ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୪ ମସିହା ପାଇଁ ଦାଦାସାହେବ ଫାଲକେ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରିଛନ୍ତି । ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ ଆଧାରରେ ସରକାର ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି । ଭାରତୀୟ ସିନେମାରେ ତାଙ୍କ ଅତୁଳନୀୟ ଅବଦାନକୁ ଦେଖି ଏହି ସମ୍ମାନ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନନ୍ତ ନାଗଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ସାଉଥ୍ ଆକ୍ଟର ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯିବ । ତାଙ୍କୁ ଏହି ସମ୍ମାନ ୨୨ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ୭୨ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ଦିଆଯିବ । ଅନନ୍ତ ନାଗ ନିଜ ୫ ଦଶନ୍ଧିରୁ ଅଧିକ ସିନେମା କ୍ୟାରିୟରରେ କନ୍ନଡ଼ ସହ ହିନ୍ଦୀ ସିନେମାରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନନ୍ତଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, "କିମ୍ୱନ୍ଦନ୍ତୀ କଳାକାର ଅନନ୍ତ ନାଗ ଜୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ମିଳିବା ନେଇ ଶୁଭେଚ୍ଛା । ଅନେକ ଦଶନ୍ଧି ଧରି ତାଙ୍କ ଅଭିନୟ, ଅଦ୍ଭୂତ ପ୍ରତିଭା ଏବଂ ଚମତ୍କାର କାମ ଭାରତୀୟ ସିନେମା, ବିଶେଷ କରି କନ୍ନଡ଼ ସିନେମାରେ ଗଭୀର ଛାପ ଛାଡ଼ିଛି । ସେ ଯେଉଁ ବି ଭୂମିକା ନିର୍ବାହ କରିଛନ୍ତି, ସେଥିରେ ସ୍ୱତନ୍ତ୍ର ଗଭୀରତା ଏବଂ ବାସ୍ତବତା ଦେଖାଇଛନ୍ତି । ଏହା ପ୍ରକୃତରେ ଜଣେ ସ୍ୱତନ୍ତ୍ର କଳାକାରଙ୍କ ପାଇଁ ସଂପୂର୍ଣ୍ଣ ରୂପେ ହକଦାର ସମ୍ମାନ ଅଟେ ।"

 

ଅନନ୍ତ ନାଗରକଟ୍ଟେ, ଫିଲ୍ମ ଦୁନିଆରେ ଅନନ୍ତ ନାଗ ନାଁରେ ପରିଚିତ, ଜନ୍ମ ୪ ସେପ୍ଟେମ୍ବର ୧୯୪୮ରେ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଶିରାଲୀ ଗାଁରେ ହୋଇଥିଲା । ମୁମ୍ବାଇରେ ନିଜ ପାଠପଢ଼ା ସମୟରେ ତାଙ୍କ ରୁଚି ଅଭିନୟ ଆଡ଼କୁ ହୋଇଥିଲା । ୧୯୬୦ ଦଶକର ଶେଷ ଭାଗରେ ସେ କନ୍ନଡ, କୋଙ୍କଣୀ, ମରାଠୀ ଏବଂ ହିନ୍ଦୀ ନାଟକ ମାଧ୍ୟମରେ ଥିଏଟର ଜଗତରେ ପାଦ ଥାପିଥିଲେ । ରଙ୍ଗମଞ୍ଚରେ ତାଙ୍କ ଅଭିନୟ ଶୀଘ୍ର ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା ।

ହିନ୍ଦୀ ଫିଲ୍ମରେ ଏଣ୍ଟ୍ରି

ଥିଏଟର ଦିନଗୁଡ଼ିକରେ ତାଙ୍କ ପ୍ରତିଭାକୁ ପ୍ରସିଦ୍ଧ ନିର୍ଦ୍ଦେଶକ ଶ୍ୟାମ ବେନେଗାଲ ଚିହ୍ନିଥିଲେ । ଶ୍ୟାମ ବେନେଗାଲଙ୍କ ଐତିହାସିକ ଫିଲ୍ମ 'ଅଙ୍କୁର'ରୁ ଅନନ୍ତ ନାଗ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ । ଏହାପରେ ସେ ୧୯୭୦ ଏବଂ ୧୯୮୦ ଦଶକର ଭାରତୀୟ 'ସମାନ୍ତରାଳ ସିନେମା'ର ଜଣେ ପ୍ରମୁଖ ଚେହେରା ପାଲଟିଥିଲେ । ସେ 'ନିଶାନ୍ତ', 'ମନ୍ଥନ' ଏବଂ 'ଭୂମିକା' ଭଳି ଐତିହାସିକ ଫିଲ୍ମଗୁଡ଼ିକରେ ଚମତ୍କାର ଅଭିନୟ କରିଥିଲେ । ସେ କନ୍ନଡ଼, ହିନ୍ଦୀ, ତାମିଲ, ମଲୟାଲମ ଓ ମରାଠୀ ଭାଷାରେ ୩୦୦ରୁ ଅଧିକ ସିନେମାରେ କାମ କରିଛନ୍ତି । 

'ମାଲଗୁଡି ଡେଜ୍'ରୁ ନେଇ 'କେଜିଏଫ୍' ପର୍ଯ୍ୟନ୍ତ

ଅନନ୍ତ ନାଗଙ୍କ କ୍ୟାରିୟରରେ ମାଲଗୁଡି ଡେଜ୍ ସ୍ଥାନ ସ୍ୱତନ୍ତ୍ର । ଆର.କେ.ନାରାୟଣଙ୍କ କାହାଣୀଗୁଡ଼ିକ ଉପରେ ଆଧାରିତ ଏହି କାଳଜୟୀ ଟିଭି ଧାରାବାହିକରେ ଅନନ୍ତ ନାଗଙ୍କ ଅଭିନୟ ତାଙ୍କୁ ଘରେ ଘରେ ଲୋକପ୍ରିୟ କରିଦେଇଥିଲା । 'ଗୋଧି ବନ୍ନା ସାଧାରଣ ମାଇକଟ୍ଟୁ', 'ସରକାରୀ ହିରିୟା ପ୍ରାଥମିକ ଶାଲେ', '୭୭୭ ଚାର୍ଲି' ଏବଂ 'କେଜିଏଫ୍ ଚାପ୍ଟର ୧' ଭଳି ଫିଲ୍ମଗୁଡ଼ିକରେ ତାଙ୍କର ପରିପକ୍ୱ ଏବଂ ପ୍ରଭାବଶାଳୀ ଅଭିନୟ ନୂଆ ପିଢ଼ିର ଦର୍ଶକଙ୍କ ମନ ମଧ୍ୟ ଜିତିଥିଲା ।

ଅନନ୍ତ ନାଗଙ୍କୁ ଭାରତୀୟ ସିନେମାରେ ତାଙ୍କର ଯୋଗଦାନ ପାଇଁ ଅନେକ ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୨୫ରେ ପଦ୍ମ ଭୂଷଣ, କର୍ଣ୍ଣାଟକ ରାଜ୍ୟ ଫିଲ୍ମ ପୁରସ୍କାରରେ ୫ ଥର ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ, ଫିଲ୍ମଫେୟାର ପୁରସ୍କାର (ସାଉଥ୍)ରେ ୬ ଥର ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି ।