ରାୟପୁର: ଛତିଶଗଡ଼ ଇତିହାସର ସବୁଠୁ ଭାୟନକ ନକ୍ସଲ ଆକ୍ରମଣ ୨୦୧୩ର ଝିରମଘାଟି ନରସଂହାର ରାୟ ଆସିଛି। ଏନଆଇଏ ସ୍ୱତନ୍ତ୍ର କୋର୍ଟ ମାମଲାର ରାୟ ଘୋଷଣା କରିଥିବା ବେଳେ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାର ଶୁଣାଣି ଏନଆଇଏ ସ୍ୱତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ୍ ଅଜୟ ସିଂହ ରାଜପୁତଙ୍କ ବେଞ୍ଚରେ ଚାଲୁଥିଲା। ଅଗଷ୍ଟ ୧୨ ତାରିଖ ଦିନ ସ୍ୱତନ୍ତ୍ର କୋର୍ଟରେ ଝିରମ ଘାଟି ନରସଂହାରର ଶେଷ ଶୁଣାଣି ସମାପ୍ତ ହୋଇଥିଲା।

ଉଭୟପକ୍ଷଙ୍କ ତର୍କ ଶୁଣିବା ପରେ ବିଚାରପତି ରାୟ ସଂରକ୍ଷିତ ରଖିଥିଲେ ଓ ଅଗଷ୍ଟ ୩୧ରେ ଘୋଷଣା ହେବ ବୋଲି କହିଥିଲେ। ତେବେ ଶୁଣାଣି ଟଳିଥିବା ବେଳେ ସେପ୍ଚେମ୍ବର ୫ ତାରିଖରେ ଘୋଷଣା ହୋଇଛି। ଏହି ମାମଲାର ବିସ୍ତୃତ ଯାଞ୍ଚ ପରେ ଏନଆଇଏ ୨୦୧୫ ମସିହାରେ ୧ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା। ଆରମ୍ଭରେ ଏନଆଇଏ ମାମଲାରେ ୧୧ଜଣଙ୍କୁ ଅଭିଯୁକ୍ତ କରିଥିଲା। ତେବେ ଯାଞ୍ଚ ଓ ଶୁଣାଣି କାଳରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୧୦ ଜଣ ଅଭିଯୁକ୍ତ ଏବେ ଜଗଦ୍ଦଲପୁର ଜେଲରେ ବନ୍ଦୀ ଅଛନ୍ତି।

ଜାଣନ୍ତୁ ପୁରା ମାମଲା କ’ଣ?
ଛତିଶଗଡ଼ ବସ୍ତର ସଂଭାଗରେ କଂଗ୍ରେସ ପାର୍ଟି ପକ୍ଷରୁ ୨୫ ମେ ୨୦୧୩ରେ ଏକ ପରିବର୍ତ୍ତନ ଯାତ୍ରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମପାଇଁ ନେତାଙ୍କ ଗାଡି ଝିରମ ଘାଟି ପାର କରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଶତାଧିକ ମାଓବାଦୀ ସେମାନଙ୍କ ଉପରକୁ ଚାରିପଟୁ ଅନ୍ଧାଦୁନିଆ ଗୁଳି ବର୍ଷା କରିଥିଲେ। ମାଓବାଦୀଙ୍କ ଏହି କାଣ୍ଡରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଏନଆଇଏ ଚାର୍ଜସିଟ୍ ରେ ଅଧିକାରୀକ ଭାବେ ୨୭ ଜଣଙ୍କ ମୃତ୍ୟୁ ପୁଷ୍ଟି କରିଛି।

ନକ୍ସଲଙ୍କ ଏହି ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲେ ବରିଷ୍ଠ କଂଗ୍ରେସ ନେତା। ଏହି ଆକ୍ରମଣରେ ତତ୍କାଳୀନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନନ୍ଦ କୁମାର ପଟେଲ, ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର କର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳାଙ୍କ ସମେତ ଅନେକ ପ୍ରମୁଖ ନେତା ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ।