ନୂଆଦିଲ୍ଲୀ: ମାରାତ୍ମକ କର୍କଟ ବା କ୍ୟାନ୍ସର ରୋଗ ବିରୋଧରେ ଚାଲିଥିବା ଲଢ଼େଇରେ ଚିକିତ୍ସା ବିଜ୍ଞାନକୁ ମିଳିଛି ଏକ ବଡ଼ ସଫଳତା । ଆମେରିକୀୟ ସୋସାଇଟି ଅଫ୍ କ୍ଲିନିକାଲ୍ ଅଙ୍କୋଲୋଜି (ASCO-2026) ସମ୍ମିଳନୀରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ହେଉଥିବା ଅଭିନବ ପ୍ରଗତି ବିଷୟରେ ସୂଚନା ଦିଆଯାଇଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), 'ପ୍ରିସିଜନ ମେଡିସିନ୍' ଏବଂ ବିଶେଷ କରି ସବୁଠାରୁ ଜଟିଳ କୁହାଯାଉଥିବା ପାନକ୍ରିଆଟିକ୍ (ଅଗ୍ନ୍ୟାଶୟ) କ୍ୟାନ୍ସର ପାଇଁ ଆସିଥିବା ଏକ ନୂଆ ଔଷଧ ଏବେ କର୍କଟ ରୋଗୀଙ୍କ ପାଇଁ ସଞ୍ଜୀବନୀ ସଦୃଶ ସାବ୍ୟସ୍ତ ହେବାକୁ ଯାଉଛି ।

ଚିକାଗୋଠାରେ ଆୟୋଜିତ 'ଆମେରିକାନ ସୋସାଇଟି ଅଫ୍ କ୍ଲିନିକାଲ ଅଙ୍କୋଲୋଜି'ର ବାର୍ଷିକ ସମ୍ମିଳନୀରେ ବିଶ୍ୱର ପ୍ରମୁଖ କ୍ୟାନ୍ସର ବିଶେଷଜ୍ଞ ଓ ଡାକ୍ତରମାନଙ୍କ ସାମନାରେ ଏହି ଯୁଗାନ୍ତକାରୀ ଘୋଷଣା କରାଯାଇଛି । ଏହି ମେଡିସିନ୍ ସମ୍ପର୍କରେ ଘୋଷଣା କରାଯିବା ସମୟରେ ସମ୍ମିଳନୀ କକ୍ଷରେ ଉପସ୍ଥିତ ଶତାଧିକ ଡାକ୍ତର ଓ ଗବେଷକ ଠିଆ ହୋଇ ତାଲି ମାରି ଏହାକୁ ସ୍ଵାଗତ କରିଥିଲେ।

ପାନ୍‌କ୍ରିଆଟିକ୍ କ୍ୟାନ୍ସର ରୋଗୀ ପାଇଁ ବରଦାନ ସାଜିବ ‘ଡାରାକ୍ସୋନରାସିବ୍’ (Daraxonrasib)

ପାନ୍‌କ୍ରିଆଟିକ୍ କ୍ୟାନ୍ସରକୁ ସାଧାରଣତଃ ସାଇଲେଣ୍ଟ କିଲର୍ ବା ସବୁଠାରୁ ଘାତର କ୍ୟାନ୍ସର ଭାବେ ଗଣନା କରାଯାଏ । କାରଣ ଏହାର ଚିକିତ୍ସା ଅତ୍ୟନ୍ତ ଜଟିଳ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ହାର ଖୁବ୍ କମ୍ ଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିବା କେମୋଥେରାପି ଅତ୍ୟନ୍ତ କଷ୍ଟଦାୟକ ଏବଂ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ । ମାତ୍ର ନୂତନ ଗବେଷଣା ଅନୁଯାୟୀ, ଏହି ନୂଆ ଔଷଧ ରୋଗୀଙ୍କୁ କେବଳ ଦୀର୍ଘ ଜୀବନ ଦେବାରେ ସାହାଯ୍ୟ କରୁନାହିଁ, ବରଂ ଏହା ଚିକିତ୍ସା ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ସହଜ ମଧ୍ୟ କରିବ ।

