ସୋର: ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ‘ଶ୍ରୀ ଲକ୍ଷ୍ମୀ’ ନାମକ ଏକ ତୀର୍ଥଯାତ୍ରୀ ବସ୍ ଆନ୍ଧ୍ରପ୍ରଦେଶର ବିଜୟନଗରମରୁ ଯାତ୍ରୀମାନଙ୍କୁ ନେଇ କୋଲକାତା ଭ୍ରମଣ ସାରି ପୁରୀ ଅଭିମୁଖେ ଯାଉଥିଲା। ସୋର ଥାନା ଅଞ୍ଚଳର ବିଦୁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଡିଭାଇଡରରେ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା।

ଦୁର୍ଘଟଣା ସମୟରେ ବସ୍‌ରେ ମୋଟ ୫୩ ଜଣ ତୀର୍ଥଯାତ୍ରୀ ଥିଲେ। ଏଥିରେ ୨୦ ଜଣ ଆହତ ହୋଇଥିବାବେଳେ ‘ଲାଜ’ ନାମକ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।

ତିନୋଟି ଆମ୍ବୁଲାନ୍ସ ଯୋଗେ ଆହତ ଯାତ୍ରୀମାନଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।