ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ନିସାନ ମୋଟର ଇଣ୍ଡିଆର ନୂଆ ମିଡ୍-ସାଇଜ୍ ଏସ୍ୟୁଭି Nissan Tekton। ଏହାର ପ୍ରାରମ୍ଭଇକ ଏକ୍ସ-ଶୋରୁମ ମୂଲ୍ୟ ୧୦.୪୯ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଟପ୍ ଭାରିଆଣ୍ଟର ଦାମ ୧୮.୫୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ଏସ୍ୟୁଭି ଲଞ୍ଚ କରିବା ସହିତ କମ୍ପାନୀ ପୁଣିଥରେ ଭାରତର ମିଡ୍-ସାଇଜ୍ ଏସ୍ୟୁଭି ସେଗମେଣ୍ଟରେ ନିଜ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ ଆରମ୍ଭ କରିଛି।

ନିଶାନର ନୂଆ ଟେକ୍ଟନ ଏସୟୁଭି ଭାରତୀୟ ବଜାରରେ ପୂର୍ବରୁ ଥିବା ରେନଲ୍ଟ ଡଷ୍ଟର, ଟାଟା ସିଏରା, ହୁଣ୍ଡାଇ କ୍ରେଟା, କିଆ ସେଲ୍ଟୋସ୍, ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରା, ଟୟୋଟା ହାଇଡର୍, ହୋଣ୍ଡା ଏଲିଭେଟ୍, ସ୍କୋଡା କୁଶକ୍ ଏବଂ ଭକ୍ସୱେଗେନ ତାଇଗୁନ୍ ପରି ଲୋକପ୍ରିୟ ଏସ୍ୟୁଭି ସହ ସିଧାସଳଖ ଟକ୍କର ଦେବ। ନିଶାନ ଟେକ୍ଟନ ପାଇଁ ଜୁଲାଇ ୯ ରୁ ବୁକିଂ ଆରମ୍ଭ ହୋଇଛି। ଗ୍ରାହକଙ୍କୁ ଗାଡ଼ିର ଡେଲିଭରି ଜୁଲାଇ ୨୦ରୁ ଆରମ୍ଭ କରାଯିବ।

 

ଦୁଇଟି ଇଞ୍ଜିନ ବିକଳ୍ପ

ନିଶାନ ଟେକ୍ଟନରେ ଦୁଇଟି ପେଟ୍ରୋଲ ଇଞ୍ଜିନ ବିକଳ୍ପ ଦିଆଯାଇଛି। ଗୋଟିଏ ୧.୦-ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ରହିଛି। ଏହା ୧୦୦ ବିଏଚ୍ପି ପାୱାର ସହ ଓ ୧୬୬ ନ୍ୟୁଟନ ମିଟର ଟର୍କ ଉତ୍ପାଦନ କରେ। ଏଥିରେ ୬-ସ୍ପିଡ୍ ମାନୁଆଲ ଗିଅରବକ୍ସ ମିଳିବ। କମ୍ପାନୀ ଦାବି ଅନୁସାରେ ଏହାର ମାଇଲେଜ୍ ପ୍ରତି ଲିଟର ୧୯.୪ କିମି ରହିବ।ସେହିପରି ୧.୩-ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନରେ ୧୬୩ ବିଏଚ୍ପି ପାୱାର ଓ ୨୮୦ ନ୍ୟୁଟନ ମିଟର ଟର୍କ ଉତ୍ପାଦନ କରିବ। ଏଥିରେ ମଧ୍ୟ ୬-ସ୍ପିଡ୍ ମାନୁଆଲ ଓ ୬-ସ୍ପିଡ୍ ୱେଟ୍ ଡୁଆଲ୍ କ୍ଲଚ୍ ଅଟୋମେଟିକ୍ (DCT) ଗିଅରବକ୍ସ ଦିଆଯାଇଛି। ଏଥିରେ ଗ୍ରାହକଙ୍କୁ ଲିଟର ପ୍ରତି ୧୮.୫ କିମି ମାଇଲେଜ ମିଳିବ ବୋଲି କମ୍ପାନୀ ଦାବି କରିଛି।

Also Read- ଭାରତରେ ନୂଆ ସାଟେଲାଇଟ ଫୋନ୍ ଲଞ୍ଚ୍ କଲା BSNL, ହେଲେ ସହଜରେ ମିଳିବନି ବ୍ୟବହାର ଅନୁମତି

