ମୁମ୍ଵାଇ ୧୬।୦୯; ପ୍ରେମର କାହାଣୀ ପୁରୁଣା... ହେଲେ ପ୍ରେମ ଏବେ ବି ନୂଆ। ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଯୋଡ଼ି ସୂର୍ଯ୍ୟା ଓ ଜ୍ୟୋତିକା। ଏବେ ତାଙ୍କ ବିବାହକୁ ପୂରିଛି ୨୦ ବର୍ଷ। ଆଉ ଏହି ବିଶେଷ ଅବସରକୁ ସେମାନେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ।୨୦ ବର୍ଷ ପରେ ପୁଣି ଥରେ ନେଇଛନ୍ତି ବିବାହ ଶପଥ। ଖ୍ରୀଷ୍ଟିଆନ୍ ରୀତିନୀତିରେ ଆୟୋଜିତ ହୋଇଥିଲା ଏହି ସ୍ୱତନ୍ତ୍ର ସମାରୋହ।

ଏହି ସ୍ୱତନ୍ତ୍ର ସମାରୋହରେ କେବଳ ଦୁହେଁ ନୁହନ୍ତି, ସାମିଲ୍ ହୋଇଥିଲେ ପରିବାରର ସଦସ୍ୟମାନେ। ପୁଅ ଦେବ ନିଜ ମା’ ଜ୍ୟୋତିକାଙ୍କୁ ଆଲ୍ଟାର୍ ପର୍ଯ୍ୟନ୍ତ ନେଇଯାଇଥିବା ବେଳେ, ଝିଅ ଦିୟା ‘ମେଡ୍ ଅଫ୍ ଅନର୍’ ଭାବେ ଦାୟିତ୍ୱ ତୁଲାଇଥିଲେ। ଧଳା ବ୍ରାଇଡାଲ୍ ଗାଉନ୍ରେ ଜ୍ୟୋତିକାଙ୍କ ଲୁକ୍ ଯେତିକି ଚର୍ଚ୍ଚାରେ, ଧଳା ଟକ୍ସିଡୋରେ ସୂର୍ଯ୍ୟାଙ୍କ ଅନ୍ଦାଜ୍ ମଧ୍ୟ ସେତିକି ଆକର୍ଷଣୀୟ। ଆଉ ଯେତେବେଳେ ବ୍ରାଇଡାଲ୍ ଲୁକରେ ଜ୍ୟୋତିକା ସାମ୍ନାକୁ ଆସିଥିଲେ, ଭାବବିହ୍ୱଳ ହୋଇପଡ଼ିଥିଲେ ସୂର୍ଯ୍ୟା। ସେହି ମୁହୂର୍ତ୍ତର ଫଟୋ ଏବେ ସୋସିଆଲ୍ ମିଡିଆରେ ଫ୍ୟାନମାନଙ୍କ ହୃଦୟ ଜିତୁଛି।

ଏହି ସୁନ୍ଦର ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ସୂର୍ଯ୍ୟାଙ୍କ ଭାଇ ତଥା ଅଭିନେତା କାର୍ତ୍ତି ଏବଂ ପରିବାରର ଅନ୍ୟ ଘନିଷ୍ଠ ସଦସ୍ୟମାନେ। ଏହି ଅବସରରେ ଜ୍ୟୋତିକା ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରି ଏହାକୁ ନାଁ ଦେଇଛନ୍ତି-ଦି ସିକ୍ୱେଲ୍’। କେବଳ ଏକ ବିବାହର ୨୦ ବର୍ଷ ପୂର୍ତ୍ତି ନୁହେଁ, ବରଂ ପରସ୍ପରର ଭୁଲ୍ ଓ ତ୍ରୁଟିକୁ ଗ୍ରହଣ କରିବା, ବୁଝାମଣା, ତ୍ୟାଗ ଓ ନିଃସ୍ୱାର୍ଥପର ପ୍ରେମର ଏକ ଉତ୍ସବ ବୋଲି ଜ୍ୟୋତିକା ଏହି ମୁହୂର୍ତ୍ତକୁ ବର୍ଣ୍ଣନା କରିଛନ୍ତି।

ଉଭୟ ଅସଲ ଜୀବନରେ ଦୁହେଁ ଦୁହିଁଙ୍କ ପାଇଁ ଜଣେ ଜଣେ ସାଥୀ, ବନ୍ଧୁ ଓ ଜୀବନସାଥୀ। ସୂର୍ଯ୍ୟାଙ୍କୁ ନିଜର ‘ବେଷ୍ଟ ଫ୍ରେଣ୍ଡ’ ଓ ଜୀବନସାଥୀ ବୋଲି କହିଛନ୍ତି ଜ୍ୟୋତିକା। ୨୦ ବର୍ଷର ସମ୍ପର୍କ... ଦୁଇ ସନ୍ତାନ... ଅସଂଖ୍ୟ ସ୍ମୃତି... ଆଉ ଏବେ ପୁଣି ଥରେ ନୂଆ ଶପଥ। ଏହି ଷ୍ଟାର୍ କପଲ୍ଙ୍କ ଏହି ‘ସିକ୍ୱେଲ୍’ ଏବେ ସୋସିଆଲ୍ ମିଡିଆରେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଫ୍ୟାନ୍ଠାରୁ ଆରମ୍ଭ କରି ସିନେ ଜଗତର ବହୁ ତାରକା ସମସ୍ତେ ଏହି ଯୋଡ଼ିଙ୍କୁ ଜଣାଉଛନ୍ତି ଶୁଭେଚ୍ଛା।