ନୂଆଦିଲ୍ଲୀ ୨୪।୧୨: ରାହୁଲ ଗାନ୍ଧି ଯେବେବି ବିଦେଶ ଗସ୍ତରେ ଯାଉଛନ୍ତି ଦେଶ ବିରୋଧୀ ବୟାନବାଜୀ କରୁଛନ୍ତି। ସେ ଏପରି କାହିଁକି କରୁଛନ୍ତି ସେ ନେଇ ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ସେ କହିଛନ୍ତି ଯେ ରାହୁଲଙ୍କ ନେତୃତ୍ୱକୁ ନେଇ ଏବେ କେବେଳ ଭୋଟର ନୁହନ୍ତି ତାଙ୍କ ନିଜ ଦଳ ଓ ପାର୍ଟି ସହଯୋଗୀମାନେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି। ଏହି କାରଣରୁ ଲୋକସଭାରେ ବିରୋଧୀ ଦଳ ନେତା ବିଦେଶ ଯାଇ ଦେଶ ବିରୋଧୀ ବୟାନବାଜୀ କରୁଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ପୁନାୱାଲା ଗତ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କ ‘ଭୋଟ ଚୋରି’ ଅଭିଯୋଗକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ରାହୁଲଙ୍କ ଅନେକ ପୂର୍ବରୁ କଂଗ୍ରେସ ନେତା ଶଶି ଥରୁର କହିସାରିଥିଲେ ଯେ ଗତ ୨୦ ବର୍ଷରେ ଏନଡିଏ ସରକାର ବିହାରରେ ବହୁତ ଭଲ କାମ କରିଛନ୍ତି, ସେ ରାହୁଲ ଗାନ୍ଧିଙ୍କ ଭୋଟ ଚୋରୀ ଅଭିଯୋଗକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଥିଲେ। ପୁନାୱାଲା ଅଭିଯୋଗ କରିଛନ୍ତି ଯେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କସବାଦୀ) ସାଂସଦ ଜନ ବ୍ରିଟାଶ ନିକଟରେ ଏକ ଟିପ୍ପଣୀ କରିଥିଲେ, କହିଥିଲେ ରାହୁଲଙ୍କୁ ସଂସଦ ଛାଡି ବିଦେଶ ଯିବାର ନିଥିଲା।

ବିଜେପି ନେତା ଦାବି କରିଛନ୍ତି ଯେ ନା କେବଳ ବାମପନ୍ଥୀ ଦଳ ବରଂ ଡିଏମକେ ମଧ୍ୟ ରାହୁଲ ଗାନ୍ଧିଙ୍କ ‘ଭାରତ ବିରୋଧୀ’ ଅଭିଯାନକୁ ବିରୋଧ କରୁଛି, କାରଣ ରାହୁଲ ଗାନ୍ଧି ତାଙ୍କ କାମକୁ ଗୁରୁତ୍ୱ ଦେଉ ନାହାନ୍ତି। ପୁନାୱାଲା କହିଛନ୍ତି ଯେ କଂଗ୍ରେସ ସାଂସଦ ଇମ୍ରାନ ମସୁଦ ମଧ୍ୟ ରାହୁଲ ଗାନ୍ଧିଙ୍କ ଭଉଣୀ ତଥା ସାଥୀ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ସମ୍ଭାବିତ ପ୍ରଧାନମନ୍ତ୍ରୀ ରୂପେ ସମର୍ଥନ ଦେଇଛନ୍ତି। ପୁନାୱାଲା କହିଛନ୍ତି ଯେ ମାସୁଦଙ୍କ କଥାକୁ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ସମର୍ଥନ କରୁଛନ୍ତି।

ପୁନାୱାଲା କହିଛନ୍ତି ଯେ ଏହାର ଅର୍ଥ ହେଉଛି ଜନତାଙ୍କ ରାୟ ଏବେ ରାହୁଲ ଗାନ୍ଧିଙ୍କ ଠାରୁ ଦୂରେଇ ଗଲାଣି। ବାମପନ୍ଥୀ ଦଳଙ୍କଠୁ ଆରମ୍ଭ କରି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପର୍ଯ୍ୟନ୍ତ ସମସ୍ତେ ରହୁଲ ଗାନ୍ଧିଙ୍କ ବୟାନକୁ କେବଳ ଖାରଜ କରୁଛନ୍ତି। ଏପରିକି ଏନସିପି (ଏସପି) ନେତା ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ପାର୍ଟି ଆଦି ରାହୁଲଙ୍କ ପ୍ରାୟ ସବୁ ବୟାନକୁ ଅସ୍ୱୀକାର କରୁଛନ୍ତି। ଏଣୁ ପୁନାୱାଲା କହିଛନ୍ତି ରାହୁଲଙ୍କ ପଛରେ ନା ଏବେ ଜନତାଙ୍କ ଜନାଦେଶ ଅଛି ନା ସଙ୍ଗଠନାତ୍ମକ ସମର୍ଥନ।