ଆକର୍ଷଣୀୟ ଏକ୍ସଟେରିଅର ଡିଜାଇନ

ନୂଆ ଟେକ୍ଟନର ଡିଜାଇନ ନିସାନର ଫ୍ଲାଗ୍ଶିପ୍ ପେଟ୍ରୋଲ ଏସୟୁଭି ଭଳି ହୋଇଛି। ଏଥିରେ ବଡ଼ ଫ୍ରଣ୍ଟ ଗ୍ରିଲ୍, ସି-ଆକାରର ଏଲଇଡି ଡେ-ଟାଇମ୍ ରନିଂ ଲାଇଟ୍, ଏଲଇଡି ହେଡଲ୍ୟାମ୍ପ, ରେଡ୍ ଆକ୍ସେଣ୍ଟ, ସିଲଭର ସ୍କିଡ୍ ପ୍ଲେଟ୍ ଏବଂ ଏଲଇଡି ଫଗ୍ ଲ୍ୟାମ୍ପ ରହିଛି। ସାଇଡ୍ ପ୍ରୋଫାଇଲରେ ୧୮-ଇଞ୍ଚ ଆଲୟ ହ୍ୱିଲ୍, ହିଡେନ୍ ରିୟର ଡୋର ହ୍ୟାଣ୍ଡେଲ୍ ଓ ମସ୍କ୍ୟୁଲାର ହ୍ୱିଲ୍ ଆର୍ଚ୍ କାର୍କୁ ଅଧିକ ପ୍ରିମିୟମ ଲୁକ୍ ଦେଉଛି। ରିୟର ସାଇଡ୍ ବା ପଛ ପାଖରେ କନେକ୍ଟେଡ୍ ସି-ଶେପ୍ ଏଲଇଡି ଟେଲ୍ ଲ୍ୟାମ୍ପ, ରୁଫ୍ ସ୍ପଏଲର୍ ଓ ବଡ଼ ଟେଲଗେଟ୍ ଦେଖିବାକୁ ମିଳିବ। ଗାଡ଼ିର ଲମ୍ବ ୪,୩୪୮ ମି.ମି., ଚଉଡ଼ା ୧,୮୧୫ ମି.ମି., ଉଚ୍ଚତା ୧,୬୭୪ ମି.ମି., ହ୍ୱିଲବେସ୍ ୨,୬୫୭ ମି.ମି. ଓ ଗ୍ରାଉଣ୍ଡ କ୍ଲିଅରାନ୍ସ ୨୧୨ ମି.ମି. ରହିଛି।

ପ୍ରିମିୟମ କ୍ୟାବିନ ଓ ଫିଚର୍ସ

ଟେକ୍ଟନର କ୍ୟାବିନକୁ ପ୍ରିମିୟମ ଲୁକ୍ ଦିଆଯାଇଛି। ଟପ୍ ଭାରିଆଣ୍ଟରେ ଡୁଆଲ୍-ଟୋନ୍ ରୋଜ୍ ଗୋଲ୍ଡ ଥିମରେ ତିଆରି କରାଯାଇଛି। ଏଥିରେ ୧୦.୧-ଇଞ୍ଚ ଟଚସ୍କ୍ରିନ୍ ଇନ୍ଫୋଟେନମେଣ୍ଟ ସିଷ୍ଟମ୍, ୧୦.୨୫-ଇଞ୍ଚ ଡିଜିଟାଲ୍ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଲେଦାରେଟ୍ ସିଟ୍ ଓ ତିନି-ସ୍ପୋକ୍ ଷ୍ଟିୟରିଂ ହ୍ୱିଲ୍ ରହିଛି। ଏହାଛଡ଼ା ପାନୋରାମିକ୍ ସନରୁଫ୍, ୱାୟାରଲେସ୍ ଫୋନ୍ ଚାର୍ଜର୍, ପାୱାର୍ଡ ଟେଲଗେଟ୍, ୬-ୱେ ଇଲେକ୍ଟ୍ରିକ୍ ଆଡଜଷ୍ଟେବଲ୍ ଓ ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଭଳି ସୁବିଧା ମଧ୍ୟ ଦିଆଯାଇଛି।

ସୁରକ୍ଷାରେ ମଧ୍ୟ ଜୋର

ଡ୍ରାଇଭରଙ୍କ ସୁରକ୍ଷାକୁ ମଧ୍ୟ ନୂଆ ଏସୟୁଭିରେ ପୂରା ଲକ୍ଷ୍ୟ କରାଯାଇଛି। ଏଥିରେ ୬ଟି ଏୟାରବ୍ୟାଗ୍, ଲେଭେଲ୍-୨ ADAS, ୩୬୦ ଡିଗ୍ରୀ କ୍ୟାମେରା, ବ୍ଲାଇଣ୍ଡ ସ୍ପଟ୍ ଆସିଷ୍ଟ, ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍, ଫ୍ରଣ୍ଟ ଓ ରିୟର ପାର୍କିଂ ସେନ୍ସର୍ ଭଳି ଆଧୁନିକ ସୁରକ୍ଷା ଫିଚର୍ସ ରହିଛି। ରିନୌଲ୍ଟ ଡଷ୍ଟର ସହ ସମାନ ପ୍ଲାଟଫର୍ମରେ ତିଆରି ହୋଇଥିବା ଟେକ୍ଟନକୁ ୫-ଷ୍ଟାର୍ Bharat NCAP ସୁରକ୍ଷା ରେଟିଂ ମିଳିସାରିଛି। କମ୍ପାନୀର ଦାବି ଅନୁଯାୟୀ, ଏହି ଏସ୍ୟୁଭି Global NCAPରେ ମଧ୍ୟ ୫-ଷ୍ଟାର୍ ସୁରକ୍ଷା ରେଟିଂ ହାସଲ କରିବାର କ୍ଷମତା ରଖିଛି।