ନୂଆଦିଲ୍ଲୀ:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି ବ୍ୟକ୍ତିଙ୍କୁ ବିଶ୍ବାସ କରନ୍ତି ନାହିଁ।  ଏନେଇ ଖୋଦ ଟ୍ରମ୍ପ ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ଏପରିକି  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ମଧ୍ୟ ତାଙ୍କର ବିଶ୍ବାସ ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ନ୍ୟୁଜମ୍ୟାକ୍ସକୁ ଦେଇଥିବା ସାକ୍ଷାତକାରରରେ ନେତାନ୍ୟାହୁଙ୍କ ସହ ତାଙ୍କର ସଂପର୍କକୁ ନେଇ ଟ୍ରମ୍ପ କହିଛନ୍ତି, ରାଜନୀତିରେ ମୁଁ କୌଣସି ଲୋକଙ୍କୁ ବିଶ୍ବାସ କରେନାହିଁ । ନେତାନ୍ୟାହୁଙ୍କ ଉପରେ ତାଙ୍କର ବିଶ୍ବାସ ରହିଛି ଏବଂ ସେ ତାଙ୍କ ନିକଟତର ବୋଲି କହିଆସିଥିବା ଟ୍ରମ୍ପ ହଠାତ ନିଜର ମନ୍ତବ୍ୟ ବଦଳାଇବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
 
ଇସ୍ରାଏଲରେ ଅକ୍ଟୋବର ୨୭ରେ ନିର୍ବାଚନ ହେବାକୁ ଥିବା ବେଳେ ଟ୍ରମ୍ପ, ନେତାନ୍ୟାହୁଙ୍କ ପାଇଁ ପ୍ରଚାର କରିବେ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ମୁଁ ପ୍ରଚାର କରେ ବୋଲି ଇସ୍ରାଏଲା ନେତା ଚାହୁଁଛନ୍ତି । ଅବିଶ୍ବାସର କଥା କହୁଥିବା ଟ୍ରମ୍ପ, ନେତାନ୍ୟାହୁଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି ବୋଲି କହିଛନ୍ତି ।  ଏପରିକି ଇରାନ ବିରୋଧରେ ସେମାନଙ୍କର ସାମରିକ ସହଭାଗିତାକୁ ଟ୍ରମ୍ପ ପ୍ରଶଂସା ମଧ୍ୟ କରିଛନ୍ତି । 

ସେପଟେ ଇରାନ ଉପରେ MOAB ବା ମଦର ଅଫ ଅଲ୍‌ ବମ୍‌ ପକାଇବାକୁ ଆମେରିକାର ଯୋଜନା ସଂପର୍କରେ ସ୍ବଷ୍ଟୀକରଣ ଦେଇଛନ୍ତି ଟ୍ରମ୍ପ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ୱାଶିଂଟନ ତେହେରାନ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାର କୌଣସି ପ୍ରଶ୍ନ ଉଠୁନାହିଁ । ଏହାର ଆବଶ୍ୟକତା ଆମେରିକା ପାଖରେ ନାହିଁ।   ସେ କହିଛନ୍ତି, ମୁଁ ପରମାଣୁ ଅସ୍ତ୍ର ବ୍ୟବହାର କରିବି ନାହିଁ, ଏହାର ଆବଶ୍ୟକତା ନାହିଁ। 'ମଦର ଅଫ୍ ଅଲ୍ ବମ୍ସ' ଗୋଟିଏ ବହୁତ ବଡ଼ ଶକ୍ତିଶାଳୀ ବୋମା ହୋଇପାରେ । କିନ୍ତୁ ଏହା ଆଦୌ ପରମାଣୁ ବୋମା ନୁହେଁ।

GBU-43/B ମାସିଭ୍ ଅର୍ଡନାନ୍ସ ଏୟାର ବ୍ଲାଷ୍ଟ ହେଉଛି ଜିପିଏସ-ଗାଇଡେଡ୍ ଏକ ଶକ୍ତିଶାଳୀ ଅସ୍ତ୍ର । ଏହାକୁ ଆମେରିକୀୟ ବାୟୁସେନା ଗବେଷଣାଗାର ଏବଂ ଡାଇନେଟିକ୍ସ ମିଳିତ ଭାବରେ ବିକଶିତ କରିଥିଲେ। ଏହାକୁ ମୁଖ୍ୟତଃ ବଡ଼ ଆକାରର ସୁଡ଼ଙ୍ଗ, ପାହାଡ଼ ଭିତର ଗୁମ୍ଫା ଏବଂ ବିଶାଳ ଭୂଗର୍ଭସ୍ଥ ସାମରିକ ଘାଟିଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ବ୍ୟବହାର କରାଯାଇଥାଏ।  ସାକ୍ଷାତକାରରେ ଟ୍ରମ୍ପ ଆହୁରି କହିଛନ୍ତି,  ଇରାନ ସହ ଚାଲିଥିବା ଏହି ଯୁଦ୍ଧ ଅତି ଶୀଘ୍ର ଶେଷ ହେବାକୁ ଯାଉଛି। ତେହେରାନ ବର୍ତ୍ତମାନ ୱାଶିଂଟନ ସହିତ ଆଲୋଚନା ପାଇଁ ବ୍ୟଗ୍ର ରହିଛି ବୋଲି ଟ୍ରମ୍ପ ଦାବି କରିଛନ୍ତି ।