ବିଜେପି ମୁଖପାତ୍ର କହିଛନ୍ତି ଯେ କିଛିଦିନ ପୂର୍ବେ ଓଡିଶା କଂଗ୍ରେସ ନେତା ମହମ୍ମଦ ମୋକିମ ରାହୁଲ ଗାନ୍ଧି ଓ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଥିଲେ। ପୁନାୱାଲା କହିଛନ୍ତି ଯେ ଏହି ଘଟଣାରେ କଂଗ୍ରେସରେ ରାହୁଲଙ୍କ ସମର୍ଥକ ଗୋଷ୍ଠୀ ତୁରନ୍ତ ମୋକିମଙ୍କୁ ପାର୍ଟିରୁ ନିଷ୍କାସିତ କରିବା ପାଇଁ ଫତୱା ଜାରି କରିଦେଇଥିଲେ। ଏଥିରେ ପୁନାୱାଲା କହିଛନ୍ତି ଯେ ପରିବାର ସଦସ୍ୟ ଓ ପାର୍ଟିର ସଦସ୍ୟ ଜଣକ ପରେ ଜଣେ ରାହୁଲ ଗାନ୍ଧିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣୁଛନ୍ତି।

ଯେହେତୁ ରାହୁଲ ଗାନ୍ଧି ଜନତାଙ୍କ ସମର୍ଥନ ଓ ସଙ୍ଗଠନର ସମର୍ଥନ ହରାଉଛନ୍ତି ଏପରିକି ପାର୍ଟି ସଂରଚନାରେ ହୁଏତ ତାଙ୍କ ପ୍ରତି ସମର୍ଥନ ନାହିଁ। ଏଣୁ ବିଜେପି ବିରୋଧରେ ନିଜର ହତାସା ବ୍ୟକ୍ତ କରିବା ପାଇଁ ବିଦେଶ ଚାଲି ଯାଉଛନ୍ତି ଓ ଦେଶ ବିରୋଧରେ କହିବା ଆରମ୍ଭ କରିଦେଉଛନ୍ତି। ଏଣୁ ପୁନାୱାଲା କହିଛନ୍ତି ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜନତା ଓ ଜନାଦେଶ ବିରୋଧରେ ଭାରତ ବିରୋଧୀ ବୟାନବାଜୀ ଆରମ୍ଭ କରିଦେଇଛନ୍ତି।

ପୁନାୱାଲା ଏହି ଅବସରରେ ରାହୁଲ ବର୍ଲିନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ, ଭାରତର ନିର୍ବାଚନ ପ୍ରକ୍ରିୟା, ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଓ ଦେଶର ମାନୁଫେକ୍ଚରିଂ କ୍ଷମତାକୁ ନେଇ ଦେଇଥିବା ବୟାନକୁ ଖଣ୍ଡନ କରିବା ସହିତ ଭାରତୀୟ ଜାତୀୟ କଂଗ୍ରେସକୁ ‘ରାଷ୍ଟ୍ର ବିରୋଧି କଂଗ୍ରେସ’ ବୋଲି କହିଛନ୍ତି। ଏହା ଛଡା ପୁନାୱାଲା ରାହୁଲ ଗାନ୍ଧି ଚୀନ୍କୁ ଏତେ ପସନ୍ଦ କାହିଁକି କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏହା ଚାନ୍ଦା ଯୋଗୁ ନା ବୁଝାମଣା ସ୍ମାରକ ଅଥବା ଦୁଷ୍ପ୍ରଚାର ଲାଗି ଏପରି କରୁଛନ୍ତି ସେ ନେଇ ପୁନାୱାଲା ପ୍ରଶ୍ନ କରିଛନ୍ତି। ଜର୍ମାନରେ ରାହୁଲଙ୍କ ଟିପ୍ପଣୀଗୁଡିକ ଉପରେ ଗଣମାଧ୍ୟମକୁ ଦିଆଯାଇଥିବା ଅନ୍ୟ ଏକ ବୟାନରେ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ତାଙ୍କ ଉପରେ ରାଷ୍ଟ୍ରବିରୋଧୀ ମାନସିକତା ରଖୁଥିବାର ଆରୋପ ଲଗାଇଛନ୍ତି ଓ କହିଛନ୍ତି ଦେଶ ବିରୋଧରେ କହିବା ଏବେ ରାହୁଲଙ୍କ ନୀତି ଓ ଅଭ୍ୟାସରେ ପରିଣତ ହୋଇଗଲାଣି।