ଦିଲ୍ଲୀ : ନୂଆ ମାସର ପ୍ରଥମ ଦିନରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ । ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଆସିଲା ବଡ଼ ଅପଡେଟ୍। ସେପ୍ଟେମ୍ବର ୧ ତାରିଖରୁ ପୁଣି ବଦଳିଛି LPG ସିଲିଣ୍ଡର ଦର। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ ବଢ଼ିଛି କି କମିଛି ? ଆଉ କମର୍ସିଆଲ୍ ସିଲିଣ୍ଡର ପାଇଁ କେତେ ଟଙ୍କା ଅଧିକ ଦେବାକୁ ପଡ଼ିବ ? ଆସନ୍ତୁ ଜାଣିବା ...

ସେପ୍ଟେମ୍ବର ୧ ତାରିଖରୁ ଦେଶର ବିଭିନ୍ନ ସହରରେ LPG ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ଦାମରେ ବଡ଼ ପରିବର୍ତ୍ତନ ହୋଇନାହିଁ, କିନ୍ତୁ ୧୯ କିଲୋଗ୍ରାମ କମର୍ସିଆଲ୍ LPG ସିଲିଣ୍ଡରର ଦାମ ବୃଦ୍ଧି ପାଇଛି। ଓଡ଼ିଶାରେ ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ଦର ୯୬୮ ଟଙ୍କା ରହିଛି। ଅନ୍ୟପକ୍ଷରେ, ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡରର ଦାମ ୨,୯୧୯ ଟଙ୍କା ରହିଛି, ଯାହା ପୂର୍ବ ଦର ତୁଳନାରେ ପ୍ରାୟ ୧୧ ଟଙ୍କା ବଢ଼ିଛି। ସେହିପରି ରାଜଧାନୀ ଦିଲ୍ଲୀରେ ଘରୋଇ LPG ସିଲିଣ୍ଡରର ଦର ୯୪୨ ଟଙ୍କା, କୋଲକାତାରେ ୯୬୮ ଟଙ୍କା, ମୁମ୍ବାଇରେ ୯୪୧ ଟଙ୍କା ୫୦ ପଇସା ଏବଂ ଚେନ୍ନାଇରେ ୯୫୭ ଟଙ୍କା ୫୦ ପଇସା ରହିଛି। ଘରୋଇ ସିଲିଣ୍ଡର ଦର ସ୍ଥିର ରହିଥିବାରୁ ସାଧାରଣ ଉପଭୋକ୍ତାଙ୍କୁ ଏପର୍ଯ୍ୟନ୍ତ ବଡ଼ ଝଟକା ଲାଗିନାହିଁ।

ସବୁଠୁ ବଡ କଥା ହେଲା କମର୍ସିଆଲ୍ LPG ସିଲିଣ୍ଡରର ଦର ବଢ଼ିବାରୁ ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଖର୍ଚ୍ଚ ବଢ଼ିପାରେ । ଯାହା ଫଳରେ ପୁଣି ଥରେ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିପାରେ । ତେବେ LPG ସିଲିଣ୍ଡରର ଦର ସହର ଓ ରାଜ୍ୟ ଅନୁସାରେ ଭିନ୍ନ ହୋଇଥାଏ। ସ୍ଥାନୀୟ ଟ୍ୟାକ୍ସ, ପରିବହନ ଖର୍ଚ୍ଚ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଦରରେ ତଫାତ୍ ଦେଖାଯାଏ। ତେବେ LPG ଦରରେ ଏହି ପରିବର୍ତ୍ତନ ଉପଭୋକ୍ତାଙ୍କ ବଜେଟ୍ ଉପରେ କେତେ ପ୍ରଭାବ ପକାଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।