ଆନନ୍ଦପୁର: ମାଡ଼ ଖାଇବାପରେ ପୋଲିସର ପଶିଲା ଚେତା। ଆଉ ଜବତ କରିଛି ଡିଜେ ଗାଡି। ଗତକାଲି ରାତିରେ ଛାତିଥରା ଶବ୍ଦକରି ଘସିପୁରା ଥାନା ପୋଡାଖମଣ ଅଞ୍ଚଳରେ ଗଣେଷ ଭଷାଣ ଚାଲିଥିବା ସମୟରେ ପୋଲିସ ପହଁଞ୍ଚି ଡିଜେ ଗାଡି ଜବତ କରିବାସହ ଏକ ମାମଲା ରୁଜୁ କରିଛି।

ଗତ ୨ ତାରିଖରେ ଚମୁହିଁ ଅଞ୍ଚଳରେ ଡିଜେ ବଜାଇ ପ୍ରୋସେସନ୍ ଚାଲିଥିବା ବେଳେ ଅଘଟଣ ଘଟିଥିଲା। ବିଳମ୍ବିତ ରାତିରେ ପ୍ରୋସେସନ୍ ବନ୍ଦ କରିବାକୁ ପୋଲିସ ଉଦ୍ୟମ କରିଥିବା ସମୟରେ ପୋଲିସ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏହି ଆକ୍ରମଣରେ ଜଣେ ଏସଆଇଙ୍କ ସମେତ ଜଣେ କନଷ୍ଟେବଲ୍ ଆହତ ହୋଇଥିଲେ । ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ। ଡିଜେ ଗାଡ଼ିକୁ ଜବତ କରି ଥାନାକୁ ନେଇ ଆସିଛି।

Also Read: ସୁସ୍ଥ ହେଲା ଧରା ପଡ଼ିଥିବା ବାଘ ଛୁଆ, ଠାକୁରମୁଣ୍ଡା ରେଞ୍ଜ ଅଫିସରୁ ଗଲା ଯମୁନା ଏନାକ୍ଲୋଜରକୁ

ଅନ୍ୟପଟେ, ଆନନ୍ଦପୁର ଅଞ୍ଚଳରେ ଡିଜେର ଅତ୍ୟଧିକ ଶବ୍ଦ ଉପରେ ରୋକ୍ ଲଗାଇବାକୁ ବୁଦ୍ଧିଜୀବୀ ମହଳରୁ ଦାବି ହୋଇଛି । ଡିଜେର ଛାତି ଥରାଇଦେବା ଭଳି ଉଚ୍ଚ ଶବ୍ଦ ଲୋକଙ୍କ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନରେ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏପରି ପଦକ୍ଷେପ କାହିଁକି ପୋଲିସ୍ ନେଉନଥିଲା ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବି।

ପୋଲିସ ଉପରେ ଆକ୍ରମଣ ଘଟଣା ପରେ ଏବେ ଡିଜେ ବ୍ୟବହାର ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ କେତେ କଡ଼ା ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।