ଭୁବନେଶ୍ୱର-; ହାତରେ ଛୋଟ ଫୋନ୍, ଫିଜିକାଲ୍ କିପ୍ୟାଡ୍ ଏବଂ ସ୍କ୍ରିନ୍ରେ ସ୍ନେକ ଗମେ ଏହି ଦୃଶ୍ୟ ଅନେକଙ୍କ ପୁରୁଣା ଦିନର ସ୍ମୃତିକୁ ତାଜା କରିଦେବ। ମୋବାଇଲ୍ ଦୁନିଆର ଏକଦା ଲୋକପ୍ରିୟ Nokia 3210 ଏବେ ନୂଆ ରୂପରେ ବଜାରକୁ ଫେରିଛି। ତେବେ ଏଥର ଫୋନ୍ରେ ରହିଛି ଆଧୁନିକ ସୁବିଧା ଓ 4G କନେକ୍ଟିଭିଟି। HMD Global ଭାରତୀୟ ବଜାରରେ Nokia 3210 4Gକୁ ୪,୨୯୯ ଟଙ୍କା ମୂଲ୍ୟରେ ଆଣିଛି। ପୁରୁଣା ଡିଜାଇନ୍ ଓ ଫିଜିକାଲ୍ କିପ୍ୟାଡ୍କୁ ବଜାୟ ରଖି ଏଥିରେ ଯୋଡ଼ାଯାଇଛି 4G, USB Type-C ଏବଂ Bluetooth 5.0 ଭଳି ଆଧୁନିକ ଫିଚର୍।

 ମୂଳ Nokia 3210 ପ୍ରଥମେ ୧୯୯୯ ମସିହାରେ ଲଞ୍ଚ୍ ହୋଇଥିଲା। ନୂଆ ମଡେଲ୍ରେ ସେହି ପୁରୁଣା ଫୋନ୍ର ଲୁକ୍କୁ ମନେ ପକାଇଦେବା ଭଳି ଡିଜାଇନ୍ ରହିଛି। କିନ୍ତୁ ଭିତରର ଟେକ୍ନୋଲୋଜି ଏବେ ବେଶ୍ ଆଧୁନିକ। ଫୋନ୍ରେ ରହିଛି ୨.୪ ଇଞ୍ଚ୍ QVGA କଲର୍ ଡିସପ୍ଲେ, ୨ ମେଗାପିକ୍ସେଲ୍ ରିୟର୍ କ୍ୟାମେରା ଓ LED ଫ୍ଲାଶ୍। କନେକ୍ଟିଭିଟି ପାଇଁ 4G ଏବଂ Bluetooth 5.0 ମିଳୁଛି। ଚାର୍ଜିଂ ପାଇଁ ଦିଆଯାଇଛି USB Type-C ପୋର୍ଟ, ସେହିପରି ୩.୫ ମିମି ହେଡଫୋନ୍ ଜ୍ୟାକ୍ ମଧ୍ୟ ରହିଛି। Nokia 3210 4Gରେ ୧,୪୫୦mAh ରିମୁଭେବଲ୍ ବ୍ୟାଟେରୀ ଦିଆଯାଇଛି। HMDର ଲ୍ୟାବ୍ ଟେଷ୍ଟ ଅନୁସାରେ, 4G ନେଟୱର୍କରେ ଏହା ସର୍ବାଧିକ ପ୍ରାୟ ୯.୮ ଘଣ୍ଟା ଟକ୍ ଟାଇମ୍ ଦେଇପାରେ।ସ୍ମାର୍ଟଫୋନ୍କୁ ଦିନକୁ ଦିନ ଚାର୍ଜ କରିବାର ଅଭ୍ୟାସ ଥିବା ଲୋକଙ୍କ ପାଇଁ ଏହି ଫିଚର୍ ଏକ ଅଲଗା ଅନୁଭବ ଦେଇପାରେ।

