• ଡିଜିଟାଲ ପେମେଣ୍ଟ ଇକୋ ସିଷ୍ଟମକୁ ନିଜ ଗୋଡ଼ରେ ଛିଡା କରିବାରେ ସହାୟତା ମିଳିପାରିବ
  • ଭାରତରେ ୟୁପିଆଇ ୟୁଜରଙ୍କ ସଂଖ୍ୟା ୫୦୦ ନିୟୁତ ପାର ହୋଇସାରିଲାଣି
  • ୟୁପିଆଇ ଚାର୍ଜ ସାଧାରଣ ଗ୍ରାହକ ଅଥବା କ୍ଷୁଦ୍ର ବ୍ୟବସାୟୀଙ୍କ ଛୋଟମୋଟ ନେଣଦେଣ ଉପରେ ଲାଗୁ ହେଉ ନାହିଁ

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟର ସବୁଠୁ ବଡ଼ ମାଧ୍ୟମ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଉପରେ ଲଗାଯାଇଥିବା ଚାର୍ଜ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଜାରି ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ବୁଧବାର ନୀତି ଆୟୋଗ ପୁରା ମାମଲାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏହା ବି କହିଛନ୍ତି ଯେ ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ କାହିଁକି ଲଗା ଗଲା ଓ ଏହା ଜରୁରି କାହିଁକି?

ନୀତି ଆୟୋଗଙ୍କ ସ୍ପଷ୍ଟିକରଣ
ଏହି ପ୍ରକରଣରେ ନୀତି ଆୟୋଗ ଉପାଧ୍ୟକ୍ଷ ଅଶୋକୁ କୁମାର ଲାହିରୀ କହିଛନ୍ତି ଯେ ‘ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ସାମାନ୍ୟ ଚାର୍ଜ ଲଗାଇବା ଦ୍ୱାରା ଏହି ଡିଜିଟାଲ ପେମେଣ୍ଟ ଇକୋ ସିଷ୍ଟମକୁ ନିଜ ଗୋଡ଼ରେ ଛିଡା କରିବା ଅର୍ଥାତ ‘ସେଲଫ ସଷ୍ଟେନିଂ’ କରିବାରେ ସହାୟତା ମିଳିପାରିବ’। ତେବେ ସେ ଏହା ବି କହିଛନ୍ତି ଯେ ଏହି ଶୁଳ୍କକୁ ସର୍ବନିମ୍ନ ରଖାଯିବା ଉଚିତ, ଯାହାଦ୍ୱାରା ସାଧାରଣ ଉପଭୋକ୍ତାଙ୍କ ଉପରେ ଏହାର ଯପରି ବଡ଼ ପ୍ରଭାବ ନ ପଡେ।

ବ୍ୟବସାୟୀଙ୍କୁ ଲାଭ
ଅଶୋକ କୁମାର ଲାହିରୀ ୟୁପିଆଇ ଲାଗି ‘ୟୁଜର ପେଜ ପ୍ରିନ୍ସପାଲ’ ସମ୍ପର୍କରେ ବିଚାର କରିବା କଥା କହିଛନ୍ତି। ସେ ତର୍କ ଦେଇଛନ୍ତି ଯେ ଡିଜିଟାଲ ପେମେଣ୍ଟ ଦ୍ୱାରା କେବଳ ଗ୍ରାହକ ନୁହଁନ୍ତି ବ୍ୟବସାୟୀ ମଧ୍ୟ ଅନେକାଂଶରେ ଲାଭବାନ ହେବେ। ସେ ଜୋର ଦେଇ କହିଛନ୍ତି ଯେ ଡିଜିଟାଲ ପେମେଣ୍ଟ ଆପଣେଇବା ଦ୍ୱାରା ବ୍ୟବସାୟୀଙ୍କୁ କ୍ୟାସ୍ ସମ୍ଭାଳିବାର ଝିନଝଟ୍ ଓ ଚେକ୍ ଜମା କରିବା ଦ୍ୱାରା ପଡୁଥିବା ଖର୍ଚ୍ଚ ଜନିତ ଅସୁବିଧାରୁ ରିହାତି ମିଳିବ।

