ନୂଆଦିଲ୍ଲୀ ୧୬।୦୯; ଗୋଟିଏ ଶବ୍ଦ ଥିଲା... ‘ରିଟାୟର୍’। ଆଉ ଏହି ଗୋଟିଏ ଶବ୍ଦକୁ ନେଇ ହଠାତ୍ ବଢ଼ିଗଲା ବିଗ୍ ବିଙ୍କ ରିଟାୟରମେଣ୍ଟ ଚର୍ଚ୍ଚା। ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଏକ ବ୍ଲଗ୍ ପୋଷ୍ଟ ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଭ୍ରମ। ତାଙ୍କ ଲେଖାରେ ଥିଲା—‘It’s late, time to retire’। ବାସ୍, ଏହି ଲାଇନ୍ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆରମ୍ଭ କି ଅଭିନୟ ଜଗତକୁ ବିଦାୟ କହିବାକୁ ଯାଉଛନ୍ତି କି ବିଗ୍ ବି?

ଏହାକୁ ନେଇ ଫ୍ୟାନ୍ମାନଙ୍କ ଚିନ୍ତା ବଢ଼ିବା ଭିତରେ ଏବେ ନିଜେ ସ୍ପଷ୍ଟୀକରଣ ଦେଇଛନ୍ତି ଅମିତାଭ ବଚ୍ଚନ। ତାଙ୍କ କହିବା ଅନୁସାରେ, ‘ରିଟାୟର୍’ ଶବ୍ଦକୁ ଅଭିନୟରୁ ଅବସର ସହ ଯୋଡ଼ିବା ଠିକ୍ ନୁହେଁ। ତାଙ୍କ ଲେଖାର ଅର୍ଥ ଥିଲା ବିଶ୍ରାମ ନେବା ସନ୍ଦର୍ଭରେ। ଏହି ଭୁଲ୍ ବ୍ୟାଖ୍ୟାକୁ ନେଇ ହୋଇଥିବା ଆଲୋଚନାକୁ ସେ ହାସ୍ୟାସ୍ପଦ ବୋଲି ମଧ୍ୟ କହିଛନ୍ତି।

ଅର୍ଥାତ୍, ବିଗ୍ ବିଙ୍କ ଅବସର ନେବା ଖବରକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ତାହାକୁ ସେ ନିଜେ ବ୍ରେକ୍ ଲଗାଇଛନ୍ତି ଅମିତାଭ। ୮୩ ବର୍ଷ ବୟସରେ ବି ତାଙ୍କ କାମ ପ୍ରତି ଆଗ୍ରହ କମିନାହିଁ। ବର୍ତ୍ତମାନ ‘କୌନ୍ ବନେଗା କରୋଡ଼ପତି ୧୮’ର ହୋଷ୍ଟ ଭାବେ ପୁଣି ଥରେ ଦର୍ଶକଙ୍କ ସହ ଯୋଡ଼ି ହୋଇଛନ୍ତି ବିଗ୍ ବି। ନିଜ ବ୍ୟସ୍ତ କାର୍ଯ୍ୟସୂଚୀ ଏବଂ ଆଗାମୀ ପ୍ରୋଜେକ୍ଟ ସମ୍ପର୍କରେ ମଧ୍ୟ ସେ ନିୟମିତ ଭାବେ ବ୍ଲଗ୍ରେ ଅପଡେଟ୍ ଦେଇଥାନ୍ତି। ତେଣୁ ‘ରିଟାୟରମେଣ୍ଟ’ ଚର୍ଚ୍ଚା ମଧ୍ୟରେ ବିଗ୍ ବିଙ୍କ ସ୍ପଷ୍ଟୀକରଣ ଫ୍ୟାନ୍ମାନଙ୍କୁ ଦେଇଛି ଆଶ୍ୱସ୍ତି। ଏବେ ଅବସର ନୁହେଁ... ଆଗକୁ ମଧ୍ୟ ପରଦାରେ ଅମିତାଭ ବଚ୍ଚନଙ୍କ ଦମ୍ଦାର ଉପସ୍ଥିତି ଦେଖିବାକୁ ମିଳିବ।