ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାଂଘାତିକ ଖେଳ । ରୁଷ ସେନାର ଜଣେ ଅଧିକାରୀ ନିଜ ଦେଶକୁ ଧୋକା ଦେଇ ୟୁକ୍ରେନ ସହ ହାତ ମିଳାଇଛନ୍ତି।  ୟୁକ୍ରେନ ସେନାକୁ ଗୁପ୍ତ ତଥ୍ୟ ଦେଇ ରୁଷର ସୈନିକଙ୍କୁ ମାରିବାକୁ ସାହାଯ୍ୟ କରିଛନ୍ତି । ଆଉ ସୁଯୋଗ ଦେଖି କିଭ୍‌ ପଳାଇଛନ୍ତି ଏବଂ ଏବେ ସେ ରୁଷ ସେନା ବିରୋଧରେ ଲଢ଼ୁଛନ୍ତି । ଏନେଇ ଓ୍ବାଲଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇବା ପରେ ରୁଷରେ ହଇଚଇ ଖେଳିଯାଇଛି । ୨୬ ବର୍ଷୀୟ ସେନା ଅଧିକାରୀ ଲେଫ୍ଟନାଣ୍ଟ ଲେଭ୍‌ ଷ୍ଟୁପନିକୋଭଙ୍କୁ ଖୋଜୁଛି ପୁଟିନ ସେନା । 

ରିପୋର୍ଟ ଅନୁଯାୟୀ, ଲେଭ୍ ଷ୍ଟୁପ୍‌ନିକୋଭଙ୍କ ସହାୟତାରେ ୟୁକ୍ରେନ ସେନା ୩୦୦ରୁ ଅଧିକ ରୁଷୀୟ ସୈନିକଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲା। ଏହାପରେ ସେ ସୀମା ପାର ହୋଇ ୟୁକ୍ରେନ ପଳାଇଥିଲେ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାର ବିରୁଦ୍ଧରେ ଲଢ଼ୁଥିବା ଏକ ୟୁନିଟ୍‌ରେ ଯୋଗଦେଇଛନ୍ତି। ଲେଭ୍ ଷ୍ଟୁପ୍‌ନିକୋଭ୍ ରୁଷ୍ ସେନାରେ ନିଜର ପଦବୀର ଦୁରପଯୋଗ କରି ୟୁକ୍ରେନ ଗୁଇନ୍ଦା ସଂସ୍ଥାକୁ ସମ୍ବେଦନଶୀଳ ସାମରିକ ସୂଚନା ଦେଉଥିଲେ। ସେନା ଗତିବିଧି ଠାରୁ ଆରମ୍ଭ କରି ଡ୍ରୋନ୍ ଏବଂ କ୍ୟାମେରାର ଲାଇଭ୍ ଫିଡ୍ ପର୍ଯ୍ୟନ୍ତ ସବୁ ତଥ୍ୟ ସେ ୟୁକ୍ରେନକୁ ପଠାଉଥିଲେ। ଯଦିଓ ସେ ଏବେ ୟୁକ୍ରେନ ସେନାରେ ସାମିଲ ହୋଇଛନ୍ତି, କିନ୍ତୁ ତାଙ୍କ ପତ୍ନୀ ତାଙ୍କୁ ଛାଡ଼ି ଦେଇଛନ୍ତି । ଏପରିକ ସେ ଜଣେ ଦେଶଦ୍ରୋହୀ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।

ସେ ୟୁକ୍ରେନକୁ କିପରି ଦେଉଥିଲେ ସୂଚନା ?
ଷ୍ଟୁପ୍‌ନିକୋଭ୍‌ଙ୍କୁ ୟୁକ୍ରେନର ଡନବାସ ଅଞ୍ଚଳ ଅଧୀନରେ ଥିବା ଭୁହଲେଦାରକୁ କବ୍‌ଜା କରିବା ପାଇଁ ଏକ ବାଟାଲିୟନର ମୁଖ୍ୟ ସିଗ୍ନାଲ୍ ଅଧିକାରୀ ଭାବରେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ କାମ ଥିଲା କମାଣ୍ଡରମାନଙ୍କୁ ସେମାନଙ୍କ ୟୁନିଟ୍ ସହିତ ଯୋଗାଯୋଗରେ ରଖିବା । କିନ୍ତୁ ସେ ଗୁପ୍ତ ଭାବରେ ୟୁକ୍ରେନକୁ ରୁଷୀୟ ସୈନିକଙ୍କ ସଠିକ୍ ଅବସ୍ଥାନ ଏବଂ ଗତିବିଧି ସମ୍ପର୍କରେ ସୂଚନା ଦେଉଥିଲେ। ଦିନେ ସକାଳେ ଷ୍ଟୁପ୍‌ନିକୋଭ୍ ପେଟ ଯନ୍ତ୍ରଣା ହେଉଛି ବୋଲି ମିଛ କହି ନିଜ ସାଥୀ ସୈନିକମାନଙ୍କଠାରୁ ଦୂରେଇ ଯାଇଥିଲେ। ଠିକ୍ ତା'ପରେ, ୟୁକ୍ରେନ ପକ୍ଷରୁ ସେଠାରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା।