ଡିଜିଟାଲ ପେମେଣ୍ଟ ଉପରେ କିପରି ପଡିବ ପ୍ରଭାବ?
ତେବେ ଭାରତରେ ୨୦୦୦ ଟଙ୍କାରୁ ଅଧିକ ଟଙ୍କାର ୟୁପିଆଇ ପୈଠରେ ଚାର୍ଜ ଲାଗିବା ଦ୍ୱାରା ଭାରତରେ ଏପରି ପେମେଣ୍ଟ ଉପରେ ପ୍ରଭାବ ପଡିବ ବୋଲି ପ୍ରଶ୍ନ କରାଯିବାରେ ସେ କହିଛନ୍ତି ଯେ ଏହା ଉଦ୍ୟମ ହେବା ଦରକାର ଏହି ଚାର୍ଜ ଯେତେ କମ୍ କରାଯାଇ ପାରିବ ତା ଉପରେ ଜୋର ଦିଆଯିବ। ହେଲେ ଏହା ଲାଗୁ ହେବା ଦରକାର, ଯାହାଦ୍ୱାରା ଏପରି ପୈଠ ଆଗକୁ ଆତ୍ମନିର୍ଭର ବ୍ୟବସାୟରେ ପରିଣତ ହୋଇ ପାରିବ।

କଣ କହୁଛନ୍ତି ‘ବିଲ୍ ଡେସ୍କ’ ନିର୍ଦ୍ଦେଶକ?
ଏହି ଚାର୍ଜ ବିବାଦକୁ ନେଇ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ‘ବିଲ ଡେସ୍କ’ ନିର୍ଦ୍ଦେଶକ ତଥା ସହ ସଂସ୍ଥାପକ ଶ୍ରୀନିବାସୁ ଏମ.ଏନ ମଧ୍ୟ ଏହି ଚର୍ଚ୍ଚା ଉପରେ ନିଜର ବିଚାର ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଙ୍କ ବିପୁଳ ନିବେଶ ଯୋଗୁ ଆଜି ୟୁପିଆଇ ସାଧାରଣ ଲୋକଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ପାରିଛି। ଶ୍ରୀନିବାସୁ କହିଛନ୍ତି ଯେ ଭାରତରେ ୟୁପିଆଇ ୟୁଜରଙ୍କ ସଂଖ୍ୟା ୫୦୦ ନିୟୁତ ପାର ହୋଇସାରିଲାଣି। ଏହି ସିଷ୍ଟମ ଯେପରି ଆଗକୁ ବଢିବାରେ ଲାଗିଛି ଠକେଇରୁ ସୁରକ୍ଷା ଓ ଗ୍ରାହକଙ୍କୁ ସଚେତନ କରିବା ଭଳି ନୂଆ ଟେକ୍ନୋଲୋଜିରେ ଆହୁରି ନିବେଶର ଆବଶ୍ୟକତା ରହିଛି।

କିପରି ଦେବାକୁ ହେବ ଚାର୍ଜ?
ଶ୍ରୀନିବାସୁ ସ୍ପଷ୍ଟ କରିଛନ୍ତି ଯେ ପ୍ରସ୍ତାବିତ ୟୁପିଆଇ ଚାର୍ଜ ସାଧାରଣ ଗ୍ରାହକ ଅଥବା କ୍ଷୁଦ୍ର ବ୍ୟବସାୟୀଙ୍କ ଛୋଟମୋଟ ନେଣଦେଣ ଉପରେ ଲାଗୁ ହେଉ ନାହିଁ। ଏହି ଶୁଳ୍କ କେବଳ ୨୦୦୦ ଟଙ୍କାରୁ ଅଧିକ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ଉପରେ ପଡିବ। ଏହା ଛଡା ୟୁଟିଲିଟି ବିଲ୍, ସରକାରୀ ଟ୍ୟାକ୍ସ, ବୀମା ଓ ଇନ୍ଧନ ବିଲ୍ ଆଦି ନିୟମିତ ପୈଠ ଉପରେ ବିଶେଷ ଛାଡ ରହିବ। ଏହା ଛଡା ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର)ର ଏକ ଅଂଶ ଏକ ସମର୍ପିତ ଫଣ୍ଡରେ ଦିଆଯାଇ ପାରିବ। ଯାହାର ଉପଯୋଗ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ ୟୁପିଆଇର ସମ୍ପ୍ରସାରଣ ପାଇଁ ସହାୟତା କରାଯାଇ ପାରିବ।