ପୁରୁଣା ନୋକିଆ ଫୋନର କଥା ଉଠିଲେ ସ୍ନେକ ଗମେ କୁ କିପରି ଭୁଲିହେବ! ନୂଆ Nokia 3210 4Gରେ ମଧ୍ୟ ଏହି କ୍ଲାସିକ୍ ଗେମ୍ ରହିଛି। ଛୋଟ ସ୍କ୍ରିନ୍ରେ ସାପକୁ ଘୁରାଇ ହାଇସ୍କୋର୍ କରିବାର ସେହି ପୁରୁଣା ମଜା ଏବେ ପୁଣି ଫେରିଆସିଛି। ଆଜିର ଗ୍ରାଫିକ୍ସ ଭରା ମୋବାଇଲ୍ ଗେମ୍ ଯୁଗରେ ସ୍ନେକ ଗେମ ର ସରଳତା ହିଁ ଏହାର ନଷ୍ଟାଲଜିଆକୁ ଆହୁରି ବଢ଼ାଇଛି। ତେବେ Nokia 3210 4Gକୁ କେବଳ ପୁରୁଣା ସ୍ମୃତିର ଫୋନ୍ ଭାବିବା ଠିକ୍ ହେବ ନାହିଁ। ଏଥିରେ FM Radio, MP3 Player, microSD Card Support ଏବଂ Bluetooth ଭଳି ସୁବିଧା ମଧ୍ୟ ମିଳୁଛି। ଫୋନ୍ରେ ୬୪MB RAM ଓ ୧୨୮MB ଷ୍ଟୋରେଜ୍ ରହିଛି। ଏହା ସହ Cloud Apps ଜରିଆରେ ଖବର, ପାଣିପାଗ ଓ ଭିଡିଓ ଭଳି କିଛି ସୁବିଧା ମଧ୍ୟ ଉପଲବ୍ଧ ହେଉଛି। ଭାରତୀୟ ବଜାରର ଲିଷ୍ଟିଂରେ UPI Payment ଏବଂ YouTube/YouTube Shorts ଭଳି ଫିଚର୍ର ମଧ୍ୟ ଅଭେଲେବେଲ ରହିଛି ।

ALSO READ-ବଦଳୁଛି ଭାରତ-ଚୀନ ବାଣିଜ୍ୟ ସମୀକରଣ; ବେଜିଂକୁ ଇଲେକ୍ଟ୍ରୋନିକ୍ସ ରପ୍ତାନୀ କରୁଛି ନୂଆଦିଲ୍ଲୀ, ବ୍ରିକ୍ସ ଦେଶକୁ ଏକ୍ସପୋର୍ଟ ବଢ଼ିଛି ୩୪%

​​​​​​​ଏହି ଫୋନ୍କୁ ମୁଖ୍ୟ ସ୍ମାର୍ଟଫୋନ୍ ବଦଳରେ ସେକେଣ୍ଡାରୀ ଫୋନ୍ ଭାବେ ବ୍ୟବହାର କରିହେବ। ଯେଉଁମାନେ କିଛି ସମୟ ପାଇଁ ସୋସିଆଲ୍ ମିଡିଆ ଓ ଅଧିକ ନୋଟିଫିକେସନ୍ରୁ ଦୂରେଇବାକୁ ଚାହାନ୍ତି, ଯାତ୍ରା ସମୟରେ ବ୍ୟାକ୍ଅପ୍ ଫୋନ୍ ଚାହାନ୍ତି କିମ୍ବା କେବଳ କଲ୍ ଓ ଆବଶ୍ୟକ କାମ ପାଇଁ ଏକ ସରଳ ଡିଭାଇସ୍ ଖୋଜୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ବିକଳ୍ପ ହୋଇପାରେ।

୪,୨୯୯ ଟଙ୍କାରେ ପୁରୁଣା ଫୋନ୍ର ନୂଆ ଅବତାର I Nokia 3210 4G ଗୋଟିଏ ପଟେ ୯୦ ଦଶକର ନଷ୍ଟାଲଜିଆ ,ଫିଜିକାଲ୍ କିପ୍ୟାଡ୍ ଓ ସ୍ନେକେ ଗମେକୁ ଫେରାଇ ଆଣୁଛି, ଅନ୍ୟପଟେ 4G, Bluetooth 5.0, USB Type-C, କ୍ୟାମେରା ଓ କିଛି ଡିଜିଟାଲ୍ ସୁବିଧା ଭଳି ଆଧୁନିକ ଫିଚର୍ ମଧ୍ୟ ଦେଉଛି।