ନୂଆଦିଲ୍ଲୀ, ୧୨/୦୯ : ପାକିସ୍ତାନରେ ଲୁଚିଛି ଭାରତର ମୋଷ୍ଟ୍ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦ । ଏନେଇ ସୂଚନା ଦେଇଛି ଏନଆଇଏ । ଜମ୍ମୁର ଏକ ସ୍ୱତନ୍ତ୍ର କୋର୍ଟରେ ଏନଆଇଏ ଅଧିକାରୀ ଏହା କହିଛନ୍ତି । ମାମଲାର ଶୁଣାଣି କରି କୋର୍ଟ ହାଫିଜ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିଛନ୍ତି । ଗତ ଦୁଇ ମାସ ବିରୋଧରେ ହାଫିଜ ବିରୋଧରେ ଏହା ଦ୍ୱିତୀୟ ବଡ଼ ଆକ୍ସନ୍ ଅଟେ ।

ଏନଆଇଏ କୋର୍ଟରେ କହିଛି ଯେ, ହାଫିଜ ପାକିସ୍ତାନରୁ ଆରମ୍ଭ କରି କାଶ୍ମୀର ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରହିଛି । ସେ ପାକିସ୍ତାନରେ ରହି ଟଙ୍କା ଏବଂ ନିର୍ଦ୍ଦେଶ ଦେଉଛି । ଗିରଫ ହେବା ଭୟରେ ସେ ଲୁଚିଛି । ତେଣୁ ତାକୁ ଗିରଫ କରିବାକୁ ଅନୁମତି ଦିଆଯାଉ ବୋଲି ସଂସ୍ତା କୋର୍ଟରେ ପ୍ରକାଶ କରିଛି ।

ଏହି ମାମଲା ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ତଦନ୍ତ ସହ ଜଡିତ । ଏହାର ଆରମ୍ଭ ମହମ୍ମଦ ନକିଭ୍ ଭଟ୍ଟର ଗିରଫଦାରୀରୁ ହୋଇଥିଲା । ନକିଭକୁ ଶ୍ରୀନଗରର ପାଣ୍ଡାଚରେ ଚେକିଂ ବେଳେ ଗିରଫ କରାଯାଇଥିଲା । ତା ପାଖରୁ ଏକ ଗ୍ରେନେଡ୍ ଏବଂ ୧୫ଟି ଜୀବନ୍ତ ଗୁଳି ମିଳିଥିଲା । ନକିଭ୍ ବିରୋଧରେ ୟୁଏପିଏ ଅଧିନରେ ମାମଲା ରୁଜୁ ହୋଇଥିଲା।ଏହାପରେ ଲଶ୍କରର ଅନେକ ଆତଙ୍କବାଦୀ ଗିରଫ ହୋଇଥିଲେ । କିଛି ପାକିସ୍ତାନ ନାଗରିକ ମଧ୍ୟ ଧରା ପଡିଥିଲେ । ଅଧିକ ତଦନ୍ତ ପରେ ହାଫିଜ ସୟିଦର ଭୂମିକା ଥିବା ଜଣାପଡିଥିଲା ।

Also Read :- ଓଡିଶାକୁ ବାତ୍ୟା ଭୟ : ଇସ୍ରୋ ଦେଲା ଚେତାବନୀ...ମାଡ଼ି ଆସୁଛି ତିନି 'ସୁପର୍ ସାଇକ୍ଲୋନ୍'

ମାମଲାର ଶୁଣାଣି କରୁଥିବା ବିଚାରପତି ପ୍ରେମ୍ ସାଗର କହିଛନ୍ତି ଯେ, ତଦନ୍ତରେ ହାଫିଜର ଭୂମିକା ସ୍ପଷ୍ଟ ହୋଇଛି । ସେ ଏବେ ଫେରାର ଅଛି । ତାକୁ ଅଦାଲତରେ ହାଜର କରାଯାଇ ପାରିବ ନାହିଁ । ତେଣୁ ତା ବିରୋଧରେ ଜାମିନ ବିହୀନ ଗିରଫ ଓ୍ୱାରେଣ୍ଟ୍ ଜାରି କରାଯାଉଛି । ଅର୍ଥାତ ସେ ଗିରଫ ହେବା ପରେ ତାକୁ ତୁରନ୍ତ କୋର୍ଟରେ ହାଜର କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।