କାଠମାଣ୍ଡୁ: ଚୀନକୁ ଛାଡ଼ି ଭାରତକୁ ବାଛିଲେ ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହ (ବଲେନ ଶାହ)। ପ୍ରଧାନମନ୍ତ୍ରୀ ହେବାର ପାଖାପାଖି ୮ ମାସ ପରେ ବଲେନ ଶାହ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ବିଦେଶ ଗସ୍ତରେ ଭାରତକୁ ଆସିବାକୁ ସ୍ଥିର କରିଛନ୍ତି। ନଭେମ୍ବର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ବଲେନ୍ଦ୍ର ଶାହ ଭାରତ ଆସିପାରନ୍ତି। ଯଦିଓ ସେପ୍ଟେମ୍ବର ମାସରେ ସେ ଜାତିସଂଘ ସାଧାରଣ ସଭାରେ ଯୋଗ ଦେବାକୁ ଆମେରିକା ଯାଇଥିଲେ। ହେଲେ ସେଠାରେ ସେ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଆଲୋଚନା କରିଥିଲେ। ଯାହା ଭାରତ, ଚୀନ ଓ ନେପାଳ ସମେତ ଦକ୍ଷିଣ ଭାରତୀୟ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସେ କହିଥିଲେ।

ତେବେ ବଲେନ ଶାହଙ୍କ ଭାରତ ଗସ୍ତ ନେଇ ନେପାଳ ଗଣମାଧ୍ୟମ କାଠମାଣ୍ଡୁ ପୋଷ୍ଟ ଖବର ପ୍ରକାଶ କରିଛି। ରିପୋର୍ଟ ଅନୁସାରେ ବଲେନଙ୍କର ଭାରତ ଗସ୍ତରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଠାରୁ ଆରମ୍ଭ କରି ସୀମା ବିବାଦ ଏବଂ ବନ୍ୟା ପୁନଃନିର୍ମାଣ କାର୍ଯ୍ୟ ମୁଖ୍ୟ ବିଷୟବସ୍ତୁ ରହିପାରେ।

ନେପାଳର ଆଗ ଡାକରା ଭାରତ

ପରମ୍ପରାଗତ ଭାବେ ନେପାଳ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ବୈଦେଶିକ ଦ୍ୱିପାକ୍ଷିକ ଗସ୍ତ ଭାରତ ରହି ଆସିଛି। ହେଲେ ସମୟ କ୍ରମେ କିଛି କିଛି ପ୍ରଧାନମନ୍ତ୍ରୀ ଏଥିରୁ ବ୍ୟତିକ୍ରମ ମଧ୍ୟ କରିଛନ୍ତି। ପୁଷ୍ପ କମାଲ ଦହଲ ପ୍ରଚଣ୍ଡ ୨୦୦୮ରେ ଭାରତ ବଦଳରେ ପ୍ରଥମେ ଚୀନ ଗସ୍ତ କରିଥିଲେ। ସେହିପରି ୨୦୧୧ରେ ଝଲାନାଥ ଖାନାଲ ମିଳିତ ଜାତିସଂଘର ଏକ ବହୁପକ୍ଷୀୟ ବୈଠକ ପାଇଁ ତୁର୍କୀ ଯାଇଥିଲେ। ଶେର ବାହାଦୂର ଦେଉବା ୨୦୨୧ ମସିହାରେ 'କପ୍-୨୬' (COP26) ପାଇଁ ବ୍ରିଟେନ ଯାଇଥିଲେ।

Also Read- ପାକିସ୍ତାନରେ ଭୁଶୁଡ଼ିଲା ସ୍କୁଲ ଛାତ, ୨୧ ଜଣଙ୍କ ମୃତ୍ୟୁ; ଅନେକ ଦବି ରହିଥିବା ଆଶଙ୍କା

ଭାରତ ବିରୋଧୀ ଚେହେରା ଭବରେ ସବୁଠାରୁ ବିବାଦୀୟ ଥିବା କେପି ଶର୍ମା ଓଲି ଦେଶରେ ଇଣ୍ଡିଆ ପାଷ୍ଟ ପରମ୍ପରାକୁ ଭାଙ୍ଗି ୨୦୨୪ରେ ଚୀନ ଚାଲିଯାଇଥିଲେ। ଭାରତ ତାଙ୍କୁ ସରକାରୀ ଗସ୍ତ ପାଇଁ ନିମନ୍ତ୍ରଣ କରି ନଥିଲା ବୋଲି ସେ ଅଭିଯୋଗ କରିଥିଲେ।

ବଲେନ ଶାହଙ୍କ ଭାରତ ଗସ୍ତରେ କଣ ରହିପାରେ ଏଜେଣ୍ଡା ?

ଅକ୍ଟୋବର ୧୫ ତାରିଖରେ କାଠମାଣ୍ଡୁ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଉଭୟ ପକ୍ଷ ଦେଶ ମଧ୍ୟରେ କିଛି ପ୍ରକଳ୍ୱ ବିଷୟରେ ସୂଚନା ଆଦାନପ୍ରଦାନ ହୋଇଛି। ଗସ୍ତ ସମୟରେ ଏଗୁଡ଼ିକର ଉଦ୍ଘାଟନ କିମ୍ବା ଲଞ୍ଚ ହୋଇପାରେ। ତା’ ସହିତ ବଲେନ ଶାହଙ୍କ ଗସ୍ତ ସମୟରେ ଉଚ୍ଚ ପ୍ରତିନିଧି ସ୍ତରୀୟ ବୈଠକ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିପାରନ୍ତି ନେପାଳ ପ୍ରତିନିଧି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ସତ୍ତ୍ୱେ, ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସୀମା ବିବାଦର ସମାଧାନ ହୋଇନାହିଁ। ତେଣୁ ବଲେନଙ୍କ ଭାରତ ଗସ୍ତରେ ସୀମା ବିବାଦ, ନେପାଳ ପାଇଁ ଅତିରିକ୍ତ ବିମାନ ପ୍ରବେଶ ପଥ, ବାଣିଜ୍ୟ ଅସନ୍ତୁଳନ ଏବଂ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା ହୋଇପାରେ ବୋଲି ନେପାଳର ବୈଦେଶିକ ମନ୍ତ୍ରଣାଳୟ କାଠମାଣ୍ଡୁ ପୋଷ୍ଟକୁ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଦୁଇ ଦେଶ ମଧ୍ୟରେ କାଲାପାନୀ ଓ ଲିପୁ ଲେଖକୁ ନେଇ ବଡ଼ ବିବାଦ ରହିଛି। ସେହିପରି ଦୀର୍ଘଦିନ ଧରି ପଡ଼ି ରହିଥିବା ପଞ୍ଚେଶ୍ୱର ବହୁମୁଖୀ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇପାରେ।