କୋଲକାତା: ପୁଣି ମଉଳିଲା ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ଆଶା। ଦଳକୁ ୯ ୱିକେଟ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ। ବୁଧବାର କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ୍ କରିଥିଲା।

ଜିତିବା ପାଇଁ ନ୍ୟୁଜିଲାଣ୍ଡ ପାଇଁ ୧୭୦ ରନର ଟାର୍ଗେଟ୍ ଥିଲା। ଦଳ ୧୨.୫ ଓଭରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୭୩ ରନ୍ କରି ଟାର୍ଗେଟ୍ ହାସଲ କରି ନେଇଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ଫାଇନାଲ୍ରେ ପ୍ରବେଶ କରିଛି। ସେପେଟ ଇଂଲଣ୍ଡ ଓ ଭାରତ ମଧ୍ୟରୁ ଯିଏ ସେମିଫାଇନାଲ୍ ମ୍ୟାଚ୍ ଜିତିବ ସିଏ ମାର୍ଚ୍ଚ ୮ ତାରିଖରେ ଅହମଦାବାଦରେ ନ୍ୟୁଜିଲାଣ୍ଡ ସହ ଫାଇନାଲ ଖେଳିବ।

ତେବେ ଆଜିର ମୁକାବିଲାରେ ଦକ୍ଷିଣ ଆଫ୍ରିକାର ୧୭୦ ରନ୍ ଟାର୍ଗେଟ୍ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ଟିମ ସେଫର୍ଟ ଓ ଫିନ ଆଲେନ ମ୍ୟାଚ୍ ୱିନିଂ ପାଳି ଖେଳିଥିଲେ। ଦୁଇ ବ୍ୟାଟର ମିଶି ଧୂଆଁଦାର ବ୍ୟାଟିଂ ପ୍ରଦର୍ଶନ କରି ୧୧୭ ରନ୍ ପର୍ଯ୍ୟନ୍ତ ମ୍ୟାଚ୍ ଟାଣି ନେଇଥିଲେ। ଦକ୍ଷିଣ ଆଫ୍ରିକା ମାତ୍ର ୯.୧ ଓଭରରେ ୧୧୭ ରନ୍ କରିଥିବା ବେଳେ ପ୍ରଥମ ୱିକେଟ୍ ହରାଇଥିଲା। କାଗିସୋ ରାବାଡ଼ାଙ୍କ ବଲ୍ରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ ଓପନର ଟିମ୍ ସେଫର୍ଟ। ହେଲେ ଆଉଟ ହେବା ପୂର୍ବରୁ ସେ ଦଳକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇ ସାରିଥିଲେ। ସେଫର୍ଟ ମାତ୍ର ୩୩ ବଲ୍‌ରେ ୫୮ ରନର ବଡ଼ ଯୋଗଦାନ ଦେଇଥିଲେ।

ସେପଟେ ଫିନ୍ ଆଲେନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖି ଦଳକୁ ମ୍ୟାଚ୍ ଜିତାଇଥିଲେ। ସେ ମାତ୍ର ୩୩ ବଲ୍‌ରେ ୧୦୦ ରନ୍ କରିଥିଲେ। ଏଥିରେ ୮ ଛକା ଓ ୧୦ଟି ଚୌକା ରହିଥିଲା। ଫିନ୍ ଆଲେନ୍ ଆଜି ଟି-୨୦ ବିଶ୍ୱକପ୍ ଇତିହାସରେ ଦ୍ରୁତତମ ଶତକ ହାସଲ କରି ରେକର୍ଡ କରିଛନ୍ତି। ଏପରି କରି ସେ କ୍ରିସ୍ ଗେଲ୍‌ଙ୍କ ଦୀର୍ଘଦିନର ରେକର୍ଡ ଭାଙ୍ଗି ଦେଇଛନ୍ତି। ଫିନ୍‌ଙ୍କ ପୂର୍ବରୁ ୨୦୧୬ରେ ୱେଷ୍ଟ ଇଣ୍ଡିଜ୍ ବ୍ୟାଟର କ୍ରିସ ଗେଲ୍ ମାତ୍ର ୪୭ ବଲ୍‌ରେ ଶତକ ହାସଲ କରିଥିଲେ। କେବଳ ସେତିକି ନୁହେଁ, ଆଲେନ ପ୍ରଥମ କିୱି ବ୍ୟାଟର ଭାବେ ଟି-୨୦ ବିଶ୍ୱକପ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଜିର ମ୍ୟାଚ୍‌ରେ ସେ ମାତ୍ର ୧୯ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। 

ଆଜିର ମ୍ୟାଚ୍‌ରେସେଫର୍ଟ ଆଉଟ୍ ହେବା ପରେ ବ୍ୟାଟିଂ ଆସିଥିବା ରଚିନ ରବିନ୍ଦ୍ରଙ୍କୁ ତାଙ୍କର ବ୍ୟାଟିଂ ପ୍ରଦର୍ଶନ କରିବାର ସେତେଟା ମୌକା ମିଳି ନଥିଲା। ତେବେ ବି ସେ ଦଳ ପାଇଁ ୧୧ ବଲ୍‌ ଖେଳି ୧୩ ରନ୍‌ର ଯୋଗଦାନ ଦେଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୭୩ ରନ୍ କରି ମ୍ୟାଚ୍ ଜିତି ନେଇଛି।