ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ ଏବଂ ବିଭାଗର ସମ୍ଭାବ୍ୟ ଅଦଳବଦଳକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଛି । ଏହାରି ଭିତରେ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଏକ ବକ୍ତବ୍ୟ ସନ୍ନ୍ୟାସ ନେବା ନେଇ ଚର୍ଚ୍ଚାକୁ ଜୋର କରିଛି ।

କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ରାଜନୀତିରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି କି ? ଏହି ପ୍ରଶ୍ନ ତାଙ୍କ ନିଜ ବୟାନରୁ ହିଁ ସୃଷ୍ଟି ହୋଇଛି । ନାଗପୁର ଜିଲ୍ଲାର କାଟୋଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡ଼କରୀ କହିଛନ୍ତି ଯେ, ସେ ବିଗତ ୩୦ ବର୍ଷ ଧରି ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି, କିନ୍ତୁ ଏବେ ଆଉ ବେଶି କାମ କରିପାରିବେ ନାହିଁ । ନୂଆ ପିଢ଼ିକୁ ସୁଯୋଗ ଦିଆଯିବା ଉଚିତ । ତାଙ୍କର ଏହି ବକ୍ତବ୍ୟ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ସମ୍ଭାବ୍ୟ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ନାଗପୁର ଜିଲ୍ଲାର କାଟୋଲଠାରେ ଗଡ଼କରୀ କହିଛନ୍ତି, "ମୁଁ ଗତ ୩୦ ବର୍ଷ ହେବ କ୍ରମାଗତ ଭାବେ ସାର୍ବଜନୀନ ଜୀବନରେ ସକ୍ରିୟ ଅଛି। ମୁଁ ଅନେକ ଉତ୍ଥାନ-ପତନ ଦେଖିଛି ଏବଂ ଅନେକ ପୁରସ୍କାର ମଧ୍ୟ ପାଇଛି । କିନ୍ତୁ ଏବେ ମୁଁ ଆଉ ବେଶି କାମ କରିପାରିବି ନାହିଁ । ନୂଆ ପିଢ଼ିକୁ କାମ କରିବାର ସୁଯୋଗ ଦିଆଯିବା ଉଚିତ ।"

ନୂଆ ପିଢ଼ିକୁ ସୁଯୋଗ ଦେବା ସମ୍ପର୍କିତ ତାଙ୍କର ଏହି ବକ୍ତବ୍ୟ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଠିଆ କରିଛି । କିଛି ରାଜନୈତିକ ସମୀକ୍ଷକ ତାଙ୍କର ଏହି ବକ୍ତବ୍ୟକୁ ରାଜନୈତିକ ସନ୍ନ୍ୟାସର ଏକ ସମ୍ଭାବ୍ୟ ସଙ୍କେତ ଭାବରେ ଦେଖୁଛନ୍ତି । ହେଲେ ଗଡ଼କରୀ ଏପର୍ଯ୍ୟନ୍ତ ଅବସର ନେବା ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି । ତଥାପି ଚର୍ଚ୍ଚା ଜୋର ଧରିଛି।

କୋଭିଡ-୧୯ ମହାମାରୀ ପରେ ତାଙ୍କ ଦିନଚର୍ଯ୍ୟା ଏବଂ ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ବିଷୟରେ ବି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଦଳୀୟ କାର୍ଯ୍ୟ ସମୟରେ ସେ ସିଙ୍ଗଡ଼ା ଖାଉଥିଲେ ଏବଂ ଯେକୌଣସି ସ୍ଥାନରେ ଶୋଇପଡ଼ୁଥିଲେ । କିନ୍ତୁ କରୋନା ପରେ ସେ ଅଧିକ ଡିସିପ୍ଲିନ୍ ହୋଇଯାଇଛନ୍ତି ଏବଂ ଏବେ ପ୍ରତିଦିନ ବିନା କୌଣସି ଭୁଲରେ ଯୋଗ କରୁଛନ୍ତି। ଯଦି ଆପଣ ସୁସ୍ଥ ନାହାନ୍ତି, ତେବେ କ୍ଷମତା ଏବଂ ପଦବୀର କୌଣସି ଲାଭ ନାହିଁ ।