ବିଶେଷଜ୍ଞଙ୍କ ମତରେ, ଅଗ୍ନ୍ୟାଶୟ କର୍କଟରେ ପୀଡ଼ିତ ପ୍ରାୟ ୯୦ ପ୍ରତିଶତ ରୋଗୀଙ୍କଠାରେ 'RAS' ଜିନ୍ ମ୍ୟୁଟେସନ୍ ଦେଖାଯାଇଥାଏ । ଏହାକୁ ରୋକିବା ପାଇଁ ପ୍ରସ୍ତୁତ ହୋଇଛି ଏକ ନୂଆ ‘RAS(ON)' ଅବରୋଧକ (ଇନହିବିଟର)’ ଔଷଧ, ଯାହାର ନାମ ‘ଡାରାକ୍ସୋନରାସିବ୍’। ନିକଟରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷା (RASolute 302) ଅନୁସାରେ, ପାରମ୍ପରିକ କେମୋଥେରାପି ତୁଳନାରେ ଏହି ଔଷଧ ମୃତ୍ୟୁ ବିପଦକୁ ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇଛି । କେମୋଥେରାପି ନେଉଥିବା ରୋଗୀମାନେ ହାରାହାରି ୬.୭ ମାସ ବାଞ୍ଚୁଥିବା ବେଳେ, ଏହି ଔଷଧ ନେବା ଦ୍ଵାରା ସେମାନଙ୍କ ହାରାହାରି ଜୀବନକାଳ ୧୩.୨ ମାସକୁ ବୃଦ୍ଧି ପାଇଛି, ଯାହା ପ୍ରାୟ ଦୁଇଗୁଣା ଅଟେ । ସବୁଠାରୁ ବଡ଼ କଥା ହେଉଛି କେମୋଥେରାପି ଭଳି ଏହାର ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । କେବଳ କିଛି ରୋଗୀଙ୍କଠାରେ ସାଧାରଣ କୁଣ୍ଡିଆ ଓ ବାନ୍ତି ଭଳି ସମସ୍ୟା ଦେଖାଦେଇଛି ।

କ୍ୟାନ୍ସର ଗବେଷଣାରେ AIର ଯୁଗାନ୍ତକାରୀ ଭୂମିକା

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବେ କ୍ୟାନ୍ସର ବିରୋଧୀ ଲଢ଼େଇକୁ ଅଧିକ ଦ୍ରୁତ ଓ ସଠିକ୍ କରିଛି । AlphaFold ଭଳି ଏଆଇ ଆଲଗୋରିଦମ ପ୍ରୋଟିନ୍ ସଂରଚନାକୁ ବିଶ୍ଳେଷଣ କରି ଯେଉଁ ଔଷଧ ତିଆରି ପାଇଁ ବର୍ଷ ବର୍ଷ ସମୟ ଲାଗୁଥିଲା, ତାହାକୁ କିଛି ମାସ ମଧ୍ୟରେ ସମ୍ଭବ କରିପାରୁଛି । ଏକ୍ସ-ରେ, ଏମ୍ଆର୍ଆଇ ଏବଂ ପାଥୋଲୋଜି ସ୍ଲାଇଡ୍କୁ ଅତି ସୂକ୍ଷ୍ମ ଭାବେ ଯାଞ୍ଚ କରି ଏଆଇ ପ୍ରାଥମିକ ପର୍ଯ୍ୟାୟରେ ହିଁ କର୍କଟ ଚିହ୍ନଟ କରିବାରେ ଡାକ୍ତରମାନଙ୍କୁ ସାହାଯ୍ୟ କରୁଛି । ପ୍ରତି ରୋଗୀଙ୍କ ଟ୍ୟୁମରର ଜେନେଟିକ୍ ପ୍ରୋଫାଇଲ୍ ଅନୁସାରେ ତାଙ୍କ ପାଇଁ କେଉଁ ଔଷଧ ସବୁଠାରୁ ଭଲ କାମ କରିବ, ତାହା ଏଆଇ ସଠିକ୍ ଭାବେ ଜଣାଇ ଦେଉଛି ।

ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ ନୂଆ ଔଷଧ ବାହାରିବା ସତ୍ତ୍ୱେ କ୍ୟାନ୍ସରକୁ ରୋକିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ହିଁ ସବୁଠାରୁ ବଡ଼ ମାଧ୍ୟମ । ତମାଖୁ, ମଦ୍ୟପାନ ବର୍ଜନ ଦ୍ୱାରା କର୍କଟ ରୋଗ ବିପଦକୁ ବହୁ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ । ଏହା ସହିତ କୃଷି କାର୍ଯ୍ୟରେ ବ୍ୟବହୃତ ସାରରେ ଥିବା 'କ୍ୟାଡମିୟମ୍' ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ପରିବେଶ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଥିବାରୁ, ଏହା ଉପରେ ଅନ୍ତର୍ଜାତୀୟ ସ୍ତରରେ କଡ଼ା ନିୟମ ପ୍ରଣୟନ କରିବାର ସମୟ ଆସିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।