ନୂଆଦିଲ୍ଲୀ, ୩୧। ୦୭ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଗିରଫ ପାଇଁ ଜାରି ହୋଇଛି ଓ୍ୱାରେଣ୍ଟ୍ । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ଏହି ଓ୍ୱାରେଣ୍ଟ୍ ଜାରି କରିଛି । ତେବେ ଆମେରିକା ଗସ୍ତରେ ନେତନ୍ୟାହୁ ନିଜ ସୁରକ୍ଷାକୁ ନେଇ ବଡ଼ କଥା କହିଛନ୍ତି ।

ନେତନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲର ସ୍ପେଶାଲ ଫୋର୍ସ ତାଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । ସେମାନେ ନ୍ୟୁୟର୍କରେ ଥିବା ଜାତିସଙ୍ଘ କାର୍ଯ୍ୟାଳୟ ଗସ୍ତ କରିବା ବେଳେ ସୁରକ୍ଷା ପ୍ରଦାନ କରିବେ । ତାଙ୍କୁ ନ୍ୟୁୟର୍କରେ ଅଟକ କିମ୍ବା ଗିରଫଦାରୀର ଭୟ ନାହିଁ ।

Also Read :- କ୍ରିକେଟ୍ ଟିମ୍ ରେ ମିଳିଲାନି ଜାଗା, ଆତ୍ମହତ୍ୟା କରିଦେଲେ ୧୭ ବର୍ଷୀୟ ନାବାଳିକା ! ସୁଇସାଇଡ୍ ନୋଟରେ ଲୁଚିଛି ସତ

ଫକ୍ସ ନ୍ୟୁଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ୨୦୨୪ରେ ତାଙ୍କ ବିରୋଧରେ ଓ୍ୱାରେଣ୍ଟ୍ ଜାରି କରାଯାଇଥିଲା । ଏଥିରେ ସେ ବିଚଳିତ ନାହାଁନ୍ତି । ସମସ୍ତେ ଇସ୍ରାଏଲର ସ୍ପେଶାଲ ଫୋର୍ସ ବିଷୟରେ ଜାଣନ୍ତି । ସେ ନିଜେ ଏଥିରେ ୫ ବର୍ଷ କାମ କରିଛନ୍ତି । ଅନ୍ୟ ଦିଗରେ ନେତନ୍ୟାହୁଙ୍କ ନ୍ୟୁୟର୍କ ଗସ୍ତକୁ ଅନେକ ନେତା ବିରୋଧ କରିଛନ୍ତି । ନ୍ୟୁୟର୍କ ମେୟର ଜୋହରାନ ମମଦାନୀ ନେତନ୍ୟାହୁଙ୍କୁ ଅପରାଧୀ କହିବା ସହ ଆମେରିକା ତାଙ୍କୁ ଗିରଫ କରୁ ବୋଲି ଦାବି କରିଛନ୍ତି ।

କ'ଣ ରହିଛି ଓ୍ୱାରେଣ୍ଟ୍ ?

ଗାଜା ସହ ଯୁଦ୍ଧକୁ ନେଇ ୨୦୨୪ରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ ନେତନ୍ୟାହୁଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ୍ ଜାରି କରିଥିଲା । ସେ ମାନବ ସଭ୍ୟତା ଉପରେ ଆକ୍ରମଣ କରିଛନ୍ତି ଏବଂ ଲୋକଙ୍କୁ ଅନାହାରରେ ରହିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ରହିଥିଲା । କିନ୍ତୁ ଏସବୁ ଅଭିଯୋଗକୁ ନେତନ୍ୟାହୁ ଲାଗାତାର ଖଣ୍ଡନ କରି ଆସୁଛନ୍ତି । ଅନ୍ୟ ଦିଗରେ ନେତନ୍ୟାହୁଙ୍କୁ ଡୋନାଲ୍ଡ ଟ୍ରମ୍ପ୍ ସମର୍ଥନ କରୁଥିବାରୁ ସେ ଆମେରିକାରେ ଗିରଫ ହେବା ଆଶଙ୍କା ନାହିଁ ।