ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଯେତିକି ଆଗକୁ ବଢୁଛି ସାରା ବିଶ୍ୱରେ କେବଳ ତୈଳ କି ଏଲପିଜି ନୁହେଁ ଆଗକୁ ଏମଆରଆଇ ସ୍କାନକୁ ବି ଅଟକାଇ ପାରେ ଓ ସ୍ୱାସ୍ଥ୍ୟ ସେବାକୁ ମହଙ୍ଗା କରିପାରେ। ହୋର୍ମୁଜ ପ୍ରଣାଳୀ ବନ୍ଦ ରହିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ବୈଶ୍ୱିକ ହିଲିୟମ ଯୋଗାଣର ଏକ ତୃତୀୟାଂଶ ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଛି।

ୟୁଏସ ଜିୟୋଲଜିକାଲ ସର୍ଭେ ରିପୋର୍ଟ ଅନୁସାରେ ଆମେରିକା ବ୍ୟତୀତ କତାର ହିଲିୟମ ଉତ୍ପାଦନରେଏକ ଅଗ୍ରଣୀ ଦେଶ। ୨୦୨୫ ମସିହାରେ ଏଠାରୁ ପାଖାପାଖି ୬୩ ନିୟୁତ କ୍ୟୁବିକ୍ ଫୁଟ ହିଲିୟମ ସାରା ବିଶ୍ୱକୁ ଯୋଗାଣ କରାଯାଇଥିଲା।ଏବେ ହୋର୍ମୁଜ ପ୍ରଣାଳୀ ବନ୍ଦ ଥିବାରୁ ହିଲିୟମ ନେବାକୁ ଦେଶମାନେ କେପ ଅଫ ଗୁଡ ହୋପ ଉପରେ ନିର୍ଭର ହେବାକୁ ପଡୁଛି, ଯାହା ଏକ ଦୀର୍ଘ ଜଳମାର୍ଗ। ଏହି ମାର୍ଗରେ ହିଲିୟମ ଯୋଗାଣ ନା କେବଳ ମହଙ୍ଗା ହେବ ଡେଲିଭରୀ ମଧ୍ୟ ବିଳମ୍ବ ହେବ। କତାର ବ୍ୟତୀତ ଆମେରିକା ହିଲିୟମର ସବୁଠୁ ବଡ଼ ଉତ୍ପାଦକ ଦେଶ। ଏହି ଦୁଇ ଦେଶ ମିଳିତ ବିଶ୍ୱ ହିଲିୟମ ଆବଶ୍ୟକତାର ୬୦% ଯୋଗାଣ କରିଥାନ୍ତି। ଅନ୍ୟ ଉପସାଗରୀୟ ଦେଶରେ ହିଲିୟମ ଉତ୍ପାଦନ ହୁଏନି।

ତେବେ ପଶ୍ଚିମ ଏସିୟାରେ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ମାର୍ଗ ହୋର୍ମୁଜ ଏବେ ଏକ ପ୍ରକାର ବନ୍ଦ ହୋଇଯାଇଛି। ଯଦିଓ ଇରାନ ଅଧିକାରୀମାନେ ହୋର୍ମୁଜ କେବଳ ଆମେରିକା ଓ ଇସ୍ରାଏଲ ପାଇଁ ବନ୍ଦ ଥିବା କଥା କହୁଛନ୍ତି ତେବେ ଅନ୍ୟ ଦେଶଙ୍କ ଜାହାଜ ପାର କରିବାକୁ କଡ଼ା ନିୟମ ଲାଗୁ ହୋଇଛି। ଏହିନିୟମ ଅନୁସାରେ ଏହି ମାର୍ଗକୁ ଅତିକ୍ରମ କରିବାକୁ ପ୍ରତ୍ୟେକ ଜାହାଜଙ୍କୁ ତେହେରାନର ପୂର୍ବ ସ୍ୱୀକୃତି ଆବଶ୍ୟକ। ଏଣୁ କେବଳ କିଛି ଭାରତୀୟ, ଚୀନ ଓ ପାକିସ୍ତାନୀ ଜାହାଜଙ୍କୁ ଛାଡିଦେଲେ ମାର୍ଗରେ ଅନ୍ୟ ଜାହାଜଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ବିଶ୍ୱର ସବୁଠୁ ବୃହତ୍ତ ଏଲଏନଜି ଉତ୍ପାଦକ ତଥା ତରଳ ହିଲିୟମର ପ୍ରମୁଖ ସ୍ରୋତ କତାର ଏନର୍ଜୀ ଚେତାବନୀ ଦେଇଛି ଯେ ଏହି ରପ୍ତାନୀ ବାର୍ଷିକ ୧୪% ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏଲଏନଜି ଉତ୍ପାଦନରେ ହିଲିୟମ ଏକ ଉପ ଉତ୍ପାଦ। ଏଣୁ ଏଲଏନଜି ସଞ୍ଚାଳନରେ ସାମାନ୍ୟ ବାଧା ହିଲିୟମ ଯୋଗାଣ ହ୍ରାସ କରିଛି। ଯୁଦ୍ଧ କାରଣରୁ କତାରର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଯୋଗୁ ଏଲଏନଜି ଉତ୍ପାଦନ ଏବେ ବନ୍ଦ ହୋଇଯାଇଛି। ଏଣୁ ହିଲିୟମ ଯୋଗାଣ ମଧ୍ୟ ହ୍ରାସ ହୋଇଛି। ତେହେରାନର ଅସ୍ୱୀକାର ସତ୍ତ୍ୱେ ଇରାନ ରାସ ଲଫାନ ଓ ମୋସାଇଦ ପ୍ଲାଣ୍ଟ ଉପରେ ମିଜାଇଲ ମାଡ କରିବା ମାର୍ଚ୍ଚ ୨ ତାରିଖ ପରଠାରୁ ଏଲଏନଜି ପରିଚାଳନା ଅଟକି ଯାଇଛି।

