଏଥିରେ କେବଳ ଛୋଟ ଇଂରାଜୀ ଅକ୍ଷର (a-z), ସଂଖ୍ୟା (୦-୯), ଡଟ୍ (.) ଏବଂ ଅଣ୍ଡରସ୍କୋର୍ (_) ର ବ୍ୟବହାର କରାଯାଇପାରିବ। ଏହି ଫିଚର ଦ୍ବାରା କୌଣସି ନୂଆ ୟୁଜରଙ୍କୁ ଆପଣଙ୍କ ଫୋନ୍ ନମ୍ବର ଦେଖାଯିବ ନାହିଁ। ହେଲେ ଯେଉଁମାନଙ୍କ ପାଖରେ ଆପଣଙ୍କ ନମ୍ବର ପୂର୍ବରୁ ସେଭ୍ ଅଛି ସେମାନେ ପୂର୍ବଭଳି ଚାଟ୍ କରିପାରିବେ।

ୟୁଜରନେମ୍ କି (Username Key): ସ୍ପାମ୍ ଏବଂ ଅଯଥା ମେସେଜ୍ ରୋକିବା ପାଇଁ ହ୍ୱାଟସ୍ଆପ୍ ଏକ ନୂଆ ପିନ୍ ଆଧାରିତ ସୁରକ୍ଷା ଫିଚର୍ ମଧ୍ୟ ଆଣୁଛି। ଯଦି ଆପଣ ଏହାକୁ ଅନ୍ କରୁଛନ୍ତି, ତେବେ କୌଣସି ଅଜଣା ବ୍ୟକ୍ତି କେବଳ ୟୁଜରନେମ୍ ଜାଣି ମେସେଜ୍ କରିପାରିବେ ନାହିଁ। ସେମାନଙ୍କୁ ପ୍ରଥମେ ସେହି ସିକ୍ୟୁରିଟି ‘କି’ (Key) ଦେବାକୁ ପଡ଼ିବ। ଏହି ସୁବିଧା ଦ୍ୱାରା ନେଟୱର୍କିଂ ଇଭେଣ୍ଟ, କ୍ଲାସମେଟ୍ କିମ୍ବା ଅଜଣା ଲୋକଙ୍କ ସହ କଥା ହେବା ବେଳେ ମୋବାଇଲ୍ ନମ୍ବର ସେୟାର୍ କରିବାର ଚିନ୍ତା ରହିବ ନାହିଁ। ଆପଣଙ୍କ ପୁରୁଣା ଚାଟ୍, ଗ୍ରୁପ୍ ଏବଂ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ସୁରକ୍ଷା ପୂର୍ବଭଳି ସୁରକ୍ଷିତ ରହିବ।