ନୂଆଦିଲ୍ଲୀ, ୧୨/୦୯ : ମାଡ଼ି ଆସିବ ମହାବାତ୍ୟା । ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ଏକାଠି ହେବେ ଚାରି ମେଘ। ମାଡ଼ିଆସିବ ସମୁଦ୍ର ଜୁଆର। କିଛି ଏମିତି ଘଟିପାରେ ଭାରତର ପୂର୍ବ ଉପକୂଳରେ । କାରଣ ବର୍ଷ ଶେଷ ଆଡକୁ ମାଡ଼ି ଆସୁଛି ତିନୋଟି ବଡ଼ ସାଇକ୍ଲୋନ୍ । ଯେଉଁଥିରୁ ବର୍ତ୍ତିବନି ଓଡିଶା – ଆନ୍ଧ୍ରପ୍ରଦେଶ । କିଛି ଏମିତି ପୂର୍ବାନୁମାନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ। ଯାହାକୁ ନେଇ ଏବେଠୁ ଛାନିଆ ହେଲେଣି ଲୋକେ।

ଓଡିଶା ଏବଂ ବାତ୍ୟା । ସତେ ଯେପରି ବର୍ଷ ବର୍ଷ ଧରି ଏମାନଙ୍କ ସମ୍ପର୍କ । ପ୍ରତିବର୍ଷ ରାଜ୍ୟରେ ମାଡ଼ ହୁଏ ଛୋଟ ବଡ ଅନେକ ବାତ୍ୟା । ଅକ୍ଟୋବର ଆସିଲେ ଛାତି ଥରି ଉଠେ । କାରଣ ୧୯୯୯ ମସିହା ଅକ୍ଟୋବରରେ ଆସିଥିଲା ମହାବାତ୍ୟା । ପ୍ରାଣ ହରାଇଥିଲେ ଶହଶହ ଲୋକେ । ଅନେକ ଗାଁ ମାଟିରେ ମିଶିଯାଇଥିଲା । ସେହିପରି ୨୦୧୯ ମେ ମାସରେ ଆସିଥିବା ଫନି ବି ରଚିଥିଲା ତାଣ୍ଡବ । ପୁରୀ ଜିଲ୍ଲାରେ କରିଥିଲା ଲ୍ୟାଣ୍ଡଫଲ୍ । ଭୂବନେଶ୍ୱରରେ ରଚିଥିଲା ପ୍ରଳୟ । ୭ ଦିନ ଯାଏଁ ଅନେକ ଜାଗା ରହିଥିଲା ଅନ୍ଧାରରେ । ଭାଙ୍ଗିଥିଲା ଘର ଏବଂ ମୋବାଇଲ ଟାଓ୍ୱାର । ବିଛିନ୍ନ ହୋଇଥିଲା ଯୋଗାଯୋଗ । ଏବେ ଘାରିଲାଣି ସମାନ ଭୟ ।

ଇସ୍ରୋର ମଡେଲ୍ କହୁଛି ଯେ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଭାରତ ମହାସାଗରରେ ସୃଷ୍ଟି ହେବ ତିନୋଟି ସାଇକ୍ଲୋନ୍ । ଯାହାର ପାଓ୍ୱାର ଡିସିପେସନ ଇଣ୍ଡେକ୍ସ ଏକ କୋଟି ଉପରେ ରହିବ । ଅର୍ଥାତ ଏହାର ବଳ ଅଧିକ। ସରଳ ଭାଷାରେ କହିଲେ ଅଧିକ ପିଡିଆଇ ଅର୍ଥ ଅଧିକ ଭୟାନକ । ଗତ ୪୪ ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଠୁ ବି ବେଶି ଶକ୍ତିଶାଳୀ । ଝଡ଼ର ଶକ୍ତି ପୂର୍ବ ତୁଳନାରେ ୮୩ ପ୍ରତିଶତ ଅଧିକ ରହିବ। ଏହି ସବୁ ଭାରତ ମହାସାଗରର ଉତ୍ତରରେ ସୃଷ୍ଟି ହେବ।

ତେବେ ଇସ୍ରୋକୁ ସମ୍ଭାବ୍ୟ ବାତ୍ୟା ଆକଳନ ପାଇଁ କରିବାକୁ ପଡିଥିଲା ଅନେକ କସରତ । ଦୀର୍ଘ ୪୦ ବର୍ଷର ଡାଟାକୁ ଏକାଠି କରିଥିଲେ ବୈଜ୍ଞାନିକ । କେଉଁଠୁ ଏମାନଙ୍କ ସୃଷ୍ଟି । କେତେ ଶକ୍ତିଶାଳୀ ଏମାନେ । ଏସବୁର ଟିକିନିକି ତଥ୍ୟ ହାସଲ କରିଥିଲେ ବୈଜ୍ଞାନିକ । ସବୁଠାରୁ ଖାସ୍ କଥା ହେଲା କି ଏବେଠୁ ବାତ୍ୟାର ଗତିପଥ ଏବଂ ଲ୍ୟାଣ୍ଡଫଲ୍ ସ୍ପଟ୍ ଟ୍ରାକ୍ କରିବା ଅସମ୍ଭବ । ବାତ୍ୟାର ଆଖି ଆସିବା ପରେ ହିଁ ଏସବୁ ସ୍ପଷ୍ଟ ହେବ । ଯେଉଁଥିପାଇଁ ହାତରେ ସମୟ ବି ଅଛି ।

ଅନ୍ୟ ଏକ ଦିଗକୁ ଦେଖିଲେ ଚଳିତ ବର୍ଷ ଦେଶରେ ମୌସୁମୀ ସେତେ ଆକ୍ଟିଭ୍ ନାହିଁ । ଅନେକ ଜାଗାରେ ବର୍ଷାର ପରିମାଣ କମିଛି । ହେଲେ ଓଡିଶାରେ ଦେଖାଦେଇଛି ବ୍ୟତିକ୍ରମ । ଏଠାରେ ସ୍ୱାଭାବିକ ଠାରୁ ହୋଇଛି ବେଶି ବର୍ଷା । ଉତ୍ତର ଓଡିଶାରେ ହିଁ ବେଶି ବର୍ଷିଛି । ବନ୍ୟା ବି ଆସିଛି । ଏଲନିନୋ ସହ ଜଳବାୟୁର ପରିବର୍ତ୍ତନର ଶିକାର ହୋଇଚି ରାଜ୍ୟର ଉତ୍ତର ଭାଗ । ଯାହାକୁ ଦେଖିଲେ ସମ୍ଭାବ୍ୟ ବାତ୍ୟା ଭଦ୍ରକ, ବାଲେଶ୍ୱରରେ ମାଡ ହେବାର ସମ୍ଭବନା ବି ରହିଛି । କିନ୍ତୁ ଏହା କେବଳ ଏକ ଆକଳନ । ଯାହା ସମୁଦ୍ରରେ ବାତ୍ୟାର ରୂପ ନେବା ପରେ ହିଁ ସ୍ପଷ୍ଟ ହେବ ।