କାଠମାଣ୍ଡୁ/ନୂଆଦିଲ୍ଲୀ: ନେପାଳରେ ବିପୁଳ ଜନସମର୍ଥନ ସହ କ୍ଷମତାକୁ ଆସିଥିବା ବାଲେନ୍ଦ୍ର (ବାଲେନ) ଶାହାଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ପୁଣି ଥରେ ସାଧାରଣ ଜନତା ଏବଂ ବିଶେଷ କରି ଜେନ-ଜି (Gen Z) ରାଜରାସ୍ତାକୁ ଓହ୍ଲାଇଛନ୍ତି। କାଠମାଣ୍ଡୁ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ୨୫ ବର୍ଷୀୟ ରାଇଡ୍-ସେୟାରିଂ ବାଇକ୍ ଚାଳକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପରେ ସେଠାରେ ସରକାରଙ୍କ ବିରୋଧରେ ଜନଆକ୍ରୋଶ ଚରମ ସୀମାରେ ପହଞ୍ଚିଛି।

'ଦ କାଠମାଣ୍ଡୁ ପୋଷ୍ଟ'ର ରିପୋର୍ଟ ଅନୁଯାୟୀ, ଗଣେଶ ନେପାଳୀ ନାମକ ଜଣେ ଯୁବକ ଗତ ଗୁରୁବାର ଦିନ କାଠମାଣ୍ଡୁ ରାସ୍ତାରେ ନିଜ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ସେହି ସମୟରେ ପୋଲିସ କର୍ମଚାରୀମାନେ ସେଠାରେ ପହଞ୍ଚି ହଠାତ୍ ତାଙ୍କ ମୋଟରସାଇକେଲ ଚକରେ ଲକ୍ ପକାଇ ଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହାର ପ୍ରତିବାଦରେ ଏବଂ ଚିନ୍ତାଗ୍ରସ୍ତ ହୋଇ ଗଣେଶ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଶୁକ୍ରବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ସରକାରଙ୍କ ବିରୋଧରେ ଦୀର୍ଘ ଦିନରୁ ରହିଥିବା ଅସନ୍ତୋଷକୁ ବଢ଼ାଇ ଦେଇଛି। ଗତ ରବିବାର ଦିନ କାଠମାଣ୍ଡୁର ସରକାରୀ ସଚିବାଳୟ 'ସିଂହଦରବାର' ସମ୍ମୁଖରେ ଶତାଧିକ ଯୁବକ ଏକତ୍ରୀତ ହୋଇ ପ୍ରତିବାଦ କରିଥିଲେ। ଆନ୍ଦୋଳନକାରୀଙ୍କ ହାତରେ ଥିବା ପ୍ଲାକାର୍ଡରେ ଲେଖାଥିଲା, ଗରିବଙ୍କ ଉପରେ ଅତ୍ୟାଚାର ବନ୍ଦ କର। ମାନବାଧିକାରକୁ ସମ୍ମାନ ଦିଅ। ବେଆଇନ ଗିରଫଦାରୀ ବନ୍ଦ କର ଏବଂ ଉଚ୍ଛେଦ ହେଉଥିବା ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦିଅ।’

ବାଲେନ ଶାହାଙ୍କ କଠୋର ଆଭିମୁଖ୍ୟ
ନେପାଳ ଗଣମାଧ୍ୟମ ଅନୁଯାୟୀ, ୨୦୨୨ ମସିହାରେ ବାଲେନ୍ଦ୍ର ଶାହା କାଠମାଣ୍ଡୁର ମେୟର ଭାବେ ନିର୍ବାଚିତ ହେବା ପରଠାରୁ ହିଁ ସେଠାକାର ପୋଲିସର ଆଭିମୁଖ୍ୟ ଅତ୍ୟନ୍ତ ଆକ୍ରମଣାତ୍ମକ ରହିଆସିଛି। ସହରର ସୁପରିଚାଳନା ନାଁରେ ସେ ଫୁଟପାଥ୍ ମୁକ୍ତ କରିବା, ଅସ୍ଥାୟୀ ବଜାର ହଟାଇବା ଏବଂ ନଦୀକୂଳରେ ଥିବା ବସ୍ତି ବା ଗରିବ ଲୋକଙ୍କ ଆଶ୍ରୟସ୍ଥଳୀକୁ ଉଚ୍ଛେଦ କରିବା ପାଇଁ ଅନେକ କଠୋର ନିଷ୍ପତ୍ତି ନେଇଛି।

ଜନସାଧାରଣଙ୍କ ମଧ୍ୟରେ ଉଦବେଗ
ଏହି ସବୁ ଉଚ୍ଛେଦ ପ୍ରକ୍ରିୟା ସମୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ସହରର ସବୁଠାରୁ ଗରିବ ଏବଂ ଅସହାୟ ଶ୍ରେଣୀର ଲୋକଙ୍କ ପ୍ରତି ସରକାରଙ୍କ ଏଭଳି ସମ୍ବେଦନହୀନତାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯେଉଁ ଯୁବପିଢ଼ି ବଡ଼ ଆଶା ନେଇ ବାଲେନ ଶାହାଙ୍କୁ କ୍ଷମତାକୁ ଆଣିଥିଲେ, ସେମାନେ ଆଜି ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ନ୍ୟାୟ ଦାବି କରୁଛନ୍ତି।