ସାଉଥ ପାର୍ସ ଉପରେ ଆକ୍ରମଣର କିଛି ଘଣ୍ଟା ପରେ ଇରାନ ମିଜାଇଲ ରାସ ଲଫାନ ଉପରେ ଆକ୍ରମଣ କରିଥିଲା। ଫଳରେ ବୈଶ୍ୱିକ ଏଲଏନଜି ଯୋଗାଣର ୨୦% ବାଧିତ ହୋଇଛି। ଏଠାରେ ଇରାନ ମିଜାଇଲ ଆକ୍ରମଣ ଯୋଗୁ ୩ ଜାଗାରେ ନିଆଁ ଲାଗିଥିଲା। ଫଳରେ ୧୭% ଉତ୍ପାଦନ ବନ୍ଦ କରାଯାଇଛି। ଏଲଏନଜି ଉତ୍ପାଦନ ହ୍ରାସ କାରଣରୁ କତାର ଏନର୍ଜୀ ତରଳ ହିଲିୟମ ରପ୍ତାନୀରେ ୧୪% ହ୍ରାସ ଘୋଷଣା କରିଛି।

ହିଲିୟମ କେତେ ଗୁରୁତ୍ୱପୂର୍ଣ୍ଣ?
ହିଲିୟମ ସବୁଠୁ ଶୀତଳ ତତ୍ୱ, ଯାହା ବ୍ରହ୍ମାଣ୍ଡର ସବୁଠୁ ଥଣ୍ଡା ସୀମା ପରମ ଶୂନ୍ୟତାର ଠିକ ଉପରେ ତରଳ ଅବସ୍ଥାରେ ଥାଏ। ଏହାର ଅଦ୍ୱିତୀୟ କ୍ରାୟୋଜେନିକ ମହାଶକ୍ତି ଏହାକୁ ଉଚ୍ଚ ବୈଷୟିକ କ୍ଷେତ୍ରରେ ଅପରିହାର୍ଯ୍ୟ କରିତୋଳିଛି। କାରଣ ଏହା ସେହି ଚରମ ତାପମାନରେ ନିଜକୁ ତରଳ ରଖିବାରେ ସକ୍ଷମ ହୋଇଥାଏ। ଏଣୁ ଏହା ଲିକ୍ ଡିଟେକ୍ଟର ରୂପେ କାର୍ଯ୍ୟ କରିଥାଏ। ଏହା ଜ୍ୱଳନଶୀଳ ହୋଇ ନଥିବାରୁ ଓ ରସାୟନିକ ରୂପେ ନିଷ୍କ୍ରିୟ ହୋଇଥିବା କାରଣରୁ ଏହା ସୁପର କଣ୍ଡକ୍ଟିଂ ମ୍ୟାଗ୍ନେଟକୁ ଥଣ୍ଡା ରଖିବାକୁ ସୁରକ୍ଷିତ। ଫଳରେ ମ୍ୟାଗ୍ନେଟର ବିଦ୍ୟୁତ ପ୍ରତିରୋଧୀ ପାଖାପାଖି ଶୂନ ପର୍ଯ୍ୟନ୍ତ କମିଯାଇଥାଏ।

ଏମଆରଆଇ ମେସିନକୁ ଚଳାଏ ହିଲିୟମ
ହିଲିୟମର ମୁଖ୍ୟ କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଉଛି ଏହା ସାରା ବିଶ୍ୱରେ ଏମଆରଆଇ ମେସିନଗୁଡିକୁ ଶକ୍ତି ପ୍ରଦାନ କରିଥାଏ। କ୍ରିଷ୍ଟଲ-ସ୍ପଟ ବଡି ସ୍କାନ ନିମନ୍ତେ ଅତି ମଜଭୁତ କ୍ଷେତ୍ର ଉତ୍ପନ୍ନ କରିବା ପାଇଁ ସୁପର କଣ୍ଡକ୍ଟିଂ ମ୍ୟାଗ୍ନେଟିକ୍ କୁ ଥଣ୍ଡା କରିଥାଏ। କେବଳ ଏମଆରଆଇ ନୁହେଁ ସେମିକଣ୍ଡକ୍ଟର ମଧ୍ୟ ହିଲିୟମ ଉପରେ ନିର୍ଭର। ଏହା ସିଲିକନ ୱାଫର୍ସରେ ସ୍ମାର୍ଟ ଫୋନ, କାର, ଡାଟା ସେଣ୍ଟର ଓ ପ୍ରତିରକ୍ଷା ଟେକନିକ୍ କୁ ଚଳାଉଥିବା ଚିପ୍ସ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ଉଦ୍ୟୋଗ ଜଗତ ବାଦେ ହିଲିୟମ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯେଉଁଥିରେ ପାର୍ଟି ପାଇଁ ବେଲୁନ, ପାଣିପାଗ ବେଲୁନ ଓ ବିମାନକ୍ଷେତ୍ର ଏହି ସୁରକ୍ଷିତ, ହାଲୁକା ଓ ଅଣ ଜ୍ୱଳନଶୀଳ ଗ୍ୟାସ ଉପରେ ନିର୍ଭର।