 ଏହି ଆକ୍ରମଣରେ ୬୮ ଜଣ ରୁଷୀୟ ସୈନିକ ପ୍ରାଣ ହରାଇଥିଲେ । ଆଉ ୬୦ ଜଣ ଆହତ ହୋଇଥିଲେ। ଆକ୍ରମଣ ପରେ ୟୁକ୍ରେନ କର୍ତ୍ତୃପକ୍ଷ ତାଙ୍କୁ ଫଟୋ ପଠାଇବାକୁ କହିଥିଲେ । ଏଠାରେ କେବଳ ମାଂସ ( ଖଣ୍ଡବିଖଣ୍ଡିତ ଶରୀର) ପଡ଼ିଛି ବୋଲି ବର୍ବର ପ୍ରତିକ୍ରିୟା ଦେଇଥିଲେ ଷ୍ଟୁପ୍‌ନିକୋଭ୍‌ । ପରେ ସେ ମୃତଦେହ ସଂଖ୍ୟା ୬୮ ଏବଂ ଆହତଙ୍କ ସଂଖ୍ୟା ୬୦ ବୋଲି ୟୁକ୍ରେନ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହା ପ​‌ରେ ତାଙ୍କର ସୂଚନା ଆଧାରରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଥିଲା ୟୁକ୍ରେନ ସେନା ।

ବଡ଼ ଭୂମିକା ନେଇଥିଲେ ଷ୍ଟୁପ୍‌ନିକୋଭ୍‌ଙ୍କ ମା’
ରୁଷ୍‌ର ୟୁକ୍ରେନ ଆକ୍ରମଣ ଷ୍ଟୁପ୍‌ନିକୋଭ୍‌ଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ୨୦୨୨ ଫେବୃଆରୀରେ ଯେତେବେଳେ ରୁଷ୍ ସେନା ୟୁକ୍ରେନ ଉପରେ ଆକ୍ରମଣ କଲା, ସେତେବେଳେ ନିରୀହ ନାଗରିକଙ୍କ ଉପରେ ବୋମା ବର୍ଷା ଦେଖି ସେ ଭୟଭୀତ ହୋଇପଡ଼ିଥିଲେ। ପରେ ତାଙ୍କ ମା' ତାଟିଆନା ୟାଣ୍ଟସେନ୍‌ ୟୁକ୍ରେନ ଗୁଇନ୍ଦା ଏଜେନ୍ସି ସହ ଜଡ଼ିତ ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର ଡମିଟ୍ରୋ କାର୍ପେଙ୍କୋଙ୍କ ସହ ଯୋଗାଯୋଗ କରିଥିଲେ। ଷ୍ଟୁପ୍‌ନିକୋଭ୍‌ଙ୍କ ମା’ପୁଟିନଙ୍କ ନୀତିକୁ ବିରୋଧ କରନ୍ତି । କାର୍ପେଙ୍କୋ ଏକ ଏନକ୍ରିପ୍ଟେଡ୍ ନେଟୱାର୍କ ମାଧ୍ୟମରେ ରୁଷୀୟ ସୂଚନାଦାତାମାନଙ୍କ ସହ ଯୋଗାଯୋଗ ରଖୁଥିଲେ ।  ରୁଷ୍ ସୈନିକମାନଙ୍କୁ ଗୁପ୍ତ ତଥ୍ୟ ବଦଳରେ ଅର୍ଥ ମଧ୍ୟ ପ୍ରଦାନ କରୁଥିଲେ। ଏହି ନେଟୱାର୍କ ଜରିଆରେ ହିଁ ଷ୍ଟୁପ୍‌ନିକୋଭ୍‌ଙ୍କ ପଳାୟନ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ୟୁକ୍ରେନ ପଳାଇଲେ ଷ୍ଟୁପ୍‌ନିକୋଭ୍‌
ଜୁଲାଇ ୨୦୨୪ରେ, ଷ୍ଟୁପ୍‌ନିକୋଭ୍ ରାତିରେ ନିଜ ରୁଷୀୟ ୟୁନିଟ୍‌ରୁ ଖସି ଆସି ଉତ୍ତର ଦିଗରେ ୟୁକ୍ରେନ ଆଡକୁ ଯାତ୍ରା କରିଥିଲେ। ଭୂତଳ ବଙ୍କରରୁ ୟୁକ୍ରେନ ଅପରେଟରମାନେ ଲାଇଭ୍ ଭିଡିଓ ଫିଡ୍ ମାଧ୍ୟମରେ ତାଙ୍କର ଗତିବିଧି ଉପରେ ନଜର ରଖିଥିଲେ। ପ୍ରାୟ ୪୦ ମିନିଟ୍ ଚାଲିବା ପରେ ସେ ୟୁକ୍ରେନର ୭୨ତମ ବ୍ରିଗେଡ୍ ସୈନିକମାନଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ସେ ପୂର୍ବରୁ ସ୍ଥିର ହୋଇଥିବା ପାସୱାର୍ଡ ‘ପିନଟ୍ ସପ୍’ କହିବା ପରେ ୟୁକ୍ରେନ ସେନା ତାଙ୍କୁ ଗ୍ରହଣ କରିଥିଲା।