ଅଯୋଧ୍ୟା : ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଯୋଧ୍ୟା ରାମ ମନ୍ଦିରରେ ଦାନ ଗଣନା ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଭକ୍ତଙ୍କ ଦ୍ୱାରା ଅର୍ପିତ ଦାନର କଥିତ ହେରଫେର ପରେ କରାଯାଇଛି। ସଂଶୋଧିତ ପ୍ରଣାଳୀରେ କଡ଼ା ସୁରକ୍ଷା ଯାଞ୍ଚ, ଉନ୍ନତ ଦେଖରେଖ ଓ ଦାନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଲାଗି ନୂଆ ପ୍ରଶାସନିକ ଉପାୟ ଆଦି ରହିଛି। ତେବେ ମନ୍ଦିରର ଦାନ ଗଣନା ନିୟମ ପରିବର୍ତ୍ତନ ସହ ଏହି କାର୍ଯ୍ୟରେ ଜଡିତ ଲୋକଙ୍କ ସାମୂହିକ ଇସ୍ତଫା ପର୍ବ ମଧ୍ୟ ଆରମ୍ଭ ହୋଇଯାଇଛି। ଦାନ ଗଣନା କାର୍ଯ୍ୟରେ ନିଯୁକ୍ତ ଅଧାରୁ ଅଧିକ କର୍ମଚାରୀ ଇସ୍ତଫା ଦେଇଛନ୍ତି।

ଦାନ ଗଣନାର ନୂଆ ନିୟମ ଅନୁସାରେ ଗଣନା କେନ୍ଦ୍ରର ସୁରକ୍ଷା ଓ ସତର୍କତାକୁ ମଜଭୁତ କରାଯାଇଛି। ଦାନ ଗଣନା କ୍ଷେତ୍ରକୁ ପ୍ରବେଶ କରିବା ପୂର୍ବରୁ କର୍ମଚାରୀଙ୍କୁ ଏବେ ବିଭିନ୍ନ ପର୍ଯ୍ୟାୟ ତଲାସୀ ମଧ୍ୟ ଦେଇ ଯିବାକୁ ପଡୁଛି। ସେମାନଙ୍କୁ ଏବେ ଖାଲି ପାଦରେ ଗଣନା କେନ୍ଦ୍ରକୁ ଯିବାକୁ ପଡିବ ଓ ସାଙ୍ଗରେ ମୋବାଇଲ ଫୋନ ଅଥବା ଅନ୍ୟ କୌଣସି ବ୍ୟକ୍ତିଗତ ସାମଗ୍ରୀ ନେଇ ପାରିବେ ନାହିଁ। ମନ୍ଦିର ପରିସରରେ ଥିବା ବିଭିନ୍ନ ସୁରକ୍ଷା ଚୌକିରେ ମଧ୍ୟ ସେମାନଙ୍କର ଯାଞ୍ଚ ହେବ। ତେବେ ଏହା ପୂର୍ବରୁ ଟ୍ରଷ୍ଟ ଦ୍ୱାରା ଜାରି କେବଳ ପରିଚୟପତ୍ର ହିଁ ଯଥେଷ୍ଟ ଥିଲା। ସୂତ୍ର ଅନୁସାରେ ଦାନଗଣନା ପ୍ରକ୍ରିୟା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ରୂପେ ୪ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି।

ଏହା ଛଡା ଟ୍ରଷ୍ଟ ଅତିରିକ୍ତ ସୁରକ୍ଷା ଉପାୟ କରିବାକୁ ମଧ୍ୟ ଯୋଜନା କରିଛି। ଏଥିରେ ଡିଜିଟାଲ ସୁରକ୍ଷା ସୁବିଧା ଥିବା କ୍ୟୁଆର କୋଡ ସକ୍ଷମ ପରିଚୟ ପତ୍ର, ଆଉଟସୋର୍ସ କର୍ମଚାରୀଙ୍କ ଲାଗି ସ୍ୱତନ୍ତ୍ର ପୋଷାକ ବ୍ୟତୀତ ମନ୍ଦିର ପରିସରରେ ପ୍ରତ୍ୟେକ କର୍ମଚାରୀଙ୍କ ଯାତାୟାତ ରେକର୍ଡ କରିବା ପାଇଁ ଏକ ଡିଜିଟାଲ ପ୍ରବେଶ-ପ୍ରସ୍ଥାନ ଟ୍ରାକିଂ ପ୍ରଣାଳୀ ମଧ୍ୟ ରହିବ।ଏହି ସବୁ ଉପାୟର ଉଦ୍ଦେଶ୍ୟ ମନ୍ଦିର ଦାନ ପ୍ରବନ୍ଧନରେ ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା। ଟ୍ରଷ୍ଟ ସୂତ୍ର ଅନୁସାରେ କଥିତ ଦାନ ଚୋରି ମାମଲା ସାମ୍ନାକୁ ଆସିବା ପରେ ଦାନଗଣନା କେନ୍ଦ୍ରରେ କର୍ମଚାରୀଙ୍କ ଉପସ୍ଥିତି ହ୍ରାସ ହୋଇଥିଲା।

