ବେଙ୍ଗାଲୁରୁ,୯|୦୬:କର୍ଣ୍ଣାଟକରେ କଂଗ୍ରେସର ଅବସ୍ଥା ଭଲ ନାହିଁ । ମୁଖ୍ୟମନ୍ତ୍ରୀ ବଦଳିଥିଲେ ବି କନ୍ଦଳ କମୁନି । ସିଦ୍ଧରମୈୟାଙ୍କ ଜାଗାରେ ଡିକେ ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ ଦଳର ସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗିଡିବାରେ ଲାଗିଲାଣି । ଅନେକ ନେତା ମନ୍ତ୍ରୀ ପଦ ପାଇ ମଧ୍ୟ ମନ ପସନ୍ଦର ବିଭାଗ ନମିଳିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଉ କିଛି ଦିଲ୍ଲୀ ଯାଇ ଲବି କରିବା ଆରମ୍ଭ କରିଦେଲେଣି ।

ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେଲା ପରେ ପ୍ରଥମେ ରାମଲିଙ୍ଗା ରେଡ୍ଡି ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ । ପରେ ସେ ଏହାକୁ ପ୍ରତ୍ୟାହାର କରିନେଇଥିଲେ । ତଥାପି ଦଳରେ କନ୍ଦଳ ଥମୁନି । ସେହିପରି କୃଷ୍ଣ ବାୟରେ ଗୌଡାଙ୍କୁ ଯେଉଁ ଦାୟିତ୍ୱ ମିଳିଛି ତାହା ସେ ନେଇ ନାହାଁନ୍ତି । ଏନେଇ ସେ ଶିବକୁମାରଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି ।

ଖାଲି ଏତିକି ନୁହେଁ ଗୌଡା ଦିଲ୍ଲୀରେ ପହଁଚିଛନ୍ତି । ସେ ଦଳର ହାଇ କମାଣ୍ଡଙ୍କ ସହ ଯୋଗାଯୋଗ କରିପାରନ୍ତି । କାରଣ ତାଙ୍କୁ ମନ୍ତ୍ରୀ ପଦ ମିଳିଛି । ହେଲେ ରେଡ୍ଡିଙ୍କ ଭଳି ମନପସନ୍ଦର ବିଭାଗ ମିଳିନି । ସେ ଯେଉଁ ବିଭାଗ ଚାହୁଁଛନ୍ତି ତାହା ନିଜେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ପାଖରେ ରହିଛି ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରିଜଓ୍ୱାନ୍ ଅର୍ଶାଦ୍ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ସେ କ୍ୟାବିନେଟ୍ ସଂପ୍ରସାରଣ କରିବାକୁ ଦାବି କରୁଛନ୍ତି । ଏହାସହ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ଲଗି କରୁଛନ୍ତି । ଆଉ କିଛି ବିଧାୟକ ମଧ୍ୟ ମନ୍ତ୍ରୀ ପଦ ମାଗୁଛନ୍ତି । ଯାହା ଡିକେଙ୍କ ପାଇଁ ଅଡୁଆ ବଢାଇଛି ।

ଆଲୋଚନା ହେଉଥିଲା ଯେ, କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେଲେ କଂଗ୍ରେସର କନ୍ଦଳ ଦୂର ହେବ । ଦୀର୍ଘ ବର୍ଷ ଧରି ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ହେଉଥିଲା । ଏବେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ହେଲେ ଦଳର କନ୍ଦଳ ପୂର୍ବ ପରି ସମାନ ରହିଛି । ଅସନ୍ତୁଷ୍ଟଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିଚାଲିଛି । ଯାହା ଆଗାମୀ ଦିନରେ ଦଳକୁ ବ୍ୟାତଫୁଟରେ ପହଁଚାଇପାରେ ।