ବାଲେଶ୍ଵର: ନୀଳଗିରି ଅଞ୍ଚଳରେ ନକଲି ସାର ଚାଷୀଙ୍କୁ ବଣ୍ଟନ ପରେ ଆରମ୍ଭ ହୋଇଥିଲା ସରକାରୀ ସ୍ତରରେ ଖୋଳତାଡ଼। ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରି ମଧ୍ୟ ଚାଷୀମାନଙ୍କ ଏକତା ଓ ନିଉଜ-୭ କ୍ୟାମେରା ଲେନ୍ସ ଆଗରେ  ଆସାଧୁ ସରକାରୀ କର୍ମଚାରୀ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ତେବେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୃଷି ବିଭାଗ ସାରର ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଇଥିଲେ।  ଶେଷରେ ଡିଏପି ଓ ପଟାସ ସାର ନକଲି ବୋଲି ରିପୋର୍ଟରେ ଆସିଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଚାଷୀମାନେ ଧାନ ଚାଷ କରୁଥିବା ବେଳେ ସରକାରୀ ଯୋଜନା ଉପରେ ନର୍ଭର କରନ୍ତି। ବଜାର ମାର୍କେଟରେ ସାର ନକଲି ମିଳିବା ସମ୍ଭାବନା ଥିବାରୁ ସରକାରୀ ସ୍ତରରେ ଯେଉଁ ସାର ଯୋଗାଣ ହେଉଛି ଏହାରି ଉପରେ ବିଶ୍ୱାସ ରଖିଥାନ୍ତି। ହେଲେ କିଛି ଅସାଧୁ ସରକାରୀ କର୍ମଚାରୀ ନକଲି ସାର ଯୋଗାଇବା ସହ ମୋଟା ଅଙ୍କରେ ଅର୍ଥ ରୋଜଗାର କରୁଥିବା ଭଳି ଅଭିଯୋଗ ହୋଇଥିଲା। ଶେଷରେ କିଛିଦିନ ତଳେ ନୀଳଗିରି ବ୍ଲକ ତରଫରୁ ଫାର୍ମାର ପ୍ରଡ୍ୟୁସର ଅର୍ଗାନାଇଜରର ସିଇଓ ସସ୍ମିପ୍ରଭା ରାଉତ ଚାଷୀଙ୍କ ପାଇଁ ସାରର ଆବଶ୍ୟକତା ନେଇ ଏମିବିକେ ଓ ପ୍ରାଣୀମିତ୍ରଙ୍କ ଜରିଆରେ ଚିଠା ପ୍ରସ୍ତୁତି କରି ସାର ଯୋଗାଇଥିଲେ।

 ନୀଳଗିରି ବ୍ଲକ ମଛୁଆ, ବେଗୁନିଆ ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ବ ଚାଷୀମାନେ ଡିଏପି ଓ ପଟାସ ସାର ନେଇଥିଲେ। ହେଲେ ସାର ବୁରା ଖୋଲିବା ବେଳକୁ ତାହା ନକଲି ବୋଲି ସେମାନେ ଜାଣିବାକୁ ପାଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ କୃଷି ଅଧିକାରୀ ଯାଇ ଯାଞ୍ଚ ମଧ୍ୟ କରିଥିଲେ। ଘଟଣାକୁ ଚାପିବାକୁ ଉଦ୍ୟମ କରି ଚାଷୀଙ୍କୁ ସାର ଫେରାଇ ଦେବାକୁ କହି ଟଙ୍କା ନେବାକୁ କୁହାଯାଇଥିଲା। ବିଜେପି କୃଷକ ମୋର୍ଚ୍ଛାର ସଭାପତି ତାପଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସାର ବୁରା ଧରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ପହଁଞ୍ଚି ଘଟଣାର ଦୃଷ୍ଟି ଆକର୍ଷଣ କରାଯାଇଲା। ତେବେ ବିନା ଆଇଡି ଓ ବିନା କାଗଜପତ୍ରରେ ସାର ଆଣିବା ନେଇ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଲିଖିତ ଅଭିଯୋଗ କରି ଏସପିଙ୍କ ଆଗରେ ଏକ ଏତଲା ମଧ୍ୟ ଦେଇଥିଲେ। ବିଭାଗୀୟ ସିଇଓ ସସ୍ମିପ୍ରଭା ରାଉତ ନୂଆ ବୋଲି କହି ନକଲି ସାର କଥା ଜାଣିନଥିବା କହିଥିଲେ। ତେବେ ଏଡିଏମ ଘଟଣାର ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ।

Also Read- Odisha vegetable price hike : ପରିବା ଦର ବଢ଼ିଲା, ଚିନ୍ତା ଘାରିଲା ; ଏବେ କିଲେ ଯାଗାରେ ଅଢେଇଶହ

ସହକାରୀ କୃଷି ଅଧିକାରୀ ରତିକାନ୍ତ ମହାନ୍ତି, ବ୍ଲକ କୃଷି ଅଧିକାରୀ ମିତାଲି ନାଏକ, ଏଡିଓ ସସ୍ମିତା ମହନ୍ତ ମାଜିଷ୍ଟ୍ରେଟ ତଥା ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଶୁଭଶ୍ରୀ ଜେନା ମଛୁଆ ଗାଁ ଯାଇ ଦିଆଯାଇଥିବା ସାରର ନମୁନା ଜବତ କରିଥିଲେ।  ପରେ ଏହାର ମାନ ପାଇଁ ଲ୍ୟାବ ପଠାଯାଇଥିଲା। ରିପୋର୍ଟ ଆସିଲେ କାର୍ଯ୍ୟନୁଷ୍ଠାନ ହେବ ବୋଲି  କୁହାଯାଇଥିଲା। ତେବେ ଲ୍ୟାବରୁ କୃଷି ବିଭାଗକୁ ରିପୋର୍ଟ ଆସିଥିବା ଜଣାପଡିଛି। ଡିଏପି ଓ ପଟାସ ସାର ନକଲି ବୋଲି ରିପୋର୍ଟରେ ଉଲ୍ଲେଖ ଥିବାବେଳେ କୃଷି ବିଭାଗ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ନକଲି ସାର ଯୋଗାଇବା ପଛରେ କାହାର ହାତ ଅଛି, ଖାଲି ନୀଳଗିରି ନୁହଁ ବାଲେଶ୍ଵର ଜିଲ୍ଲାରେ ଏହାର ମାଷ୍ଟର ମାଇଣ୍ଡ କିଏ , ଓରମାସର ଭୂମିକା କଣ ଏନେଇ ଗୋଟିଏ ପରେ ଫିଟିବ ବୋଲି ଜଣାପଡିଛି। ତେବେ ତଦନ୍ତ ଦାୟିତ୍ୱରେ ଥିବା ନୀଳଗିରି ଉପଜିଲ୍ଲାପାଳ କିଭଳି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।