ପୂର୍ବରୁ ଦାନ ଗଣନା ପାଇଁ ପାଖାପାଖି ୪୦ ଜଣ କର୍ମଚାରୀ କାମ କରୁଥିଲେ। ତେବେ ଯାଞ୍ଚ ପରେ ଭୟ ଯୋଗୁ ୧୫-୨୦ ଜଣ କର୍ମଚାରୀ କାମକୁ ଆସୁଥିଲେ। ସୂତ୍ର ଅନୁସାରେ ପାଖାପାଖି ୨୦ ଜଣ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଏଣୁ ଦାନ ଗଣନା କରୁଥିବା କର୍ମଚାରୀଙ୍କ ସଂଖ୍ୟା ହ୍ରାସ ହୋଇ ଏବେ ମାତ୍ର ୧୨ ଜଣକୁ ପହଞ୍ଚିଛି। କର୍ମଚାରୀଙ୍କ କହିବା କଥା ହେଉଛି ନୂଆ ନିୟମ ଯୋଗୁ କାମ ବୋଝ ବଢି ଯାଇଛି। ଯେଉଁ କର୍ମଚାରୀମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ କହିବା ଅନୁସାରେ କଥିତ ଚୋରି ଜଣାପଡିବା ପରେ ଦାନ ଗଣନା ପ୍ରକ୍ରିୟାରେ ଅଧିକ ସମୟ ଲାଗୁଛି।

ସେମାନଙ୍କ କହିବା କଥା ହେଉଛି ଯେଉଁ କାମ ପୂର୍ବରୁ ଦୁଇଟି ସିଫ୍ଟରେ କରାଯାଉଥିଲା ତାକୁ ଏବେ ୧୦ ଘଣ୍ଟିଆ ସିଫ୍ଟରେ ପରିଣତ କରାଯାଇଛି। ତେବେ କର୍ମଚାରୀଙ୍କ ବେତନ ବୃଦ୍ଧି କରାଯାଇ ନାହିଁ। ମନ୍ଦିର ଦାନ ଚୋରି ମାମଲା ଗତ ଜୁନ ମାସରେ ସାମ୍ନାକୁ ଆସିଥିଲା। ଏହା ପରେ ଗଣନା ପ୍ରକ୍ରିୟାର ଯାଞ୍ଚ ଆରମ୍ଭ ହୋଇଥିଲା। ଅଭିଯୋଗ ଅନୁସାରେ ଭକ୍ତଙ୍କ ଦ୍ୱାରା ଅର୍ପିତ ରାଶି ବ୍ୟାଙ୍କରେ ଜମା ହେବା ପୂର୍ବରୁ କଥିତ ରୂପେ ହଡ଼ପ କରାଯାଉଥିଲା। ଏହି ମାମଲାରେ ଏ ପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଦାନ ଗଣନା ପ୍ରକ୍ରିୟାରେ ଜଡିତ ଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଦାନ ଗଣନାରେ ସାମିଲ କର୍ମଚାରୀ ଓ ଅର୍ପଣକୁ ସମ୍ଭାଳିବା ଦାୟିତ୍ୱରେ ଥିବା ଲୋକେ ମଧ୍ୟ ସାମିଲ ଥିଲେ। ଅଯୋଧ୍ୟ ରାମ ମନ୍ଦିରରେ ଦାନ ଗଣନା ଲାଗି ନୂଆ ନିୟମ ଲାଗୁ ହେବା ସହ ପୋଲିସ ଯାଞ୍ଚ ଓ ଟ୍ରଷ୍ଟର ଅନ୍ତରୀଣ ସମୀକ୍ଷା ମଧ୍ୟ ଜାରି ରହିଛି।