ଭୁବନେଶ୍ଵର: ଜୀବନର ମୋଡ଼ କେତେ ବେଳେ ହଠାତ ବଦଳିଯାଏ, କେହି ବି କହିପାରିବନି। ଜୀବନର ସଂଘର୍ଷରେ ଲଢ଼େଇ କରୁ କରୁ ଆରପାରିକୁ ଚାଲିଗଲେ ସାମ୍ବିଦିକ ଶିଲା ପଟ୍ଟନାୟକ। ପିପିଲିର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୩୯ ବର୍ଷ ହୋଇଥିଲା। ପାରିବାରିକ ବିବାଦରେ କୋର୍ଟକଚେରୀ ଧାଉଁ ଧାଉଁ ତାଙ୍କୁ ଏତେବାଟ ଯିବାକୁ ପଡ଼ିବ କିଏ ଜାଣିଥିଲା। ଭୁବନେଶ୍ବର ପୁରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୀଲା ପଟ୍ଟନାୟକଙ୍କର ଦେହାନ୍ତ ହୋଇଛି। ଏହି ଘଟଣା ପରେ ରାଜପଥରେ ପଡିଥିବା ବାଲିକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସାମ୍ବାଦିକତାରେ ଏକ ନିଆରା ପରିଚୟ ସୃଷ୍ଟି କରିଥିଲା ଶିଲା ପଟ୍ଟନାୟକ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ନେଇ ଅନେକ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ-7 ର ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ । ଜଣେ ଦାୟିତ୍ବସମ୍ପନ୍ନ ସାମ୍ବାଦିକା ଭାବେ ଗଣମାଧ୍ୟମ ଜଗତରେ ତାଙ୍କର ସୁନାମ ରହିଥିଲା । ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ, ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି । ଓଁ ଶାନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମ୍ବାଦିକ ଶିଲା ପଟ୍ଟନାୟକଙ୍କ ବିୟୋଗରେ  ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯୁବ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ଅକାଳ ବିୟୋଗ ଖବର ଦୁଃଖଦାୟକ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁର ଠାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣାରେ ସାମ୍ବାଦିକା ଏବଂ ତାଙ୍କ ସମ୍ପର୍କୀୟଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।

ସକାଳେ ପଡ଼ୋଶୀ ଶିପିକା ପ୍ରିୟଦର୍ଶିନୀଙ୍କ ସହିତ ପୁରୀ ଯାଉଥିଲେ ଶିଲା। କାରରେ ଯାଇପାରିଲେନି କାରଣ ଇ-ଚାଲାଣ ଲାଗିଥିବାରୁ ଭୟ ଥିଲା, ଉଭୟ ବସରେ ଯିବାର ଥିଲା କିନ୍ତୁ ସ୍କୁଟର ଧରି ଦୁଇ ଜଣ ବାହାରିଲେ।  ଜାତୀୟ ରାଜପଥ ୩୧୬ରେ ସବୁକିଛି ସ୍ବାଭାବିକ ଥିଲା। ହେଲେ ହଠାତ ଏକ ବସ୍ ପଛପଟୁ ଆସି ମାଡ଼ିଗଲା ଆଉ ଉଭୟଙ୍କ ଉପରେ ଚଢ଼ିଗଲା। ମାତ୍ର କିଛି ସେକେଣ୍ଡ। ଉଭୟ ଚାଲିଗଲେ ଆରପାରିକୁ। ଶିଲାଙ୍କ ପରିବାର ଲୋକ ଚକ୍ଷୁଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁସାରେ ରାସ୍ତା ଉପରେ ଗଦା ହୋଇଥିବା ବାଲି କାଳ ହେଲା, ଯେଉଁଥିପାଇଁ ସ୍କୁଟରର ଚକା ସ୍କିଡ କଲା ଆଉ ଏତିକିବେଳେ ଦ୍ରୁତ ଗତିରେ ଆସୁଥିଲା ବସ୍ ସେମାନଙ୍କ ଉପରେ ମାଡ଼ିଗଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ମଙ୍ଗଳପୁର ହସ୍ପିଟାଲ ନେଇଥିଲେ। ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଘଟଣା ସ୍ଥଳରେ ପିପିଲି ପୋଲିସ ତୁରନ୍ତ ପହଞ୍ଚିଥିଲା। ଦୌଡ଼ାଦୌଡ଼ି ହୋଇ ପରିବାର ଲୋକେ, (କାନ୍ଦିବାର ଭିଜୁଆଲ) ଅଫିସ୍ ସହକର୍ମୀ ସମସ୍ତେ ପହଞ୍ଚିଥିଲେ। ଆଉ ଶିଲାଙ୍କ ଅକାଳ ବିୟୋଗକୁ କେହି ବି ସହଜରେ ଗ୍ରହଣ କରିପାରିନଥିଲେ।

