ନୂଆଦିଲ୍ଲୀ: ଦେଶର ବିଭିନ୍ନ ମଣ୍ଡିରେ ପିଆଜ ଦର ହ୍ରାସ ହେବାର ଧାରା ଜାରି ରହିଛି। ଗତ ୯ ଦିନ ମଧ୍ୟରେ ଦେଶବ୍ୟାପୀ ପିଆଜର ହୋଲସେଲ ଦର ପ୍ରାୟ ୯ ପ୍ରତିଶତ ପର୍ଯ୍ୟନ୍ତ କମିଛି। ଫଳରେ ଆଗାମୀ ଦିନରେ ଖୁଚୁରା ବଜାରରେ ମଧ୍ୟ ପିଆଜ ଦର କମିବାର ଆଶା ରହିଛି। ଏନେଇ ଉପଭୋକ୍ତା ବ୍ୟାପାର ସଚିବ ନିଧି ଖାରେ କହିଛନ୍ତି ଯେ, ଦେଶରେ ପିଆଜର କୌଣସି ଅଭାବ ନାହିଁ। ସରକାର ୪୮ଟି ସହରରେ କିଲୋପିଛା ୩୫ ଟଙ୍କା ଦରରେ ପିଆଜ ଉପଲବ୍ଧ କରାଉଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ମଙ୍ଗଳବାର ଦେଶରେ ପିଆଜର ହାରାହାରି ଖୁଚୁରା ଦର କିଲୋପିଛା ୫୩.୯୨ ଟଙ୍କା ରହିଛି। ଯାହା ପୂର୍ବ ମାସ ତୁଳନାରେ ପ୍ରାୟ ୪୮ ପ୍ରତିଶତ ଅଧିକ। ଗତବର୍ଷର ସମାନ ସମୟ ତୁଳନାରେ ମଧ୍ୟ ଏଥର ଦର ପ୍ରାୟ ୯୪ ପ୍ରତିଶତ ଅଧିକ ରହିଛି। ତେବେ ହୋଲସେଲ ବଜାରରେ ଦର କମିବା ଆରମ୍ଭ ହୋଇଥିବାରୁ ଖୁଚୁରା ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ସଙ୍କେତ ମିଳୁଛି।

NCCF, NAFED ଏବଂ କେନ୍ଦ୍ରୀୟ ଭଣ୍ଡାରର ରିଟେଲ ଆଉଟଲେଟ୍ ଜରିଆରେ ସରକାର ବଜାର ଦରଠାରୁ କମ୍ ମୂଲ୍ୟରେ କିଲୋପିଛା ୩୫ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି। ଏଥିସହ ମୋବାଇଲ ଭ୍ୟାନ୍ ମାଧ୍ୟମରେ ମଧ୍ୟ ଲୋକଙ୍କ ପାଖରେ ପିଆଜ ପହଞ୍ଚାଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୪୮ଟି ସହରରେ ଏହି ସୁବିଧା ପହଞ୍ଚିଛି। ଦର ନିୟନ୍ତ୍ରଣ ପାଇଁ ସରକାର ୧.୨୧ ଲକ୍ଷ ଟନର ବଫର ଷ୍ଟକ୍ ବ୍ୟବହାର କରୁଛନ୍ତି। ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡ ଅଧୀନରେ ଅଗଷ୍ଟ ୨୪ରୁ ବଫର ଷ୍ଟକର ପିଆଜ ବଜାରକୁ ଛଡ଼ାଯାଉଛି। ମଣ୍ଡିଗୁଡ଼ିକୁ ଶୀଘ୍ର ପିଆଜ ପହଞ୍ଚାଇବା ପାଇଁ ସଡ଼କ ପରିବହନ ସହିତ ସ୍ୱତନ୍ତ୍ର ମାଲବାହୀ ଟ୍ରେନ୍ ‘କାନ୍ଦା ଏକ୍ସପ୍ରେସ୍’ର ମଧ୍ୟ ବ୍ୟବହାର କରାଯାଉଛି।

ଅନ୍ୟପଟେ, ଅଗଷ୍ଟରେ ପିଆଜର ମୁଦ୍ରାସ୍ଫୀତି ହାର ୪୮.୨୭ ପ୍ରତିଶତକୁ ବଢ଼ିଛି। ଜୁଲାଇରେ ଏହି ହାର ୨୨.୫୪ ପ୍ରତିଶତ ଥିଲା। ଅର୍ଥାତ୍ ଗୋଟିଏ ମାସରେ ପିଆଜ ମହଙ୍ଗା ହେବାର ଚାପ ଆହୁରି ବଢ଼ିଛି। ସାଧାରଣତଃ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ପିଆଜ ଦର ବଢ଼ିଥାଏ। ପର୍ବପର୍ବାଣୀ ସମୟରେ ଚାହିଦା ବୃଦ୍ଧି, ବର୍ଷା ଯୋଗୁଁ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବା ଏବଂ ପୁରୁଣା ଫସଲର ଷ୍ଟକ୍ କମିବା ସହ ନୂଆ ଖରିଫ ପିଆଜ ବଜାରକୁ ଆସିବା ମଧ୍ୟରେ ଥିବା ସମୟ ବ୍ୟବଧାନ ଏହାର ପ୍ରମୁଖ କାରଣ।

ତେବେ ଚଳିତବର୍ଷ ପିଆଜ ଉତ୍ପାଦନରେ ବଡ଼ ହ୍ରାସ ହୋଇନାହିଁ। ୨୦୨୫-୨୬ରେ ଦେଶର ମୋଟ ପିଆଜ ଉତ୍ପାଦନ ପ୍ରାୟ ୩୦୭.୩୭ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଛି। ପୂର୍ବବର୍ଷ ଏହା ୩୦୭.୬୭ ଲକ୍ଷ ଟନ୍ ଥିଲା। ଅର୍ଥାତ୍ ଉତ୍ପାଦନରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ସରକାରଙ୍କ ଅନୁସାରେ ଦେଶରେ ପିଆଜର ଯୋଗାଣ ପର୍ଯ୍ୟାପ୍ତ ରହିଛି।