ତେଲ୍ ଅଭିଭ୍: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫ୍ଲାଏଦୁବାଇ ବିମାନରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଫ୍ଲାଏଦୁବାଇର କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିବା ଓମାନୀ କୋ-ପାଇଲଟ୍ ଜଣକ "ଆତ୍ମଘାତୀ" ଏବଂ "ଇସଲାମିକ କଟ୍ଟରପନ୍ଥୀ ଆଦର୍ଶରେ ପ୍ରଭାବିତ" ଥିଲା ।

'ଫକ୍ସ ନ୍ୟୁଜ୍'କୁ ଦେଇଥିବା ଏକ ସାକ୍ଷାତକାରରେ ନେତାନ୍ୟାହୁ କହିଛନ୍ତି ଯେ ବିମାନ ଭିତରେ କ୍ୟାପ୍ଟେନଙ୍କୁ ଛୁରି ଭୁସିଥିବା ଅଭିଯୋଗ ହୋଇଥିବା କୋ-ପାଇଲଟଙ୍କୁ ଏବେ ଜେରା କରାଯାଉଛି । ସେ କହିଛନ୍ତି, "ଆମ ସୂଚନା ଅନୁସାରେ ସେ ଇସଲାମିକ କଟ୍ଟରପନ୍ଥୀ ଆଦର୍ଶରେ ପ୍ରଭାବିତ ହୋଇଥିଲେ ।" ତେବେ ଏହି ଘଟଣା ସହ କୌଣସି "ଇରାନ୍ ଲିଙ୍କ୍" ଅଛି କି ନାହିଁ ତାହା ଆଗାମୀ ଦିନରେ ତଦନ୍ତକାରୀମାନେ ଯାଞ୍ଚ କରିବେ ବୋଲି ସେ କହିଛନ୍ତି ।

Also Read: 'ସାରା ଦୁନିଆ ପ୍ରଶଂସା କରୁଛି, ରାହୁଲ ଗାନ୍ଧୀ ନୀରବ'; ସ୍ମିତ୍ ମଚ୍ଛାରଙ୍କ ମାମଲାରେ କଂଗ୍ରେସକୁ ଘେରିଲା ବିଜେପି

ନେତାନ୍ୟାହୁ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କୋ-ପାଇଲଟ୍ ଜଣକ ବିମାନକୁ କ୍ରାସ୍ କରିବାକୁ ଚାହୁଁଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ, କାବୁ କରାଯିବା ପରେ ଅଭିଯୁକ୍ତ କୋ-ପାଇଲଟ୍ ଜଣକ ବାରମ୍ବାର "ମୋତେ ମାରିଦିଅ, ମୋତେ ମାରିଦିଅ !" କହି ଚିତ୍କାର କରୁଥିଲେ ।

ନେତାନ୍ୟାହୁ ଏହା ମଧ୍ୟ କହିଛନ୍ତି ଯେ ହମାସ ଏବଂ ହିଜବୁଲ୍ଲା ଭଳି ଇରାନ୍-ସମର୍ଥିତ ଗୋଷ୍ଠୀଗୁଡ଼ିକ ଦ୍ୱାରା ଇସ୍ରାଏଲରେ ଆକ୍ରମଣ କରିବାର ଯୋଜନାର "ସଙ୍କେତ" ମିଳିଥିଲା । କିନ୍ତୁ ଫ୍ଲାଏଦୁବାଇ ଘଟଣା ସହିତ ସେହି ଯୋଜନାର କୌଣସି ସମ୍ପର୍କ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।