ଦର୍ଶକ ବନ୍ଧୁ ଶିଲା ନିଜ ପାଇଁ ସୃଷ୍ଟି କରିଥିଲେ ନୂଆ ଉଦାହରଣ। ସମାଜ ସେବା ମାଧ୍ୟମରେ ଛୋଟ ଛୋଟ ପିଲାଙ୍କ ପାଇଁ ସେ କାର୍ଯ୍ୟ ଜାରି ରଖିଥିଲେ। ସେହିପରି ସାମ୍ବାଦିକତାରେ ସେ ଭିନ୍ନଧର୍ମୀ କାହାଣୀ ଉତ୍ଥାପନ କରି ସବୁବେଳେ ଦୃଷ୍ଟି ଆକର୍ଷଣ କରୁଥିଲେ। ଦୁଇ ଦିନ ତଳେ ରାଜଧାନୀର ଗୁଡ଼ି ଉଡ଼ା ପରମ୍ପରାକୁ ନେଇ ଖବର କରିଥିଲେ। ହେଲେ ତାଙ୍କ ଗୁଡ଼ି ଯେ ମାଞ୍ଜା ଛିଡ଼ାଇ ଏତେ ଦୂରକୁ ଚାଲିଯିବ ଏକଥା ଭାବି ଅନେକ ହତବାକ୍ ହୋଇଯାଇଛନ୍ତି।

ନ୍ୟୁଜ ସେଭେନ କାର୍ଯ୍ୟାଳୟ ସାମ୍ନରେ  ଯେଉଁଠାରେ ଶିଲା ନିଜ ସ୍ବପ୍ନର ଗୁଡ଼ି ଉଡ଼ାଉଥିଲେ, ତାଙ୍କୁ ଦେଖିଦେଲେ ସହକର୍ମୀମାନେ ଖୁବ୍ ଖୁସି ହୋଇଯାଉଥିଲେ। ଆଜି ଯେତେବେଳେ ଶିଲାଙ୍କ ମର ଶରୀର ନ୍ୟୁଜ ସେଭେନ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଲା ସହକର୍ମୀମାନେ ଶୋକ ସମ୍ବରଣ କରିପାରିନଥିଲେ। ସୋସିଆଲ ମିଡିଆରେ ଅନେକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।  ଶିଲାଙ୍କ ମୃତ୍ୟୁକୁ ନେଇ  ରାଜ୍ୟର ମନ୍ତ୍ରୀମାନେ ଶୋକ ପ୍ରକାଶ କରିଏକ୍ସରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି। ସହକର୍ମୀ, ସାମ୍ବାଦିକବନ୍ଧୁମାନେ ମଧ୍ୟ ଶିଲାଙ୍କ ଅକାଳ ବିୟୋଗରେ ହତବାକ ହୋଇଯାଇଛନ୍ତି।

ରାଜପଥରେ ଠାଏ ଠାଏ ଗଦା ହୋଇଛି ବାଲି। ଏନେଇ ନିଜେ ଶିଲା ବି ଖବର ପ୍ରସାରଣ କରିଥିଲେ। ନ୍ୟୁଜ ସେଭେନ ବି ବେଆଇନ ବାଲି ଚାଲାଣ ନେଇ କହି ଆସୁଥିଲା। ମଙ୍ଗଳପୁରଠାରେ କେତେ ପରିମାଣର ବାଲି ରାସ୍ତା ଉପରେ ଗଦା ହୋଇଛି । ଆଉ ରାଜପଥରେ ଗଦା ହୋଇଥିବା ଏହି ବାଲିରେ ସ୍କଟର ଚକ ପଶିଲେ ଆଉ ଚାଲିପାରିବ ତ, ଆପଣ ହିଁ ଚିନ୍ତା କରନ୍ତୁ। କୁହାଯାଉଛି ଏହି ବାଲି ପାଇଁ ହିଁ ଘଟିଲା ଏଡ଼େ ବଡ଼ ଦୁର୍ଘଟଣା.। ଶିଲାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ବିଜେଡି ଚୋରା ବାଲି ଚାଲାଣ ଉପରେ ଉଠାଇଛି ପ୍ରଶ୍ନ। ହସ ହସ ମୁହଁରେ ଶିଲାଙ୍କ ବଡ଼ ଚିନ୍ତା ଥିଲା ଛୋଟ ପୁଅର ଯେମିତି କିଛି କମ ନ ହେଉ, ସେ ସ୍କୁଲ ଯାଇ ଫେରାବା ପରେ ଏକୁଟିଆ ନ ହେଉ। ଏବେ ମାକୁ ହରାଇ ଏକୁଟିଆ ହୋଇଯାଇଛି ପୁଅ ଗୁଗୁଲ।